ରଣଜୀ ଟ୍ରଫି: ପରାଜୟ ମୁହଁରେ ଓଡ଼ିଶା

ସିଦ୍ଧେଶଙ୍କ ଶତକ ମୁମ୍ବାଇକୁ ରକ୍ଷାକଲା

ଭୁବନେଶ୍ୱର: କିଟ୍‌ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଚାଲିଥିବା ମୁମ୍ବାଇ ବିପକ୍ଷ ରଣଜୀ ମୁକାବିଲାରେ ଓଡ଼ିଶା ପରାଜୟ ମୁହଁରେ ପହଞ୍ଚିଯାଇଛି। ଉଭୟ ବୋଲିଂ ଓ ବ୍ୟାଟିଂରେ ଅସ୍ଥିର ପ୍ରଦର୍ଶନ କାରଣରୁ ଘରୋଇ ଦଳ ଏହି ମ୍ୟାଚ୍‌ରୁ ଖାଲି ହାତରେ ଫେରିବା ଏକ ପ୍ରକାର ନିଶ୍ଚିତ ହୋଇଛି। ଓଡ଼ିଶା ସମ୍ମୁଖରେ ୪୧୩ ରନ୍‌ର ବିଜୟ ଲକ୍ଷ୍ୟ ରହିଛି। ଜବାବରେ ତୃତୀୟ ଦିବସ ଖେଳ ସୁଦ୍ଧା ଘରୋଇ ଦଳ ୯୩ ରନ୍‌ରେ ୪ ଓ୍ଵିକେଟ୍‌ ହରାଇ ବସିଛି। ଶନିବାର ବିଜୟ ପାଇଁ ମୁମ୍ବାଇକୁ ୬ ଓ୍ଵିକେଟ୍‌ ଏବଂ ଓଡ଼ିଶାକୁ ଆଉ ୩୨୦ ରନ୍‌ ଆବଶ୍ୟକ ହେଉଛି।

ଶୁକ୍ରବାର ସକାଳେ ୨୦୨ ରନ୍‌ ଆଗୁଆ ଥାଇ ୫୮/୩ରୁ ଖେଳିଥିବା ଅତିଥି ଦଳ ମୁମ୍ବାଇ ହଠାତ୍‌ ୮୫/୬ରେ ସଂଘର୍ଷ କରିଥିଲା। ରାତି ଜଗୁଆଳି ଧଓ୍ଵଲ କୁଲକର୍ଣ୍ଣି (୧୪) ଏବଂ କୋଲ୍‌କାତା ନାଇଟ୍‌ ରାଇଡର୍ସର ଆଇପିଏଲ୍‌ ତାରକା ସୂର୍ଯ୍ୟ କୁମାର ଯାଦବ (୧୮)ଙ୍କୁ ସୂର୍ଯ୍ୟକାନ୍ତ ପ୍ରଧାନ ପ୍ୟାଭିଲିଅନ୍‌ ଫେରାଇ ଦେଇଥିଲେ। ଅଧିନାୟକ ଆଦିତ୍ୟ ତାରେ (୧)ଙ୍କୁ ବିପ୍ଳବ ସାମନ୍ତରାୟ ଆଉଟ୍‌ କରି ଅତିଥିଙ୍କୁ ଅଡ଼ୁଆରେ ପକାଇଥିଲେ। ଏହି ସମୟରେ କିନ୍ତୁ ଏକତ୍ର ହୋଇଥିବା ଯୁବ ତାରକା ସିଦ୍ଧେଶ ଲାଡ୍‌ ଏବଂ ଅଲରାଉଣ୍ଡ୍‌ର ଅଭିଷେକ ନାୟାର ମୁମ୍ବାଇ ବିପଦକୁ ଟାଳି ଦେଇଥିଲେ। ମଧ୍ୟାହ୍ନ ଭୋଜନ ବିରତିର କିଛି ସମୟ ପୂର୍ବରୁ ଅଭିଷେକ (୧୪)ଙ୍କୁ ଲେଗ୍‌ ବିଫୋର୍‌ କରାଇ ସୂର୍ଯ୍ୟକାନ୍ତ ନିଜର ତୃତୀୟ ଓ୍ଵିକେଟ୍‌ ଦଖଲ କରିଥିଲେ। ଏହା ପରେ ଆକାଶ ପାର୍କର (୨୧, ୬୦ ବଲ୍‌, ୨ ଚୌକା) ଏବଂ ସାର୍ଦୁଲ୍‌ ଠାକୁର (୩୨*,୨୭ ବଲ୍‌, ୩ ଚୌକା, ୨ ଛକା)ଙ୍କୁ ସାଥୀ କରି ୨୫ ବର୍ଷୀୟ ସିଦ୍ଧେଶ ଦଳକୁ ସୁରକ୍ଷିତ ସ୍ଥିତିରେ ପହଞ୍ଚାଇଥିଲେ। ବସନ୍ତ ମହାନ୍ତିଙ୍କୁ ମିଡ୍‌ ଅନ୍‌ ଅଞ୍ଚଳକୁ ଖେଳି ଏକ ରନ୍‌ ସଂଗ୍ରହ ସହ ସିଦ୍ଧେଶ ନିଜର ୩୫ତମ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରେ ପଞ୍ଚମ ଶତକ ହାସଲ କରିଥିଲେ। ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ଗୋଟିଏ ଓଭରରୁ ସାର୍ଦୁଲ୍‌ (୪,୪,୬,୧) ଏବଂ ସିଦ୍ଧେଶ (୪,୧) ୨୦ ରନ୍‌ ଆଦାୟ କରିବା ଘଟଣାବହୁଳ ଥିଲା। ସିଦ୍ଧେଶ (୧୧୭, ୧୫୩ ବଲ୍‌, ୧୬ ଚୌକା, ୧ ଛକା) କିନ୍ତୁ ବିପ୍ଳବ ସାମନ୍ତରାୟଙ୍କୁ ଲେଉଟାଣୀ କ୍ୟାଚ୍‌ ଦେଇ ଆଉଟ୍‌ ହୋଇଥିଲେ। ଚା’ପାନ ବିରତି ପୂର୍ବରୁ ମୁମ୍ବାଇ ୨୬୮/୯ରେ ପାଳି ଘୋଷଣା କରି ଦେଇଥିଲା। ଓଡ଼ିଶା ପାଇଁ ସୂର୍ଯ୍ୟକାନ୍ତ ୩ ଓ୍ଵିକେଟ୍‌ ଏବଂ ବସନ୍ତ ମହାନ୍ତି-ବିପ୍ଳବ ସାମନ୍ତରାୟ ୨-୨ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ।

ଓଡ଼ିଶା ପାଇଁ ରନ୍‌ର ପାହାଡ଼ ଭଳି ଥିବା ୪୧୩ ଲକ୍ଷ୍ୟକୁ ପଶ୍ଚାତ୍‌ଧାବନ କରିବାକୁ ଆସିଥିଲେ ନିଜ ନିଜ ଫର୍ମକୁ ନେଇ ସଂଘର୍ଷରତ ପୂର୍ବତନ ଅଧିନାୟକ ନଟରାଜ ବେହେରା ଓ ଯୁବ ତାରକା ସନ୍ଦୀପ ପଟ୍ଟନାୟକ। ଯୁବ ବାମହାତୀ ସ୍ପିନର ବିଜୟ ଗୋହିଲଙ୍କ ପ୍ରଥମ ବଲ୍‌ରେ ଓ୍ଵିକେଟ୍‌ ରକ୍ଷକ ତଥା ଅଧିନାୟକ ଆଦିତ୍ୟ ତାରେଙ୍କୁ କ୍ୟାଚ୍‌ ଦେଇ ସନ୍ଦୀପ ଲଗାତାର ପାଳିରେ ବିଫଳ ହୋଇଥିଲେ। ଅଧିନାୟକ ଗୋବିନ୍ଦ ପୋଦ୍ଦାର ଆଗମନରେ କିଛି ଦର୍ଶନୀୟ ସଟ୍‌ ଖେଳି ପ୍ରଶଂସକଙ୍କ ମନ ଜିଣିବା ସହିତ ଓଡ଼ିଶା ଶିବିରରେ ଆଶା ସଞ୍ଚାର କରିଥିଲେ। ନଟରାଜଙ୍କ ସହ ଯୋଗ ଦେବା ପରେ ଏହି ରାଉରକେଲା ଯୋଡ଼ି ଦ୍ୱିତୀୟ ଓ୍ଵିକେଟ୍‌ ପାଇଁ ୪୭ ରନ୍‌ ଉଠାଇଥିଲେ। କିନ୍ତୁ ଧଓ୍ଵଲ୍‌ କୁଲକର୍ଣିଙ୍କ ଏକ ତଳୁଆ ବଲ୍‌ରେ ବୋଲ୍‌ଡ ହୋଇ ନଟରାଜ (୨୧, ୫୧ ବଲ୍‌, ୩ ଚୌକା) ନିଜ ଖେଳ ଜୀବନକୁ ସଙ୍କଟରେ ପକାଇ ଦେଇଥିଲେ। ଯୁବ ଖେଳାଳି ଶୁଭ୍ରାଂଶୁ ସେନାପତି (୧୩) ଏବଂ ରାତି ଜଗୁଆଳି ଦୀପକ ବେହେରା (୦)ଙ୍କୁ ଲଗାତାର ବଲ୍‌ରେ ଆଉଟ୍‌ କରି ମଧ୍ୟମଗତି ବୋଲର ଆକାଶ ପାର୍କର ହ୍ୟାଟ୍ରିକ୍‌ ସୁଯୋଗ ସୃଷ୍ଟି କରିଥିଲେ। କିନ୍ତୁ ପ୍ରଥମ ପଦାର୍ପଣରେ ପ୍ରଶଂସନୀୟ ପ୍ରଦର୍ଶନ କରିଥିବା ଶାନ୍ତନୁ ମିଶ୍ର ପାର୍କରଙ୍କୁ ମିଡ୍‌ ଓ୍ଵିକେଟ୍‌ ସୀମାରେଖା ଦେଇ ଚୌକା ମାରି ହ୍ୟାଟ୍ରିକ୍‌ ଏଡ଼ାଇଥିଲେ। ତୃତୀୟ ଦିନ ଖେଳ ଶେଷ ବେଳକୁ ଅଧିନାୟକ ଗୋବିନ୍ଦ ପୋଦ୍ଦାର (୪୮*, ୬୬ ବଲ୍‌, ୮ ଚୌକା) ଏବଂ ଶାନ୍ତନୁ ମିଶ୍ର (୪*, ୧୫ ବଲ୍‌, ୨ ଚୌକା) ବ୍ୟାଟିଂ କରୁଥିଲେ। ଓଡ଼ିଶା ଦ୍ୱିତୀୟ ପାଳିରେ ଦୁଇ ଅନ୍ତର୍ଜାତୀୟ ତାରକା ଧବଲ କୁଲକର୍ଣ୍ଣି ଓ ସାର୍ଦୁଲ ଠାକୁରଙ୍କୁ ଯଥାକ୍ରମେ ଗୋବିନ୍ଦ ପୋଦ୍ଦାର ଓ ନଟରାଜ ବେହେରା ଲଗାତାର ଚୌକା ମାରି ଚାପ ହଟାଇବାକୁ ଚେଷ୍ଟା କରିିଥିଲେ ମଧ୍ୟ ଓ୍ଵିକେଟ୍‌ ପତନ ଜାରି ରହିବାରୁ ବିପଦ ମାଡ଼ି ଆସିଛି।

ସମ୍ବନ୍ଧିତ ଖବର