ରଣଜୀ ଟ୍ରଫିରେ ଓଡ଼ିଶାକୁ ପ୍ରଥମ ବିଜୟ, ରାଜେଶଙ୍କ ଶ୍ରେଷ୍ଠ ପ୍ରଦର୍ଶନ

ଅଳ୍ପକେ ବୋନସ୍‌ ପଏଣ୍ଟ୍‌ ହାତଛଡ଼ା

କଟକ: ମଧ୍ୟମଗତି ବୋଲର ରାଜେଶ ମହାନ୍ତିଙ୍କ ଶ୍ରେଷ୍ଠ ପ୍ରଦର୍ଶନ (୫/୩୧, ୬/୫୫) ବଳରେ ଓଡ଼ିଶା ଚଳିତ ଋତୁର ରଣଜୀ ଟ୍ରଫିରେ ପ୍ରଥମ ବିଜୟ ସ୍ବାଦ ଚାଖିଛି। ଗୌହାଟୀଠାରେ ଖେଳାଯାଇଥିବା ତୃତୀୟ ମ୍ୟାଚ୍‌ରେ ଓଡ଼ିଶା ୯ ଵିକେଟରେ ଘରୋଇ ଆସାମକୁ ପରାସ୍ତ କରିଛି। ପ୍ରଥମ ପାଳିରେ ୫ ଵିକେଟ୍‌ ନେଇ ଚର୍ଚ୍ଚାରେ ରହିଥିବା ଯୁବ ଦ୍ରୁତ ବୋଲର ରାଜେଶ, ଦ୍ବିତୀୟ ପାଳିରେ ମଧ୍ୟ ୬ ଵିକେଟ୍‌ ନେଇ ତୃତୀୟ ଦିନରେ ହିଁ ଖେଳ ଶେଷ କରିଦେଇଥିଲେ। ଘରୋଇ ଦଳ ଦ୍ବିତୀୟ ପାଳିରେ ୧୩୨ ରନ୍‌ କରିଥିଲା ବେଳେ ଓଡ଼ିଶା ସମ୍ମୁଖରେ ୧୪ ରନ୍‌ର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଅନୁରାଗଙ୍କ ଵିକେଟ୍‌ ବିନିମୟରେ ଓଡ଼ିଶା ଚତୁର୍ଥ ଓଭରରେ ମ୍ୟାଚ୍‌ ଜିତିଯାଇଥିଲା। ହେଲେ ଖାମଖିଆଲି ବ୍ୟାଟିଂ ଯୋଗୁଁ ଓଡ଼ିଶା ଅଳ୍ପକେ ବୋନସ୍‌ ପଏଣ୍ଟ୍‌ ପାଇବାରୁ ବଞ୍ଚିତ ହେଲା। ୧୦ ୱିକେଟ୍‌ରେ ମ୍ୟାଚ୍‌ ଜିତିଥିଲେ ଓଡ଼ିଶା ବୋନସ୍‌ ସହ ୭ ପଏଣ୍ଟ୍‌ ପାଇଥାନ୍ତା। ମାତ୍ର ୧୪ ରନ୍‌ର ପିଛାରେ ଗୋଟିଏ ୱିକେଟ୍‌ ହରାଇ ଦେବାରୁ ୬ ପଏଣ୍ଟ୍‌ରେ ରହିବାକୁ ବାଧ୍ୟ ହେଲା। ପୂରା ମ୍ୟାଚ୍‌ରେ ୮୬ ରନ୍‌ରେ ମୋଟ ୧୧ ୱିକେଟ୍‌ ଦଖଲ କରିଥିବା ରାଜେଶ ମହାନ୍ତି ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ବ୍ୟାଟି˚ ପାଇଁ ସ˚ଘର୍ଷ କରୁଥିବା ଆସାମ ଦ୍ବିତୀୟ ଦିନର ପ୍ରଥମ ଓଭରରେ ହିଁ ପ୍ରଥମ ଝଟ୍‌କା ପାଇଥିଲା। ପୂର୍ବ ଦିନରୁ ୩ ଵିକେଟ ନେଇସାରିଥିବା ରାଜେଶ ଆରମ୍ଭରୁ ଅମିତ ସିହ୍ନାଙ୍କୁ ଆଉଟ କରିଥିଲେ। ଏହାପରଠୁ ପାଖାପାଖି ୧୨ ଓଭର ପର୍ଯ୍ୟନ୍ତ ଶିବଶଙ୍କର ରଏ ଓ ରୋମାରିଓ ଶର୍ମା ଓଡ଼ିଶା ବୋଲରଙ୍କୁ ନିରାଶ କରିଥିଲେ। ଯଦିଓ ରନ୍‌ ହାରରେ ସେତେଟା ବୃଦ୍ଧି ହେଉନଥିଲା, ତଥାପି ଵିକେଟ୍‌ ପାଇବାରେ ସବୁ ବୋଲର ବିଫଳ ହୋଇଥିଲେ। ତଥାପି ୩୬ତମ ଓଭରରେ ବସନ୍ତଙ୍କ ଆଉଟ ସୁଇ˚ ରୋମାରିଓ (୭)ଙ୍କ ବ୍ୟାଟ୍‌ର ଏଜ୍‌ ନେଇ ବିପ୍ଲବଙ୍କ ହାତରେ ଧରାପଡ଼ିଯାଇଥିଲା। ଏହି ଯୋଡ଼ି ଭାଙ୍ଗିବା ପରେ ନିୟମିତ ଭାବେ ପୁଣି ଵିକେଟ୍‌ ଝଡ଼ିବା ଆରମ୍ଭ ହୋଇଥିଲା। ଅରୁପ ଦାସ (୫) ରନ୍‌ଆଉଟ ହେବା ପରେ ର˚ଜିତ ମାଳିଙ୍କୁ ସାଥୀ କରି ଶିବଶଙ୍କରଙ୍କ ଦଳକୁ ୧୦୦ ରନ୍‌ ପାର କରାଇଥିଲେ। ଉଭୟ ଅଷ୍ଟମ ଵିକେଟ୍‌ରେ ମୂଳ୍ୟବାନ ୩୫ ରନ୍‌ ଯୋଡ଼ିଥିଲେ। ରାଜେଶ ଏହି ଯୋଡ଼ିକୁ ଭାଙ୍ଗିବା ସହ ଦ୍ବିତୀୟ ପାଳିରେ ମଧ୍ୟ ୫ ଵିକେଟ୍‌ ସଫଳତା ପାଇଥିଲେ। ଅର୍ଧଶତକ କରି ବ୍ୟାଟି˚ କରୁଥିବା ଶିବଶଙ୍କର (୫୬) ଶେଷରେ ଧର୍ଯ୍ୟ ହରାଇ ଦେବବ୍ରତ ପ୍ରଧାନଙ୍କ ବଲ୍‌ରେ ନିଜ ଵିକେଟ ହରାଇଥିଲେ। ରାହୁଲ ସି˚ହଙ୍କୁ ଖାତା ଖୋଲିବା ପୂର୍ବରୁ ରାଜେଶ ଆଉଟ୍‌ କରି ଷଷ୍ଠ ସଫଳତା ପାଇଥିଲେ। ୧୪ ରନ୍‌ର ସହଜ ବିଜୟ ଲକ୍ଷ୍ୟ ନେଇ ବ୍ୟାଟି˚କୁ ଓହ୍ଲାଇଥିବା ଓଡ଼ିଶା ତୃତୀୟ ଓଭରରେ ଅନୁରାଗଙ୍କୁ ହରାଇଥିଲା। ଅନୁରାଗ ୫ ରନ୍‌ କରି ମୁକ୍ତାର ହୁସେନଙ୍କ ଦ୍ବାରା ଆଉଟ ହୋଇଥିଲେ ବି ସେତେବେଳକୁ ଓଡ଼ିଶା ବିଜୟ ଦ୍ବାରରେ ପହଞ୍ଚିସାରିଥିଲା। ଖେଳଶେଷ ହେବା ବେଳକୁ ଗୋବିନ୍ଦ ପୋଦ୍ଦାର ଅପରାଜିତ ୯ ଓ ରାଜେଶ ଧୂପର କୌଣସି ରନ୍‌ ନକରି ଅପରାଜିତ ଥିଲେ।

ସ˚କ୍ଷିପ୍ତ ସ୍କୋର: ଆସାମ ପ୍ରଥମ ପାଳି ୧୨୧/୧୦। ଓଡ଼ିଶା ପ୍ରଥମ ପାଳି ୨୪୦। ଆସାମ ଦ୍ବିତୀୟ ପାଳି ୧୩୨ (୫୦ ଓଭର), ଶିବଶଙ୍କର ରାଏ ୫୬, ରାଜେଶ ମହାନ୍ତି ୬/୫୫, ଦେବବ୍ରତ ପ୍ରଧାନ ୨/୩୫, ବସନ୍ତ ମହାନ୍ତି ୧/୨୪। ଓଡ଼ିଶା ଦ୍ବିତୀୟ ପାଳି ୧୬/୧ (୩.୩ ଓଭର), ଅନୁରାଗ ଷଡ଼ଙ୍ଗୀ ୫, ଗୋବିନ୍ଦ ପୋଦ୍ଦାର ୯*।

ଋତୁର ପ୍ରଥମ ବିଜୟରେ ଖେଳାଳିଙ୍କୁ ଉର୍ଜା ମିଳିଛି: ବିପ୍ଲବ
କଟକ: ରଣଜୀ ଟ୍ରଫିରେ ଆସାମକୁ ନିଜ ଘରେ ହରାଇବା ବହୁତ ବଡ଼ ସଫଳତା। ତଥାପି ବୋନସ ପଏଣ୍ଟ ହରାଇବା ସାମାନ୍ୟ ନିରାଶ କରିଛି। ଯାହା ବି ହେଉ, ଋତୁର ପ୍ରଥମ ବିଜୟ ମିଳିଥିବାରୁ ସବୁ ଖେଳାଳିମାନେ ପୁଣି ଥରେ ଉର୍ଜା ଫେରି ପାଇଛନ୍ତି। ଏହାପରେ ତ୍ରିପୁରା ବିପକ୍ଷରେ ଡ୍ରିମ୍ସରେ ପରବର୍ତ୍ତୀ ମ୍ୟାଚ ହେବ। ସେଠାରେ ଯେତେ ଅଧିକ ପଏଣ୍ଟ କବ୍‌ଜା କରିପାରିବୁ, ତାହା ଆମର ଫୋକସ୍‌ ରହିବ ବୋଲି ଅଧିନାୟକ ବିପ୍ଲବ ସାମନ୍ତରାୟ କହିଛନ୍ତି। ମ୍ୟାଚରେ ଖେଳାଳିମାନଙ୍କ ପ୍ରଦର୍ଶନକୁ ବିପ୍ଲବ ପ୍ରଶ˚ସା କରିଥିଲାବେଳେ ବୋଲରମାନେ ମ୍ୟାଚ ଜିତାଇବାରେ ଅଧିକ ଯୋଗଦାନ କରିଥିଲେ। ବିଶେଷକରି ରାଜେଶ ମହାନ୍ତି ପଦାର୍ପଣ ଋତୁରେ ଯେଉଁଭଳି ଭାବେ ପ୍ରତିଭାର ପରିଚୟ ଦେଇଛନ୍ତି, ଏଥିରୁ ତାଙ୍କର ଉଜ୍ବଳ ଭବିଷ୍ୟତ ଅନୁମାନ କରାଯାଇପାରେ। ବର୍ତ୍ତମାନ ବସନ୍ତ ଭାଇଙ୍କୁ ପାଖରେ ପାଇ ତାଙ୍କଠୁ ଅନେକ କିଛି ଶିଖୁଛନ୍ତି। ଦେବବ୍ରତ ମଧ୍ୟ ଆବଶ୍ୟକ ସମୟରେ ଵିକେଟ ବାହାରକରିପାରିଥିବାରୁ ଦଳକୁ ମ୍ୟାଚରେ ଜିତିବା ସହଜ ହୋଇଥିଲା ବୋଲି ବିପ୍ଲବ ପ୍ରତିକ୍ରିୟା ଦେଇଛନ୍ତି।

ସମ୍ବନ୍ଧିତ ଖବର