ରଣଜୀ ଟ୍ରଫି: ଲଢ଼ିକି ହାରିଲା ଓଡ଼ିଶା

ମୁମ୍ବାଇ ୧୨୦ ରନ୍‌ରେ ବିଜୟୀ, ପୃଥ୍ଵୀ ଶ୍ରେଷ୍ଠ ଖେଳାଳି

ଭୁବନେଶ୍ୱର: କିଟ୍‌ରେ ୪୧ଥର ରଣଜୀ ବିଜେତା ମୁମ୍ବାଇ ତା’ର ଅସଲ କାଟ୍‌ତି ଦେଖାଇଛି। ଦ୍ୱିତୀୟ ପାଳିରେ ଅପେକ୍ଷାକୃତ ଲଢ଼ୁଆ ବ୍ୟାଟିଂ କରିଥିଲେ ମଧ୍ୟ କିଟ୍‌ କ୍ରିକେଟ୍‌ ପଡ଼ିଆରେ ଶନିବାର ଶେଷ ହୋଇଥିବା ମୁମ୍ବାଇ ବିପକ୍ଷ ରଣଜୀ ଟ୍ରଫି ମ୍ୟାଚ୍‌କୁ ଓଡ଼ିଶା ବଞ୍ଚାଇ ପାରିନାହିଁ। ଦ୍ୱିତୀୟ ପାଳିରେ ଅଧିନାୟକ ଗୋବିନ୍ଦ ପୋଦ୍ଦାର (୮୭) ଓ ପଦାର୍ପଣକାରୀ ଶାନ୍ତନୁ ମିଶ୍ର (୪୯)ଙ୍କ ସହ ଓଡ଼ିଶା ଲାଞ୍ଜ ମୁମ୍ବାଇ ବୋଲରଙ୍କୁ ଟାଣୁଆ ଟକ୍କର ଦେବା ସତ୍ତ୍ୱେ ୧୨୦ ରନ୍‌ରେ ପରାଜିତ ହୋଇଛି।

ବୋଲରଙ୍କ ନିୟନ୍ତ୍ରଣରେ ଥିବା ଏହି ମାଚ୍‌ରେ ଓଡ଼ିଶା ଶେଷ ଦିନରେ ମ୍ୟାଚ୍‌ର ସବୁଠାରୁ ବଡ଼ ପାଳି ଖେଳିଲା। ହେଲେ ୮୫ ରନ୍‌ରେ ୬ ଓ୍ଵିକେଟ୍‌ ନେବା ପରେ ମଧ୍ୟ ମୁମ୍ବାଇକୁ ଦ୍ୱିତୀୟ ପାଳିରେ ୨୬୮ ରନ୍‌ କରିବାର ସୁଯୋଗ ଦେବା ପୋଦ୍ଦାରଙ୍କ ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ସିଦ୍ଦେଶ ଲାଡଙ୍କ ଶତକୀୟ ପାଳି ବି ଓଡ଼ିଶା ଉପରେ ଭାରି ପଡ଼ିଥିଲା। ତାଙ୍କ ଶତକ ବଳରେ ଶେଷ ୪ ଓ୍ଵିକେଟ୍‌ରେ ୧୮୩ ରନ୍‌ ଯୋଡ଼ି ମୁମ୍ବାଇ ୪୧୩ ରନ୍‌ର କଷ୍ଟକର ବିଜୟ ଲକ୍ଷ୍ୟ ଦେଲା। ଏହାର ଜବାବରେ ତୃତୀୟ ଦିନରେ ମାତ୍ର ୯୩ ରନ୍‌ରେ ୪ ଓ୍ଵିକେଟ୍‌ ହରାଇବା ପରେ ଓଡ଼ିଶା ପାଇଁ ପରାଜୟ ଟାଳିବା ଅସମ୍ଭବ ହୋଇ ଯାଇଥିଲା। ଚତୁର୍ଥ ଦିନରେ କିନ୍ତୁ ଓଡ଼ିଆ ଖେଳଳିମାନେ ସହଜରେ ହାର ମାନି ନଥିଲେ। ଲଢ଼ୁଆ ବ୍ୟାଟିଂ କରି ପାଖାପାଖି ଚା’ ପାନ ବିରତି ପର୍ଯ୍ୟନ୍ତ ମ୍ୟାଚ୍‌କୁ ଟାଣି ନେଇଥିଲେ। ଅଧିନାୟକ ପୋଦ୍ଦାର ଦୁର୍ଭାଗ୍ୟଜନକ ଭାବେ ଆଉଟ୍‌ ହେବା ଏବଂ ପୂର୍ବତନ ଅଧିନାୟକ ବିପ୍ଳବ ସାମନ୍ତରାୟ କ୍ଲିନ୍‌ ବୋଲ୍ଡ ହେବା ମ୍ୟାଚ୍‌ର ମୋଡ଼ ବଦଳାଇବା ଭଳି କ୍ଷଣ ଥିଲା। ସେହିଭଳି ଶାନ୍ତନୁ ୪୯ ରନ୍‌ରେ ଆଉଟ ହୋଇଯିବା ମଧ୍ୟ ମୁମ୍ବାଇର ବିଜୟ ପଥକୁ ପ୍ରଶସ୍ତ କରି ଦେଇଥିଲା। ଉଭୟ ଦଳ ପାଇଁ ମହତ୍ୱପୂର୍ଣ୍ଣ ଥିବା ଏହି ମ୍ୟାଚ୍‌ରେ ମୁମ୍ବାଇ ପ୍ରଥମ ପାଳିରେ ୨୮୯ ରନ୍‌ କରିଥିଲା। ଓଡ଼ିଶା ଏହାର ଜବାବରେ ଘୋର ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୧୪୫ ରନ୍‌ କରି ପାରିଥିଲା। ଦ୍ୱିତୀୟ ପାଳିରେ ମୁମ୍ବାଇ ୨୬୮ ରନ୍‌ କରିବା ପରେ ଓଡ଼ିଶା ସମ୍ମୁଖରେ ୪୧୩ ରନର ବିଶାଳ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ହେଲେ ଓଡ଼ିଶା ୨୯୨ ରନ୍‌ରେ ଅଟକି ଯାଇଥିଲା। ପ୍ରଥମ ପାଳିରେ ଜାଜ୍ଜୁଲ୍ୟମାନ ଶତକ ସହ ଦ୍ୱିତୀୟ ପାଳିରେ ଦ୍ରୁତ ୪୬ ରନ୍‌ କରିଥିବା ମୁମ୍ବାଇର ୧୭ ବର୍ଷୀୟ ତାରକା ପୃଥ୍ଵୀ ସ’ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ପ୍ରଥମ ଦୁଇ ମ୍ୟାଚ୍‌ରେ ଆଶାଜନକ ପ୍ରଦର୍ଶନ କରି ପାରି ନଥିବା ମୁମ୍ବାଇ ଚଳିତ ଋତୁର ପ୍ରଥମ ବିଜୟ ପାଇ ଆଶ୍ୱସ୍ତ ହୋଇଥିଲା। ଅନ୍ୟ ପକ୍ଷରେ ତ୍ରିପୁରା ମ୍ୟାଚ୍‌ ବର୍ଷାରେ ଧୋଇଯିବା ପରେ ଆନ୍ଧ୍ର ବିପକ୍ଷ ଦ୍ୱିତୀୟ ମୁକାବିଲାକୁ କଷ୍ଟେମଷ୍ଟେ ଅମୀମାଂସିତ ରଖିଥିବା ଓଡ଼ିଶା ପ୍ରଥମ ପରାଜୟ ବରଣ କଲା। ଉଭୟ ତ୍ରିପୁରା ଏବଂ ଆନ୍ଧ୍ରଠାରୁ ୧ ପଏଣ୍ଟ ଲେଖାଏଁ ପାଇ ମୋଟ ୨ ପଏଣ୍ଟ ସହ ଓଡ଼ିଶା ଏବେ ଗ୍ରୁପ୍‌ -ସି’ର ସବା ଶେଷ ସ୍ଥାନକୁ ଖସିଗଲା। ଅନ୍ୟ ପକ୍ଷରେ ଓଡ଼ିଶା ମ୍ୟାଚ୍‌ରୁ ୬ ପଏଣ୍ଟ ଅର୍ଜନ କରି ମୁମ୍ବାଇ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଗଲା। ଲିଗ୍‌ ପର୍ଯ୍ୟାୟର ପ୍ରଥମାର୍ଧର ଶେଷ ଅର୍ଥାତ୍‌ ପ୍ରଥମ ତିନିଟି ମ୍ୟାଚ୍‌ ପରେ ଓଡ଼ିଶା ବିଜୟ ଶୂନ୍ୟ ରହିଛି। ସେଥିପାଇଁ ଆସନ୍ତା ୯ ତାରିଖରୁ ଡ୍ରିମ୍ସ ପଡ଼ିଆରେ ଖେଳା ଯିବାକୁ ଥିବା ତାମିଲନାଡୁ ବିପକ୍ଷ ମ୍ୟାଚ୍‌ ରାଜ୍ୟ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଛି।

ବିଜୟ ଲକ୍ଷ୍ୟଠାରୁ ୩୨୦ ରନ୍‌ ପଛରେ ଥାଇ ଓଡ଼ିଶା ଶନିବାରର ଖେଳ ଆରମ୍ଭ କରିଥିଲା। ବୋଲରଙ୍କୁ ସହଯୋଗ କରୁଥିବା ଚତୁର୍ଥ ଦିନର ପିଚ୍‌ରେ ବିଜୟ ଅସମ୍ଭବ ମନେ ହେଉଥିବାରୁ ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ୍‌ ପୋଦ୍ଦାର ଏବଂ ଶାନ୍ତନୁ ରକ୍ଷଣାତ୍ମକ କ୍ରିକେଟ୍‌ ଖେଳିଥିଲେ। ଉଭୟ ୨୧.୩ ଓଭର ପର୍ଯ୍ୟନ୍ତ ମୁମ୍ବାଇ ବୋଲରଙ୍କୁ ଅଟକାଇ ପାରିଥିଲେ। ମୁମ୍ବାଇର ଅଭିଜ୍ଞ ଅଲରାଉଣ୍ଡର ଅଭିଷେକ ନାୟର ପୋଦ୍ଦାରଙ୍କୁ ବୋଲ୍ଡ କରି ମୁମ୍ବାଇ ବିଜୟ ପାଇଁ ବାଟ ଖୋଲି ଦେଇଥିଲେ। ଅଫ୍‌ ଷ୍ଟମ୍ପ ବାହାରେ ଥିବା ଏକ ସର୍ଟପିଚ୍‌ ବଲ୍‌କୁ ଅନୁସରଣ କରି ପୋଦ୍ଦାର ନିଜ ଓ୍ଵିକେଟ୍‌ ହରାଇଥିଲେ। ତ୍ରୁଟିପୂର୍ଣ୍ଣ ପାଦ ଚାଳନା ପାଇଁ ବଲ୍‌ ତାଙ୍କ ବ୍ୟାଟ୍‌ରେ ବାଜି ଷ୍ଟମ୍ପ ଭିତରକୁ ପଶି ଯାଇଥିଲା। ସେ ପ୍ଲେଡ୍‌ ଅନ୍‌ ହେବା ପରେ ନାୟରଙ୍କ ସହ ମୁମ୍ବାଇ ଦଳର ସବୁ ସଦସ୍ୟ ଖୁସିରେ ଆତ୍ମହରା ହୋଇ ଯାଇଥିଲେ। ଏହା ପରେ ବିପ୍ଳବଙ୍କ ସହ ମିଶି ଶାନ୍ତନୁ ପାଳିକୁ ଆଗେଇ ଥିଲେ। ହେଲେ ୮ଟି ଆକର୍ଷଣୀୟ ଚୌକା ସହ ନିଜ ପ୍ରଥମ ପ୍ରଥମ ଶ୍ରେଣୀ ଅର୍ଧଶତକଠାରୁ ମାତ୍ର ୧ ରନ୍‌ ଦୂରରେ ଥିଲା ବେଳେ ପୁଣି ଥରେ ତାଙ୍କ ଏକାଗ୍ରତା ହରାଇ ବସିଥିଲେ। ଏକ ଦୁର୍ବଳ ସଟ୍‌ ଖେଳି ଆକାଶ ପାର୍କରଙ୍କୁ ସେ ନିଜ ଓ୍ଵିକେଟ୍‌ ଉପହାର ଦେଇଥିଲେ। ବଲ୍‌ ତାଙ୍କ ବ୍ୟାଟ୍‌ରେ ବାଜି ମୁମ୍ବାଇ ଓ୍ଵିକେଟ୍‌ ରକ୍ଷକ ତଥା ଅଧିନାୟକ ଆଦିତ୍ୟ ତାରେଙ୍କ ଜୋତାରେ ଲାଗିଥିଲା। ପ୍ରତିଫଳିତ ବଲ୍‌କୁ ସ୍ଲିପ୍‌ରେ ଥିବା ସୂର୍ଯ୍ୟ କୁମାର ଯାଦବ ସୁନ୍ଦର ଭାବେ ଧରି ନେଇ ଶାନ୍ତନୁଙ୍କ ପାଳିରେ ପୂର୍ଣ୍ଣଛେଦ ଟାଣି ଦେଇଥିଲେ। ଗତକାଲିର ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ ପାଭିଲିୟନ ଫେରିଲା ପରେ ବିପ୍ଳବଙ୍କ ଉପରେ ସମସ୍ତଙ୍କ ନଜର ଥିଲା। ତାଙ୍କୁ ଏକ ଇନସୁଇଙ୍ଗରରେ ବୋଲ୍ଟ କରି ନାୟର ପୁଣି ଥରେ ମୁମ୍ବାଇକୁ ବଡ଼ ସଫଳତା ଦେବା ସହ ସେହିଠାରେ ଓଡ଼ିଶା ପରାଜୟ ପକ୍କା ହୋଇ ଯାଇଥିଲା। ଓ୍ଵିକେଟ୍‌ ରକ୍ଷକ ସୌରଭ ରାଓ୍ଵତ (୨୯) ଢେର କିଛି ସମୟ କ୍ରିଜରେ କଟାଇଥିଲେ। ଭଲ ଆରମ୍ଭ ପାଇଥିଲେ ବି ସେ ଏହାକୁ ବଡ଼ ସ୍କୋରରେ ରୂପାନ୍ତର କରି ପାରି ନଥିଲେ। ସୂର୍ଯ୍ୟକାନ୍ତ ପ୍ରଧାନ ନବମ ସ୍ଥାନରେ ପଡ଼ିଆକୁ ଆସି ତିନିଟି ବିଶାଳ ଛକା ମାରିବା ସହ ଖେଳରେ କିଛି ସମୟ ପାଇଁ ରୋମାଞ୍ଚ ଭରି ଦେଇଥିଲେ। ବିଜୟ ଗୋହିଲଙ୍କ ଗୋଟିଏ ଓଭରରେ ଦୁଇଟି ଛକା ମାରିଥିବା ସୂର୍ଯ୍ୟକାନ୍ତ ଧବଲ କୁଲକର୍ଣ୍ଣିଙ୍କୁ ମିଡ୍‌ ଓ୍ଵିକେଟ୍‌ ଉପରେ ଛକା ମାରି ଦର୍ଶକଙ୍କର ପୂରା ମନୋରଞ୍ଜନ କରିଥିଲେ। ହେଲେ ଉଭୟ ସୌରଭ ଓ ସୂର୍ଯ୍ୟକାନ୍ତ ଧବଲ କୁଲକର୍ଣ୍ଣିଙ୍କ ଶିକାର ହୋଇଥିଲେ। ଅନ୍ତର୍ଜାତୀୟ ତାରକା ସାର୍ଦୁଲ ଠାକୁର ବସନ୍ତ ମହାନ୍ତି (୧୦)ଙ୍କୁ ପାର୍କରଙ୍କ ହାତରେ କ୍ୟାଚ୍‌ କରାଇ ମୁମ୍ବାଇ ବିଜୟରେ ମୁଣ୍ଡି ମାରିଥିଲେ।

ଲାଡ୍‌ଙ୍କ ଶତକ ମୋଡ଼ ବଦଳାଇ ଦେଲା: ପୋଦ୍ଦାର

 

ମୁମ୍ବାଇଠାରୁ ପରାଜିତ ହେବା ଓଡ଼ିଶା ଅଧିନାୟକ ଗୋବିନ୍ଦ ପୋଦ୍ଦାରଙ୍କୁ ନିରାଶ କରିଛି। ତା’ସହିତ ମ୍ୟାଚ୍‌ରୁ ମିଳିଥିବା ସକାରାତ୍ମକ ଦିଗକୁ ନେଇ ବି ସେ ଉତ୍ସାହିତ ଅଛନ୍ତି। ମୁମ୍ବାଇକୁ କଡ଼ା ଟକ୍କର ଦେଇଥିବାରୁ ତାମିଲନାଡୁ ବିପକ୍ଷ ଚତୁର୍ଥ ମ୍ୟାଚ୍‌କୁ ନେଇ ପୋଦ୍ଦାର ବେଶ୍‌ ଆଶାବାଦୀ ଅଛନ୍ତି। ଏଥିନେଇ ମ୍ୟାଚ୍‌ ପରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ ଯେ ଦ୍ୱିତୀୟ ପାଳିରେ ସିଦ୍ଦେଶ ଲାଡ୍‌ ଭଲ ଖେଳିଲେ। ମୁମ୍ବାଇର ଶେଷ ଭାଗ ଖେଳାଳିଙ୍କୁ ନେଇ ସେ ମାରିଥିବା ଶତକରେ ଆମେ ଘାଇଲା ହୋଇଗଲୁ। କେବଳ ଗୋଟିଏ କ୍ୟାଚ୍‌ ଛଡ଼ା ଆମ କ୍ଷେତ୍ରରକ୍ଷଣ ଓ କ୍ୟାଚ୍‌ ଧରିବା ଉଚ୍ଚକୋଟୀର ଥିଲା। ମୁଁ ବିଜୟ ପାଇଁ ଯିବାକୁ ଚାହୁଁଥିଲି। ହେଲେ ତୃତୀୟ ଦିନରେ ଅଯଥାରେ ଚାରିଟି ଓ୍ଵିକେଟ୍‌ ହରାଇବା ସବୁ କିଛି ବଦଳାଇ ଦେଲା। ତଥାପି ଆମେ ଅନେକ କିଛି ସକାରାତ୍ମକ ଫଳ ପାଇଛୁ। କିଛି ଖେଳାଳି ବହୁତ ଭଲ କରିଛନ୍ତି। ଆଉ କିଛି କରି ନାହାନ୍ତି। ସେମାନଙ୍କୁ ପ୍ରଶିକ୍ଷକ ଉତ୍ସାହିତ କରୁଛନ୍ତି। ଏବେବି ଆମ ପାଇଁ କ୍ୱାର୍ଟରକୁ ଯିବାର ସୁଯୋଗ ରହିଛି। ଆମକୁ ଅଧିକ ଅଭ୍ୟାସ ସୁଯୋଗ ମିଳି ନଥିଲା। ଅଭ୍ୟାସ ନ ମିଳିଲେ ଦଳରେ ସମନ୍ଵୟ ଏବଂ ସନ୍ତୁଳନ ରକ୍ଷା କରିବା ଅତି କଷ୍ଟକର ହୋଇଯାଏ। ହେଲେ ଏହି ସ୍ତରକୁ ଆସି କୌଣସି ଆଳ କରିବା ଠିକ୍‌ ହେବନି। ଓଡ଼ିଶା ଧିରେ ଧିରେ ଉନ୍ନତି କରୁଛି। ଦଳର ଲଢ଼ୁଆ ଖେଳ ମୋତେ ଆତ୍ମସନ୍ତୋଷ ଦେଇଛି। ସଂପ୍ରତି ଆମେ ପରସ୍ପରର ଦକ୍ଷତା ଓ ଦୁର୍ବଳତାକୁ ବୁଝି ପାରୁଛୁ। ବର୍ଷକ ଭିତରେ ନାଟକୀୟ ପରିବର୍ତନ ଆସିବ ବୋଲି ଆଶା ରହିଛି। ଅଭିଜ୍ଞ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ନଟରାଜ ବେହେରା ଲଗାତାର ବିଫଳ ହୋଇ ଚାଲିଥିଲେ ମଧ୍ୟ ବର୍ଷକ ବ୍ୟବଧାନ ପରେ ଦଳକୁ ଫେରିଥିବାରୁ ତାଙ୍କୁ ଆମକୁ ତାଙ୍କୁ ଆଉ କିଛି ସମୟ ଏବଂ ସମର୍ଥନ ଦେବାକୁ ପଡ଼ିବ ବୋଲି ପୋଦ୍ଦାର ମତ ରଖିଥିଲେ। ପ୍ରଥମ ତିନି ମ୍ୟାଚ୍‌ରେ ବିଜୟ ମିଳି ନଥିଲେ ମଧ୍ୟ ତାମିଲନାଡୁ ମ୍ୟାଚ୍‌ରେ ଦଳରେ ବଡ଼ ଧରଣର ପରିବର୍ତନ ହେବ ନାହିଁ ବୋଲି ସେ ସଂକେତ ଦେଇଥିଲେ।

୬ ପଏଣ୍ଟ ପାଇଥିବାରୁ ଖୁସି ଲାଗୁଛି: ତାରେ

ପ୍ରତୀକ୍ଷିତ ବିଜୟ ସହ ମହତ୍ୱପୂର୍ଣ୍ଣ ୬ ପଏଣ୍ଟ ପାଇଥିବାରୁ ବହୁତ ଖୁସି ଲାଗୁଛି। ମ୍ୟାଚ୍‌ରେ ୨୦ ଓ୍ଵିକେଟ୍‌ ବାହାର କରିବା ସବୁବେଳେ କଷ୍ଟକର ହୋଇଥାଏ। ଆମ ବୋଲର ଏହା କରି ଦେଖାଇଲେ। ଓଡ଼ିଶା ବି ବହୁତ ଭଲ ଖେଳିଲା। ପ୍ରଥମ ପାଳିରେ ବିନା ରନ୍‌ରେ ୩ ଓ୍ଵିକେଟ୍‌ ହରାଇବା ସତ୍ତ୍ୱେ ସେମାନେ ଏକ ସମ୍ମାନଜନକ ସ୍କୋର କରି ନେଇଥିଲେ। ସାର୍ଦୁଲ ଠାକୁର ଏବଂ ଧଓ୍ଵଲ କୁଲକର୍ଣ୍ଣି ଫେରିବା ପରେ ଆମ ବୋଲିଂ ଅଧିକ ଶକ୍ତିଶାଳୀ ହୋଇ ପାରିଛି। ଆମ ଯୋଜନାଠାରୁ କିଛି ଅଧିକ ଓଭର ବୋଲିଂ କରିଥିବାରୁ ଖୁସି ଲାଗୁଛି। ବାରମ୍ବାର ବଲ୍‌ ବଦଳାଇବା ନିଷ୍ପତ୍ତି ବୋଲର ଏବଂ ଅମ୍ପାୟାରଙ୍କର ଥିଲା। ଏଥିରେ ମୋର କୌଣସି ହାତ ନଥିଲା ବୋଲି ମୁମ୍ବାଇ ଅଧିନାୟକ ଆଦିତ୍ୟ ତାରେ କହିଥିଲେ। ବରୋଦା ବିପକ୍ଷ ପରବର୍ତୀ ମ୍ୟାଚ୍‌ ମୁମ୍ବାଇର ୫୦୦ତମ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ହୋଇଥିଲେ ମଧ୍ୟ ସେହି ମ୍ୟାଚ୍‌ କଥା ଏବେ ଭାବୁ ନଥିବା ତାରେ ଏହି ଅବସରରେ ସ୍ପଷ୍ଟ କରି ଦେଇଥିଲେ।

 

 

ସମ୍ବନ୍ଧିତ ଖବର