ରଣଜୀ ଟ୍ରଫି: ରୋମାଞ୍ଚକ ସ୍ଥିତିରେ ଓଡ଼ିଶା-ହରିଆଣା ମ୍ୟାଚ୍‌

ସୂର୍ଯ୍ୟକାନ୍ତଙ୍କୁ ପ୍ରଥମ ୧୦ ଵିକେଟ୍‌ ସଫଳତା ଓଡ଼ିଶାକୁ ଆବଶ୍ୟକ ୩୨ ରନ୍‌, ହରିଆଣାକୁ ୩ ଵିକେଟ୍‌

କଟକ: ଲାହଲିରେ ଓଡ଼ିଶା ଓ ହରିଆଣା ମଧ୍ୟରେ ଚାଲିଥିବା ରଣଜୀ ମ୍ୟାଚ୍‌ ଏବେ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିଛି। ପାଳି ଅଗ୍ରଣୀ ପାଇଥିବା ଓଡ଼ିଶାକୁ ମ୍ୟାଚ୍‌ ଜିତିବାକୁ ହେଲେ ଶେଷ ଦିନରେ ଆଉ ୩୨ ରନ୍‌ ଆବଶ୍ୟକ ହେଉଛି। ଅନ୍ୟପକ୍ଷରେ ଘରୋଇ ଦଳ ବିଜୟୀ ହେବାକୁ ଆଉ ୩ ଵିକେ୍‌ଟ ଅପେକ୍ଷାରେ ରହିଛି। ଏଭଳି ସ୍ଥିତିରେ ମଙ୍ଗଳବାର ପ୍ରଥମ ଘଣ୍ଟାକ ମ୍ୟାଚ୍‌ ସବୁଠୁ ଗୁରୁତ୍ବପୂର୍ଣ୍ଣ ରହିବ। କୁହୁଡ଼ି ପଡ଼ୁଥିବାରୁ ପିଚ୍‌ ଉପରେ କାକରର ପ୍ରଭାବ ରହିବ। ତେଣୁ ଏହି ସମୟରେ ବ୍ୟାଟି˚ କରିବା କଠିନ ହୋଇଯିବ। ପିଚ୍‌ରେ ରାଜେଶ ଧୂପର ଏକମାତ୍ର ବିଶେଷଜ୍ଞ ବ୍ୟାଟ୍ସମ୍ୟାନ୍‌ ଭାବେ ଅପରାଜିତ ଅଛନ୍ତି। ତାଙ୍କୁ ସହଯୋଗ କରିବା ପାଇଁ ରାଜେଶ ମହାନ୍ତି, ବସନ୍ତ ମହାନ୍ତି ଓ ପପୁ ରାଏଙ୍କ ଉପରେ ସମସ୍ତେ ନିର୍ଭର କରିବେ। ହେଲେ ହରିଆଣାର ମଧ୍ୟମଗତି ବୋଲର ଅଜିତ ଚହଲ ସୋମବାର ୬ ଵିକେଟ୍‌ ନେଇ ଯେଉଁ ବିପର୍ଯ୍ୟୟ କରିଛନ୍ତି, ତାହାକୁ ନଜର ଆଡେ଼ଇବା ଠିକ୍‌ ହେବନି। ଚହଲଙ୍କୁ ସାମ୍ନା କରିବାକୁ ହେଲେ ଓଡ଼ିଶା ଖେଳାଳିମାନଙ୍କୁ ପ୍ରଥମ ଘଣ୍ଟାକୁ ପାର‌୍‌ କରିବାକୁ ପଡ଼ିବ।

ସୋମବାର ପୁଣି ଥରେ ସୂର୍ଯ୍ୟକାନ୍ତ ପ୍ରଧାନ ଓଡ଼ିଶା ପାଇଁ ମ୍ୟାଚ୍‌ ବାହାର କରାଇଥିଲେ। ରବିବାର ୨ ଵିକେଟ୍‌ ନେଇଥିବା ସୂର୍ଯ୍ୟ, ସୋମବାର ଆଉ ୩ ଵିକେଟ୍‌ ଅକ୍ତିଆର ସହ ଗୋଟିଏ ମ୍ୟାଚ୍‌ରେ ୧୦ ଵିକେଟ୍‌ ସଫଳତା ପାଇଛନ୍ତି। ପ୍ରଥମ ପାଳିରେ ସେ ୩୬ ରନ୍‌ ବିନିମୟରେ ୬ ଵିକେଟ୍‌ ଖସାଇଥିଲେ। ୨୧୮/୫ରୁ ହରିଆଣା ତୃତୀୟ ଦିନର ଖେଳ ଆରମ୍ଭ କରିଥିଲେ ମଧ୍ୟ ବଡ଼ ରନ୍‌ ସ˚ଗ୍ରହ ହୋଇପାରିନଥିଲା। ଦିନର ପ୍ରଥମ ଓଭରରେ ପ୍ରମୋଦ ଚାଣ୍ଡିଲାଙ୍କୁ ୩୧ ରନ୍‌ରେ ଓ ୪ ଓଭର ପରେ ହର୍ଷଲ ପଟେଲଙ୍କୁ ୩୫ ରନ୍‌ରେ ସୂର୍ଯ୍ୟକାନ୍ତ ଆଉଟ୍‌ କରିବା ପରେ ନିମ୍ନକ୍ରମ ଖେଳାଳିମାନେ ଅଧିକ ସମୟ ପର୍ଯ୍ୟନ୍ତ ତିଷ୍ଠି ପାରିନଥିଲେ। ଟିନୁ କୁଣ୍ଡୁ (୨)ଙ୍କୁ ଆଉଟ କରି ସୂର୍ଯ୍ୟ ଦ୍ବିତୀୟ ପାଳିର ୫ ଵିକେଟ୍‌ ପୂରଣ କରିଥିଲେ। ଘରୋଇ ଦଳ ୨୪୮ ରନ୍‌ରେ ସମସ୍ତ ଵିକେଟ୍‌ ହରାଇବା ପରେ ଓଡ଼ିଶା ସମ୍ମୁଖରେ ୧୭୯ ରନ୍‌ର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା।

ଆଉ ଏକ ବିଜୟ ସୁଯୋଗ ରହିଥିବାରୁ ଏଥର ବ୍ୟାଟି˚କ୍ରମରେ ପରିବର୍ତ୍ତନ କରାଯାଇଥିଲା। ଶାନ୍ତନୁଙ୍କ ସହ ସୁଜିତ ଲେଙ୍କା ପାଳି ଆରମ୍ଭ କରିଥିଲେ। ଉଭୟ ଭଲ ଖେଳୁଥିଲେ ବି ଅଜିତ ଚହଲଙ୍କ ବଲ୍‌ରେ ଫସିଯାଇଥିଲେ। ୧୩ତମ ଓଭରରେ ସୁଜିତ (୨୮) ଓ ୧୭ତମ ଓଭରରେ ଶାନ୍ତନୁ (୧୯) ଆଉଟ୍‌ ହେବା ପରେ ଦେବାଶିଷ ସାମନ୍ତରାୟ (୪), ଶୁଭ୍ରା˚ଶୁ ସେନାପତି (୬), ବିପ୍ଲବ ସାମନ୍ତରାୟ (୭) ଶସ୍ତାରେ ନିଜ ଵିକେଟ୍‌ ହରାଇଥିଲେ। ମଧ୍ୟକ୍ରମରେ ଗୋବିନ୍ଦ ପୋଦ୍ଦାର ଓ ରାଜେଶ ଧୂପର ଷଷ୍ଠ ଵିକେଟ୍‌ରେ ୪୬ ରନ୍‌ ଯୋଡ଼ିଥିଲେ। କିନ୍ତୁ ୩୦ ରନ୍‌ କରିଥିଲା ବେଳେ ଗୋବିନ୍ଦଙ୍କୁ ଆଉଟ୍‌ କରି ଚହଲ ୫ ଵିକେଟ୍‌ ପୂରଣ କରିଥିଲେ। ତାଙ୍କ ସ୍ଥାନରେ ଆସିଥିବା ସୂର୍ଯ୍ୟ ଦ୍ରୁତ ଭାବେ ରନ୍‌ ସ˚ଗ୍ରହ କରିବାକୁ ଯାଇ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୨ ରନ୍‌ରେ ଆଉଟ୍‌ ହୋଇଥିଲେ। ଦିନର ଷ୍ଟମ୍ସ ଅପସାରଣ ବେଳକୁ ଓଡ଼ିଶା ୭ ଵିକେଟ୍‌ ବିନିମୟରେ ୧୪୭ ରନ୍‌ ସ˚ଗ୍ରହ କରିଛି। ଧୂପର ୨୯* ଓ ରାଜେଶ ୪* ରନ୍‌ରେ ଅପରାଜିତ ଅଛନ୍ତି।

ସ˚କ୍ଷିପ୍ତ ସ୍କୋର: ହରିଆଣା ପ୍ରଥମ ପାଳି : ୯୦ (ଶୁଭମ ରୋହିଲା ୨୦, ସୂର୍ଯ୍ୟକାନ୍ତ ପ୍ରଧାନ ୬/୩୬), ଓଡ଼ିଶା ପ୍ରଥମ ପାଳି: ୧୬୦ (ବିପ୍ଲବ ସାମନ୍ତରାୟ ୫୨, ଟିନୁ କୁଣ୍ତୁ ୫/୨୫), ହରିଆଣା ଦ୍ବିତୀୟ ପାଳି : ୮୬.୧ ଓଭରରେ ୨୪୮ (ଶୁଭମ୍‌ ରୋହିଲା ୪୮, ଅଙ୍କିତ କୁମାର ୪୬, ହିମା˚ଶୁ ରଣା ୪୦, ହର୍ଷଲ ପଟେଲ ୩୫, ସୂର୍ଯ୍ୟକାନ୍ତ ପ୍ରଧାନ ୫/୮୬), ଓଡ଼ିଶା ଦ୍ବିତୀୟ ପାଳି: ୫୦ ଓଭରରେ ୧୪୭/୭ (ଗୋବିନ୍ଦ ପୋଦ୍ଦାର ୩୦, ରାଜେଶ ଧୂପର ୨୯*, ସୁଜିତ ଲେଙ୍କା ୨୮, ଅଜିତ ଚହଲ ୬/୬୫)।

ସମ୍ବନ୍ଧିତ ଖବର