ଭୁବନେଶ୍ବର: ତ୍ରିପୁରା ବିପକ୍ଷରେ ଗୋଟିଏ ବି ବଲ୍‌ ଖେଳିପାରି ନଥିବା ଓଡ଼ିଶା ସୁବିଧାରେ ୧ ପଏଣ୍ଟ ପାଇ ଖାତା ଖୋଲିଥିଲା। ଶୁକ୍ରବାରଠୁ ବାରବାଟୀ ଷ୍ଟାଡିୟମ୍‌ରେ ଜମ୍ମୁ କାଶ୍ମୀର ବିପକ୍ଷରେ ଅସଲ ପରୀକ୍ଷାର ସମ୍ମୁଖୀନ ହେବ ଗୋବିନ୍ଦ ପୋଦ୍ଦାରଙ୍କ ଦଳ। ଯୁବ ଓ ଅଭିଜ୍ଞ ଖେଳାଳିଙ୍କୁ ନେଇ ଗଠିତ ଓଡ଼ିଶା ଦଳ ରଣଜୀ ଋତୁ ଆରମ୍ଭ ପୂର୍ବରୁ ବାରବାଟୀ ଷ୍ଟାଡିୟମ୍‌ ସହିତ ଖୋର୍ଦ୍ଧାର ରେଳବାଇ ଷ୍ଟାଡିୟମ୍‌ରେ ଅଭ୍ୟାସ କରି ଭିନ୍ନ ଭିନ୍ନ ପିଚ୍‌ରେ ଖେଳିବାର ଅଭିଜ୍ଞତା ପାଇଛି। ଏହାବାଦ୍‌ ଆମନ୍ତ୍ରଣୀୟ ପ୍ରତିଯୋଗିତାରେ ମଧ୍ୟ ଯୁବ ଖେଳାଳିମାନେ ସେମାନଙ୍କ ଦକ୍ଷତାକୁ ମାପିଛନ୍ତି। ତେବେ ଘରୋଇ ପଡ଼ିଆରେ ଶୁଭ୍ରାଂଶୁ‌ ‌ସେନାପତିଙ୍କ ବିନା ଖେଳିବାକୁ ଯାଉଥିବା ଓଡ଼ିଶା କେତେ ସକ୍ଷମ ତାହା ଏହି ମ୍ୟାଚ୍‌ରୁ ଜଣାପଡ଼ିବ। 

Advertisment

ଅନ୍ୟପଟେ ଜମ୍ମୁ କାଶ୍ମୀର ବାରବାଟୀକୁ ଉଚ୍ଚ ମନୋବଳ ନେଇ ଆସିଛି। ପ୍ରଥମ ମ୍ୟାଚ୍‌ରେ ଶକ୍ତିଶାଳୀ ମହାରାଷ୍ଟ୍ର ସହିତ ଅମୀମାଂସିତ ମ୍ୟାଚ୍‌ରୁ ୩ ପଏଣ୍ଟ ହାତେଇଥିଲା ଜମ୍ମୁ କାଶ୍ମୀର। ବିଶେଷକରି ପ୍ରାରମ୍ଭିକ ବ୍ୟାଟର୍‌ ଶୁଭମ୍‌ ଖଜୁରିଆଙ୍କ ଦ୍ବିଶତକ (୨୫୫), ଶିବାଂଶ ଶର୍ମାଙ୍କ ଶତକ (୧୦୬*) ସହିତ ଦ୍ରୁତ ବୋଲର ଆକ୍ବିବ୍‌ ନବି (୩୫.୩-୮-୧୦୦-୫), ରସିକ ସଲାମ (୨୮-୩-୮୨-୨) ଙ୍କ ଶୃଙ୍ଖଳିତ ବୋଲିଂ ଏହି ମ୍ୟାଚ୍‌ର ଆକର୍ଷଣ ଥିଲା। ବାରବାଟୀ ପିଚ୍‌ରେ ପ୍ରଥମ ମ୍ୟାଚ୍‌ ପାଇଁ ଘାସ ରଖାଯାଇଥିବାରୁ ଦ୍ରୁତ ବୋଲରଙ୍କୁ ଭଲ ସୁହାଇବ। ଘରୋଇ ଦ୍ରୁତ ବୋଲର ସୂର୍ଯ୍ୟକାନ୍ତ ପ୍ରଧାନ, ଦେବବ୍ରତ ପ୍ରଧାନ, ସୁନୀଲ ରାଉଳଙ୍କ ପାଇଁ ଏହା ବହୁତ ଭଲ ସଙ୍କେତ ହୋଇଥିଲା ବେଳେ ଯଦି ଜମ୍ମୁକୁ ବୋଲିଂ ସୁଯୋଗ ମିଳିଯାଏ ତାହେଲେ ଆକିବ୍‌ ଓ ରସିକ୍‌ଙ୍କ ବିରୋଧରେ ବ୍ୟାଟର୍‌ଙ୍କୁ ସତର୍କ ହୋଇ ଖେଳିବାକୁ ପଡ଼ିବ। ପ୍ରଥମ ଦିନ ପରେ ପିଚ୍‌ରୁ ସେତେଟା ଫାଇଦା ମିଳିବା ସମ୍ଭାବନା ନଥିବାରୁ ଅନ୍ୟ ସମୟଗୁଡ଼ିକରେ ବୋଲରମାନଙ୍କୁ ଆହ୍ବାନର ସମ୍ମୁଖୀନ ହେବାକୁ ପଡ଼ିପାରେ। 

ପୂର୍ବରୁ ଜମ୍ମୁ କାଶ୍ମୀରକୁ ଓଡ଼ିଶା ତୁଳନାରେ ଅପେକ୍ଷାକୃତ ଦୁର୍ବଳ ଦଳ ଭାବେ ବିବେଚନା କରାଯାଉଥିଲା। କିନ୍ତୁ ଗତ କିଛି ବର୍ଷ ହେବ ବଡ଼ ଦଳକୁ ଜମ୍ମୁ କାଶ୍ମୀର ଭଲ ଟକ୍କର ଦେଇଆସିଛି। ପ୍ରଥମ ଥର ମୁହାଁମୁହିଁରେ ରଶ୍ମିରଂଜନ ପରିଡ଼ା (୨୨୦)ଙ୍କ ଦ୍ବିଶତକ ଏହି ଷ୍ଟାଡିୟମ୍‌ରେ ଚର୍ଚ୍ଚିତ ଥିଲା ବେଳେ ତୃତୀୟ ମୁକାବିଲାରେ ଆନ୍ତର୍ଜାତିକ କ୍ରିକେଟର୍‌ ଶିବସୁନ୍ଦର ଦାସ ପ୍ରଥମ ଓଡ଼ିଆ ଖେଳାଳି ଭାବେ ତ୍ରିଶତକ (୩୦୦) ବାରବାଟୀ ଷ୍ଟାଡିୟମ୍‌ରେ ମାରିଥିଲେ। ପ୍ରଥମ ୪ ମୁକାବିଲା ଭିତରେ ଓଡ଼ିଶା ଏକତରଫା ଆଧିପତ୍ୟ ବିସ୍ତାର କରିଥିଲା। ତେବେ ଶେ‌ଷ ଦୁଇ ମୁକାବିଲାରେ ବାଜି ଓଲଟିଯାଇଛି। କଟକ ଡ୍ରିମ୍ସ ପଡ଼ିଆରେ ଏହି ଦୁଇ ଦଳ ଖେଳିଥିବା ଶେଷ ଦୁଇଟି ମ୍ୟାଚ୍‌ରେ ଭ୍ରମଣକାରୀ ଦଳ ଯଥାକ୍ରମେ ୪ ୱିକେଟ୍‌ ଓ ୨ ୱିକେଟ୍‌ରେ ବାଜି ମାରିନେଇଛି। ଏଥର ଉମ୍ରାନ୍‌ ମଲ୍ଲିକଙ୍କ ବିନା ଜମ୍ମୁ କାଶ୍ମୀର ଖେଳିବାକୁ ଆସିଛି। ଏଥି ସହିତ ବାରବାଟୀକୁ ମ୍ୟାଚ୍‌ ଫେରିଥିବାରୁ ଓଡ଼ିଶାକୁ ପ୍ରତିଶୋଧ ନେବା ପାଇଁ ଭଲ ସୁଯୋଗ ରହିଛି। 

ଓଡ଼ିଶା ଦଳ: ଗୋବିନ୍ଦ ପୋଦ୍ଦାର (ଅଧିନାୟକ), ବିପ୍ଲବ ସାମନ୍ତରାୟ, ସୂର୍ଯ୍ୟକାନ୍ତ ପ୍ରଧାନ, ଅନୀଲ ପରିଡ଼ା, କାର୍ତ୍ତିକ ବିଶ୍ବାଳ, ରାଜେଶ ଧୂପର, ସନ୍ଦୀପ ପଟ୍ଟନାୟକ, ଦେବବ୍ରତ ପ୍ରଧାନ, ରାଜେଶ ମହାନ୍ତି, ହର୍ଷିତ ରାଠୋଡ଼, ସୁନୀଲ ରାଉଳ, ସ୍ବସ୍ତିକ ସାମଲ, ଅନୁରାଗ ଷଡ଼ଙ୍ଗୀ, ଶାନ୍ତନୁ ମିଶ୍ର, ସୁମିତ ଶର୍ମା, ଆଶୀର୍ବାଦ ସ୍ବାଇଁ, ତରଣୀ ସା’।

ଜମ୍ମୁ କାଶ୍ମୀର ଦଳ: ପାରସ୍‌ ଡୋଗ୍ରା (ଅଧିନାୟକ), ଶୁଭମ୍‌ ଖଜୁରିଆ, ଅବଦୁଲ ସମାଦ, ଅଭିନବ ପୁରୀ, ଶୁଭମ୍‌ ପୁନ୍ଦିର, ଅବିଦ୍‌ ମୁସ୍ତାକ, ବିଭ୍ରାନ୍ତ ଶର୍ମା, ରସିକ ସଲାମ, ରୋହିତ ଶର୍ମା (କନିଷ୍ଠ), ଉମ୍ରାନ ମଲ୍ଲିକ, ଯୁଦ୍ଧବୀର ସିଂହ, ଆକ୍ବିବ୍‌ ନବି, ଅହମଦ ବନ୍ଦେ, ସାହିଲ ଲୋଟରା, ଶିବାଂଶ ଶର୍ମା।