ରଣଜୀ ଟ୍ରଫି: ଜମ୍ମୁ ୧୨୭, ଓଡ଼ିଶା ୯୧/୧

ପାଳି ଅଗ୍ରଣୀ ଦ୍ବାରରେ ଓଡ଼ିଶା

କଟକ: ଜମ୍ମୁର ସରକାରୀ ଗାନ୍ଧୀ ସ୍ମାରକୀ ମହାବିଦ୍ୟାଳୟ ପଡ଼ିଆରେ ଶନିବାରଠୁ ଆରମ୍ଭ ହୋଇଛି ଜମ୍ମୁ କଶ୍ମୀର ଏବଂ ଓଡ଼ିଶା ରଣଜୀ ମୁକାବିଲା। ପ୍ରଥମ ଦିବସରେ ଓଡ଼ିଶା ବୋଲରଙ୍କ ଆଧିପତ୍ୟ ଦେଖିବାକୁ ମିଳିଛି। ଯାହା ଫଳରେ ପ୍ରଥମ ଦିବସରେ ମୋଟ ୮୭.୩ ଓଭର ଖେଳ ହୋଇ ୧୧ ୱିକେଟ୍‌ ଝଡ଼ିଯାଇଛି। ସେଥିରୁ ଦମ୍‌ଦାର ବୋଲିଂ କରି ଓଡ଼ିଶା ବୋଲରମାନେ ଘରୋଇ ଦଳର ପ୍ରଥମ ପାଳିକୁ ୧୨୭ ରନ୍‌ରେ ସଫା କରିଦେବା ପରେ ଭ୍ରମଣକାରୀ ଦଳ ଗୋଟିଏ ୱିକେଟ୍‌ ବିନିମୟରେ ୯୧ ରନ୍‌ କରି ଦୃଢ ସ୍ଥିତି ପାଇଯାଇଛି। ଅନୁରାଗ ଷଡ଼ଙ୍ଗୀ (୫୬) ଅର୍ଧଶତକ ଓ ଦେବାଶିଷ ସାମନ୍ତରାୟ ୨୦ ରନ୍‌ କରି ଅପରାଜିତ ଥିଲାବେଳେ ଶାନ୍ତନୁ ମିଶ୍ର ମାତ୍ର (୫) ଇର୍ଫାନ୍‌ ପଠାନଙ୍କ ଦ୍ବାରା ବୋଲ୍ଡ ହୋଇଥିଲେ। ପ୍ରଥମ ପାଳିରେ ଅଗ୍ରଣୀ ପାଇବାକୁ ଓଡ଼ିଶା ଏବେ ବି ୩୬ ରନ୍‌ ଦୂରରେ ରହିଥିଲା ବେଳେ ହାତରେ ୯ ୱିକେଟ୍‌ ମହଜୁଦ୍‌ ରହିଛି। ଏହି ମ୍ୟାଚ୍‌ ପାଇଁ ଓଡ଼ିଶା ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଥିଲା। ଆହତ ଯୋଗୁଁ ରାଜେଶ ମହାନ୍ତିଙ୍କୁ ବିଶ୍ରାମ ଦିଆଯାଇଥିଲା ବେଳେ ର˚ଜିତ ସି˚ହଙ୍କୁ ମଧ୍ୟ ପୁଣି ଥରେ ଚୂଡ଼ାନ୍ତ ଏକାଦଶରୁ ବାହାରେ ରଖାଯାଇଛି। ଏମାନଙ୍କ ସ୍ଥାନରେ ଅନୁରାଗ ଷଡ଼ଙ୍ଗୀ ଓ ଗୋବିନ୍ଦ ପୋଦ୍ଦାର ପୁଣି ଥରେ ଦଳକୁ ଫେରିଛନ୍ତି।

ଟସ୍‌ ଜିତି ଘରୋଇ ଜମ୍ମୁ ଦଳ ବ୍ୟାଟି˚ ନିଷ୍ପତ୍ତି ନେଇଥିଲା।  ହେଲେ ମ୍ୟାଚ୍‌ର ଦ୍ବିତୀୟ ତଥା ନିଜର ପ୍ରଥମ ଓଭର ପ୍ରଥମ ବଲ୍‌ରେ ହିଁ ସୂର୍ଯ୍ୟକାନ୍ତ ପ୍ରଧାନ ଓଡ଼ିଶାକୁ ପ୍ରାରମ୍ଭିକ ସଫଳତା ଦେଇଥିଲେ। ସେ କମ୍‌ରାନ ଇକ୍‌ବାଲ୍‌ଙ୍କୁ ଖାତା ଖୋଲିବାକୁ ନଦେଇ ପାଭିଲିୟନ୍‌ ପଠାଇ ଦେଇଥିଲେ। ପରବର୍ତ୍ତୀ ଓଭରରେ ବସନ୍ତ ମହାନ୍ତି ମଧ୍ୟ ଶୁଭମ୍‌ ଖଜୁରିଆଙ୍କୁ ଖାତା ଖୋଲିବାକୁ ନଦେଇ ଜମ୍ମୁ ଦଳକୁ ଝଟ୍‌କା ଦେଇଥିଲେ। ୧୨ତମ ଓଭରରେ ସୂର୍ଯ୍ୟ ହ୍ୟାଟ୍ରିକ ସୁଯୋଗ ପାଇଥିଲେ। ଏହି ଓଭରର ପ୍ରଥମ ଦୁଇ ବଲ୍‌ରେ ଇଆନ୍‌ ଚୌହାନ (୫) ଓ ଫର୍ମରେ ଥିବା ଅଧିନାୟକ ପରଭେଜ ରସୁଲ (୦)ଙ୍କୁ ଆଉଟ କରିଥିଲେ। ତେବେ ହ୍ୟାଟ୍ରିକ୍‌ ବଲ୍‌କୁ ଇର୍ଫାନ୍‌ ପଠାନ ରକ୍ଷଣାତ୍ମକ ଭାବେ ଖେଳିବାରୁ ସୂର୍ଯ୍ୟ ବଞ୍ଚିତ ହୋଇଥିଲେ। ପରକୁ ପର ନିୟମିତ ଅନ୍ତରାଳରେ ସୂର୍ଯ୍ୟ ଓ ବସନ୍ତଙ୍କ ସହ ଧୀରାଜ ସି˚ହ ଗୋଟିଏ ପରେ ଗୋଟିଏ ଶିକାର କରିଚାଲିଥିଲେ। ମଧ୍ୟକ୍ରମରେ ୱାଇସ୍‌ ଶାହ ୪୪ ରନ୍‌ର ସ˚ଘର୍ଷପୂର୍ଣ୍ଣ ପାଳି ଖେଳିଥିଲେ। ସୂର୍ଯ୍ୟକାନ୍ତ ୪, ବସନ୍ତ ମହାନ୍ତି ୩ ଓ ଧୀରାଜ ୨ ଵିକେଟ୍‌ ପାଇଥିଲେ।

ସମ୍ବନ୍ଧିତ ଖବର