କଟକ: ରଣଜୀ ଟ୍ରଫି ଏଲିଟ୍ ଗ୍ରୁପ୍ ‘ଡି’ରେ ଓଡ଼ିଶା ପୁଣି ଥରେ କ୍ରିକେଟ୍ପ୍ରେମୀଙ୍କୁ ନିରାଶ କରିଛି। ଗତ ଶୁକ୍ରବାରଠାରୁ ‘ଡ୍ରିମ୍ସ’ ଖେଳପଡ଼ିଆରେ ଚାଲିଥିବା ରଣଜୀ ମୁକାବିଲାରେ ଜମ୍ମୁ କଶ୍ମୀର ରୋମାଞ୍ଚକ ଭାବେ ୨ ୱିକେଟ୍ରେ ଓଡ଼ିଶାକୁ ହରାଇଦେଇଛି। ଏପରିକି ସନ୍ଦୀପ ପଟ୍ଟନାୟକଙ୍କ ଲଢୁଆ ଶତକ (୧୮୭ ବଲ୍ରୁ ୧୦୦*) ଏବଂ ରାଜେଶ ମହାନ୍ତିଙ୍କ ୧୦ ୱିକେଟ୍ (୫/୬୪ ଓ ୫/୬୧) ସଫଳତା ବେକାର ଯାଇଛି। ଚଳିତ ରଣଜୀ ସିଜିନ୍ରେ ଓଡ଼ିଶାର ଏହା ତୃତୀୟ ମ୍ୟାଚ୍ରୁ ଦ୍ବିତୀୟ ପରାଜୟ। ପ୍ରଥମ ମ୍ୟାଚ୍ରେ ବରୋଦାଠୁ ଏହି ଦଳ ପରାସ୍ତ ହୋଇଥିଲା। ମଧ୍ୟପ୍ରଦେଶ ବିପକ୍ଷ ଅମୀମାଂସିତ ମ୍ୟାଚ୍ରୁ ପାଳି ଅଗ୍ରଣୀ ଭିତ୍ତିରେ ଓଡ଼ିଶା ୩ ପଏଣ୍ଟ ପାଇଛି। ଓଡ଼ିଶା ପରବର୍ତ୍ତୀ ମ୍ୟାଚ୍ ୨୬ ତାରିଖରୁ ସେଇ ଡ୍ରିମ୍ସ ପଡ଼ିଆରେ ହିମାଚଳପ୍ରଦେଶ ବିପକ୍ଷରେ ଖେଳିବ।
ମ୍ୟାଚ୍ର ଶେଷ ଦିନରେ ଓଡ଼ିଶାକୁ ଜିତିବା ପାଇଁ ୬ ୱିକେଟ୍ ଆବଶ୍ୟକ ଥିବା ବେଳେ ଭ୍ରମଣକାରୀଙ୍କୁ ୭୭ ରନ୍ ଦରକାର ହେଉଥିଲା। ମଧ୍ୟକ୍ରମ ବ୍ୟାଟର ଅବଦୁଲ ସମଦ ଓଡ଼ିଶା ବୋଲରଙ୍କୁ ସାହସିକତାର ସହ ସାମ୍ନା କରି ଏକାକୀ ଗୋଟିଏ ପଟରୁ ମ୍ୟାଚ୍ ଛଡ଼ାଇ ନେଇଥିଲେ। ରାଜେଶ ମହାନ୍ତି ଓ ସୁନୀଲ ରାଉଳ (୩/୩୯)ଙ୍କୁ ଛାଡ଼ିଦେଲେ ଅନ୍ୟମାନେ ପ୍ରଭାବହୀନ ଥିଲେ। ଜମ୍ମୁ କଶ୍ମୀର ୪୩.୪ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଅବଦୁଲ ସମଦ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ୬୬* ରନ୍ କରିଥିଲେ।
ପୂର୍ବରୁ ଏହି ମ୍ୟାଚ୍ରେ ଜମ୍ମୁ-କଶ୍ମୀର ଟସ୍ ଜିତି ପ୍ରଥମେ କ୍ଷେତ୍ରରକ୍ଷଣ କରିଥିଲା। ଓଡ଼ିଶା ବିପର୍ଯ୍ୟୟର ସମ୍ମୁଖୀନ ହେବା ସହ ଗୋବିନ୍ଦ ପୋଦ୍ଦାରଙ୍କ ୫୫ ରନ୍ ସହାୟତାରେ ପ୍ରଥମ ପାଳିରେ ସମସ୍ତ ୱିକେଟ୍ ହରାଇ ୧୩୦ ରନ୍ କରିଥିଲା। ଜବାବରେ ଜମ୍ମୁ-କଶ୍ମୀର ପ୍ରଥମ ପାଳିରେ ୧୮୦ ରନ୍ କରି ୫୦ ରନ୍ର ଅଗ୍ରଣୀ ଲାଭ କରିଥିଲା। ଏହି ପାଳିରେ ରାଜେଶ ମହାନ୍ତି ୫ ୱିକେଟ୍ ସଫଳତା ପାଇଥିଲେ। ଦ୍ବିତୀୟ ପାଳିରେ ଓଡ଼ିଶା ପୁଣି ବିପର୍ଯ୍ୟୟ ଘେରରେ ପଡ଼ିଥିଲେ ମଧ୍ୟ ସନ୍ଦୀପ ପଟ୍ଟନାୟକଙ୍କ ଶତକୀୟ ପାଳି ସହାୟତାରେ ୧୯୮ ରନ୍ କରିପାରିଥିଲା। ଫଳରେ ଭ୍ରମଣକାରୀଙ୍କ ପାଇଁ ୧୪୯ରନ୍ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା।
ସଂକ୍ଷିପ୍ତ ସ୍କୋର: ଓଡ଼ିଶା ପ୍ରଥମ ପାଳି: ୧୩୦ (ଗୋବିନ୍ଦ ପୋଦ୍ଦାର-୫୫, ଶାନ୍ତନୁ ମିଶ୍ର-୨୮, ରୋହିତ ଶର୍ମା-୫/୧୨)। ଜମ୍ମୁ କଶ୍ମୀର ପ୍ରଥମ ପାଳି: ୧୮୦ (ଅାବିଦ୍ ମୁସ୍ତାକ-୫୦, ରାଜେଶ ମହାନ୍ତି-୫/୬୪, ସୁନିଲ ରାଉଳ-୩/୩୨, ପ୍ରୟାସ ସିଂହ-୧/୩୦)। ଓଡ଼ିଶା ଦ୍ବିତୀୟ ପାଳି: ୧୯୮ (ସନ୍ଦୀପ ପଟ୍ଟନାୟକ-୧୦୦*, ସୂର୍ଯ୍ୟକାନ୍ତ ପ୍ରଧାନ-୨୭, ଆକ୍ବିବ୍ ନବି-୪/୭୩, ଉମର ନଜିର ମିର୍-୩/୩୬, ରୋହିତ ଶର୍ମା-୨/୩୦, ଉମ୍ରାନ ମଲ୍ଲିକ-୧/୩୪)। ଜମ୍ମୁ କଶ୍ମୀର ଦ୍ବିତୀୟ ପାଳି: ୪୩.୪ ଓଭରରେ ୧୪୯/୮ (ଅବଦୁଲ ସମଦ-୬୬*, ଆକିବ ନବି-୨୮*, ଶୁଭମ ପୁନ୍ଦୀର-୧୮, ରାଜେଶ ମହାନ୍ତି-୫/୬୧, ସୁନିଲ ରାଉଳ-୩/୩୯)।