ରଣଜୀ ଟ୍ରଫି: ଆଜିଠୁ ଓଡ଼ିଶା-ମହାରାଷ୍ଟ୍ର ମୁକାବିଲା

ଓଡ଼ିଶା ବୋଲରଙ୍କୁ ରୋକିବାକୁ ପ୍ରସ୍ତୁତ ହୋଇଛି ବ୍ୟାଟି˚ ପିଚ୍‌

କଟକ: ପୁଣେରେ ମଙ୍ଗଳବାରଠୁ ଓଡ଼ିଶା ଓ ମହାରାଷ୍ଟ୍ର ମଧ୍ୟରେ ଅଷ୍ଟମ ପର୍ଯ୍ୟାୟ ରଣଜୀ ମ୍ୟାଚ୍‌ ଆରମ୍ଭ ହେବ। ଗ୍ରୁପ୍‌ ସି’ରେ ଉଭୟ ଦଳଙ୍କ ପ୍ରଦର୍ଶନକୁ ନଜରରେ ରଖିଲେ ଓଡ଼ିଶା ସବୁଠୁ ଶକ୍ତିଶାଳୀ ମନେ ହେଉଛି। ୭ ମ୍ୟାଚ୍‌ରୁ ୫ ବିଜୟ ଓ ୧ ପରାଜୟରୁ ଓଡ଼ିଶା ମୋଟ ୩୫ ପଏଣ୍ଟ୍‌ ପାଇ ଗ୍ରୁପ୍‌ ସି’ର ଶୀର୍ଷରେ ରହିଥିଲା ବେଳେ ମହାରାଷ୍ଟ୍ର ୩ ମ୍ୟାଚ୍‌ରେ ବିଜୟୀ ହୋଇ ୨୧ ପଏଣ୍ଟ୍‌ ସହ ଷଷ୍ଠ ସ୍ଥାନରେ ରହିଛି। ତେବେ ମହାରାଷ୍ଟ୍ର ଖେଳିଥିବା ଶେଷ ୩ ମ୍ୟାଚ୍‌ରେ ତ୍ରିପୁରା, ଆସାମ ଓ ଝାଡ଼ଖଣ୍ଡକୁ ହରାଇଥିବାରୁ ଦଳୀୟ ଖେଳାଳିଙ୍କ ମନୋବଳ ଦୃଢ଼ ରହିଛି। କିନ୍ତୁ ଓଡ଼ିଶାକୁ ହରାଇବା ଏହି ଦଳ ପାଇଁ ସେତେଟା ସହଜ ହେବନି। ଓଡ଼ିଶାର ବୋଲି˚ ବିଭାଗ ସବୁଠୁ ମଜବୁତ ଥିବାରୁ ପ୍ରତ୍ୟେକ ମ୍ୟାଚ୍‌ରେ ବୋଲରମାନେ ଦଳକୁ ଜିତାଇବାରେ ମୁଖ୍ୟ ଭୂମିକା ନେଉଛନ୍ତି। ତେଣୁ ଓଡ଼ିଶା ବୋଲରଙ୍କୁ ଅଟକାଇବା ପାଇଁ ଘରୋଇ ଦଳ ପକ୍ଷରୁ ବ୍ୟାଟି˚ ଉପଯୋଗୀ ପିଚ୍‌ ପ୍ରସ୍ତୁତ କରାଯାଇଛି। ବର୍ତ୍ତମାନସୁଦ୍ଧା ଓଡ଼ିଶା ଯେଉଁ ସ୍ଥାନରେ ପହଞ୍ଚିଛି, ନକ୍‌ଆଉଟ ପର୍ଯ୍ୟାୟରେ ସ୍ଥାନ ପକ୍କା କରିବାକୁ ହେଲେ ଦଳ ପାଇଁ ଏହି ମ୍ୟାଚ୍‌ରୁ ଅତିକମ୍‌ରେ ୩ ପଏଣ୍ଟ୍‌ ପାଇବା ଅର୍ଜନ କରିବା ଜରୁରି ହୋଇପଡ଼ିଛି।

ଓଡ଼ିଶାକୁ ବର୍ତ୍ତମାନ ସୁଦ୍ଧା ବୋଲି˚ ଉପଯୋଗୀ ପିଚ୍‌ ମିଳି ଆସୁଥିଲା, ରାଜ୍ୟ ଦଳର ବୋଲରମାନେ ଏହାର ପୂରା ଫାଇଦା ଉଠାଇ ଚାଲିଥିଲେ। ଚଳିତ ଋତୁରେ ପ୍ରଥମ ଥର ବ୍ୟାଟି˚ ପିଚ୍‌ରେ ଖେଳିବାକୁ ସୁଯୋଗ ମିଳିବ। ତେଣୁ ସ୍ଥିର ପ୍ରଦର୍ଶନ ଦେବାରେ ବିଫଳ ହୋଇଆସୁଥିବା ଶୁଭ୍ରା˚ଶୁ ସେନାପତି, ଗୋବିନ୍ଦ ପୋଦ୍ଦାର, ଅନୁରାଗ ଷଡ଼ଙ୍ଗୀଙ୍କ ପାଇଁ ଏଠାରେ ଭଲ ମୌକା ରହିଛି। ଯଦିଓ ଆସାମ ବିପକ୍ଷରେ ଖେଳିଥିବା ଶେଷ ମ୍ୟାଚ୍‌ରେ ଗୋବିନ୍ଦ (୫୮) ଓ ଅନୁରାଗ (୫୮) ଅର୍ଧଶତକ ହାସଲ କରି ଲୟକୁ ଫେରିଥିବା ସୂଚନା ଦେଇଛନ୍ତି। କିନ୍ତୁ ଅଧିନାୟକ ଶୁଭ୍ରା˚ଶୁଙ୍କ ବ୍ୟାଟ୍‌ ଏପର୍ଯ୍ୟନ୍ତ ଶାନ୍ତ ରହିଛି। ଶାନ୍ତନୁ ମିଶ୍ର ଉତ୍ତରାଖଣ୍ଡ ବିପକ୍ଷରେ ଲଢ଼ୁଆ ୧୧୦ ରନ୍‌ର ପାଳି ଖେଳିବା ପରେ ପୁଣି ଥରେ ଭଲ ପ୍ରଦର୍ଶନ ଦେଖିବାକୁ ୪ ମ୍ୟାଚ୍‌ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲା। ଵିକେଟ୍‌ରକ୍ଷକ ସୁଜିତ ଲେଙ୍କା ଓ ରାଜେଶ ଧୂପର ପାଉଥିବା ସୀମିତ ସୁଯୋଗର ଭରପୂର ଫାଇଦା ଉଠାଉଛନ୍ତି। ଦେବବ୍ରତ ପ୍ରଧାନ ଓ ଅଭିଷେକ ରାଉତ ଆବଶ୍ୟକ ସମୟରେ ଅଲରାଉଣ୍ଡର ଭୂମିକାରେ ସଫଳ ହୋଇଆସିଛନ୍ତି। ଦେବବ୍ରତ ୨ ଓ ଅଭିଷେକ ୧ ଅର୍ଧଶତକ ସହ ମ୍ୟାଚ୍‌ ବିଜୟୀ ପାଳି ଖେଳିଥିଲେ। ଶେଷ ଆଡ଼କୁ ସୂର୍ଯ୍ୟକାନ୍ତ ଲେଙ୍କା, ବସନ୍ତ ମହାନ୍ତି, ରାଜେଶ ମହାନ୍ତି ମଧ୍ୟ ଭଲ ବ୍ୟାଟି˚ କରୁଛନ୍ତି। ତେବେ ବ୍ୟାଟି˚କ୍ରମ ମଧ୍ୟରେ ସବୁଠୁ ସଫଳ ଭାବେ ବିପ୍ଲବ ସାମନ୍ତରାୟଙ୍କ ବିବେଚନା କରାଯାଇପାରିବ। ସ୍ଥିର ଭାବେ ପ୍ରଦର୍ଶନ ଦେଉଥିବା ବିପ୍ଲବ ୭ ମ୍ୟାଚ୍‌ରୁ ୩ ଅର୍ଧଶତକ ଓ ୩୪.୪୪ ରନ୍‌ ହାରରେ ୩୧୦ ରନ୍‌ ସ˚ଗ୍ରହ କଲେଣି। ତେଣୁ ପିଚ୍‌ ସ୍ଥିତିକୁ ଲକ୍ଷ୍ୟ କଲେ ଚୂଡ଼ାନ୍ତ ଦଳରେ ଜଣେ ଅତିରିକ୍ତ ବ୍ୟାଟ୍ସମ୍ୟାନଙ୍କୁ ଖେଳାଇବା ସମ୍ଭାବନା ଅଧିକ ରହିଛି।

ଅନ୍ୟପକ୍ଷରେ ଓଡ଼ିଶା ବ୍ୟାଟ୍ସମ୍ୟାନଙ୍କୁ ଯଦିଓ ବ୍ୟାଟି˚ ପିଚ୍‌ ମିଳୁଛି, କିନ୍ତୁ ମହାରାଷ୍ଟ୍ରର ବାମହାତୀ ବୋଲରଙ୍କୁ ସାମ୍ନା କରିବା ଆଉ ଏକ ଆହ୍ବାନ ରହିବ। ମଧ୍ୟମଗତି ବୋଲର ମୁକେଶ ଚୌଧୁରୀ ଓ ସ୍ପିନର ସତ୍ୟଜିତ ବଚ୍ଚାଭଙ୍କୁ ଖେଳିବା ବେଳେ ବ୍ୟାଟ୍ସମ୍ୟାନଙ୍କୁ ଅଧିକ ସତର୍କ ହେବାକୁ ପଡ଼ିବ। ମୁକେଶ ବର୍ତ୍ତମାନ ସୁଦ୍ଧା ୬ ମ୍ୟାଚ୍‌ରୁ ୨୧ ଓ ସତ୍ୟଜିତ ୭ ମ୍ୟାଚ୍‌ରୁ ୨୫ ଵିକେଟ୍‌ ନେଇ ଘାତକ ସାବ୍ୟସ୍ତ ହେଲେଣି। ଏପଟେ ଓଡ଼ିଶା ବ୍ୟାଟ୍ସମ୍ୟାନ୍‌ଙ୍କୁ ଅଭ୍ୟାସ କରିବା ପାଇଁ ପପୁ ରାଏଙ୍କୁ ଛାଡ଼ିଦେଲେ ବର୍ତ୍ତମାନ ସୁଦ୍ଧା କୌଣସି ବାମହାତୀ ବୋଲର ମିଳିପାରିନାହାନ୍ତି। ତେଣୁ ଏସବୁ ନଜରକୁ ରଖି ଓଡ଼ିଶା ଦଳ ସୋମବାର ୪ଘଣ୍ଟାରୁ ଊର୍ଧ୍ବ ସମୟ ପର୍ଯ୍ୟନ୍ତ ଅଭ୍ୟାସ କରିଛି। ସେହିପରି ମହାରାଷ୍ଟ୍ର ବ୍ୟାଟ୍ସମ୍ୟାନ‌୍‌ଙ୍କ ମଧ୍ୟରେ ଭିଶାନ୍ତ ମୋରେ (୧ ଶତକ, ୩ ଅର୍ଧଶତକ)ଙ୍କୁ ଛାଡ଼ିଦେଲେ ଅଜିମ କାଜି, ଜୟ ପାଣ୍ଡେ ଯଦିଓ ଶତକ ଅର୍ଜନ କରିଛନ୍ତି, କିନ୍ତୁ ସ୍ଥିର ପ୍ରଦର୍ଶନ ଦେଇପାରୁନାହାନ୍ତି। ଅନ୍ୟତମ ସଫଳ ଖେଳାଳି ଋତୁରାଜ ଗାଏକ୍ବାଡ (୨୮୩) ଓଡ଼ିଶା ବିପକ୍ଷରେ ଖେଳିବା ସମ୍ଭାବନା କମ୍‌ ରହିଛି। ତେଣୁ ଏସବୁକୁ ନଜରରେ ରଖିଲେ ମ୍ୟାଚ୍‌ ଓଡ଼ିଶା ସପକ୍ଷରେ ଯିବା ସମ୍ଭାବନା ଅଧିକ ରହୁଛି।

ସମ୍ବନ୍ଧିତ ଖବର