ଭୁବନେଶ୍ବର: ନୂଆଦିଲ୍ଲୀରେ ଚାଲିଥିବା ଦିଲ୍ଲୀ ବିପକ୍ଷ ରଣଜୀ ଟ୍ରଫି ମୁକାବିଲାରେ ଓଡ଼ିଶା ପ୍ରଥମ ପାଳି ଅଗ୍ରଣୀ ନେବାରେ ବିଫଳ ହୋଇଛି। ଶୁଭ୍ରାଂଶୁ ସେନାପତି ଓ ବିପ୍ଳବ ସାମନ୍ତରାୟଙ୍କ ଶତକ ବଳରେ ଓଡ଼ିଶା ୪୪୦ ରନ୍ କରିଥିଲେ ମଧ୍ୟ ବୋଲରଙ୍କ ପ୍ରଭାବହୀନ ପ୍ରଦର୍ଶନ କାରଣରୁ ପ୍ରଥମ ପାଳିରେ ମାତ୍ର ୧୧ ରନ୍ ପଛରେ ପଡ଼ିଯାଇଛି। ଫଳରେ ଶେଷ ଲିଗ୍‌ ମ୍ୟାଚ୍‌ରେ ସାନ୍ତ୍ବନାମୂଳକ ବିଜୟ କିମ୍ବା ପାଳି ଅଗ୍ରଣୀ ସମ୍ମାନ ଅର୍ଜନର ସୁଯୋଗ ହାତଛଡ଼ା ହୋଇଯାଇଛି। ତଥାପି ଓଡ଼ିଶା ବୋଲର ରବିବାରର ତୃତୀୟ ଦିନରେ ଦିଲ୍ଲୀକୁ ୪୫୧ ରନ୍‌ରେ ରୋକିପାରିଛି। ୟଶ ଧୂଲ (୧୧୨ ରନ୍‌, ୧୬୭ ବଲ୍‌) ଏବଂ ଜଣ୍ଟି ସିଦ୍ଧୁ (୧୦୫* ରନ୍‌)ଙ୍କ ଶତକ ବଳରେ ଘରୋଇ ଦଳ ସମ୍ମାନ ରଖିପାରିଛି। ଦିଲ୍ଲୀ ଦୃଢ଼ ସ୍ଥିତିରେ ଥିବାବେଳେ ପ୍ରଥମ ପଦାର୍ପଣ କରିଥିବା ବାମହାତୀ ସ୍ପିନର୍‌ ଜାମଲା ଭଞ୍ଜନ ମହାପାତ୍ର ଓ ଅଫସ୍ପିନର୍ ଗୋବିନ୍ଦ ପୋଦ୍ଦାର ଶେଷ ୫ ୱିକେଟ୍‌କୁ ୩୮ ରନ୍ ଭିତରେ ବାଣ୍ଟି ନେଇଥିଲେ। ସୋମବାର ଚତୁର୍ଥ ତଥା ଅନ୍ତିମ ଦିବସ ‌ଖେଳ ଥିବାରୁ ଏହି ମ୍ୟାଚ୍‌ ଅମୀମାଂସିତ ରହିବା ଏକ ପ୍ରକାର ନିଶ୍ଚିତ ଲାଗୁଛି।
ସଂକ୍ଷିପ୍ତ ସ୍କୋର: ଓଡ଼ିଶା ପ୍ରଥମ ପାଳି: ୪୪୦/୧୦ (ଶୁଭ୍ରାଂଶୁ ସେନାପତି-୧୧୧, ବିପ୍ଳବ ସାମନ୍ତରାୟ-୧୧୦, ଶାନ୍ତନୁ ମିଶ୍ର-୭୬, ସୁମିତ ମାଥୁର-୪/୯୭, ହିମ୍ମତ ସିଂହ ୩/୪୨)। ଦିଲ୍ଲୀ ପ୍ରଥମ ପାଳି: ୧୩୦.୩ ଓଭରରେ ୪୫୧/୧୦ (ୟଶ ଧୂଲ-୧୧୨, ଜଣ୍ଟି ସିଦ୍ଧୁ-୧୦୫*, କ୍ଷିତିଜ ଶର୍ମା-୬୪, ଜାମଲା ଭଞ୍ଜନ ମହାପାତ୍ର-୩/୬୩, ବିପ୍ଳବ ସାମନ୍ତରାୟ-୨/୩୪, ଗୋବିନ୍ଦ ପୋଦ୍ଦାର-୨/୬୬, ସୁନୀଲ ରାଉଳ-୨/୧୧୬)।