ଭୁବନେଶ୍ବର: କାନପୁରର ଗ୍ରିନ୍ ପାର୍କରେ ଚାଲିଥିବା ଉତ୍ତରପ୍ରଦେଶ ବିପକ୍ଷ ଦ୍ବିତୀୟ ରାଉଣ୍ଡ୍ ରଣଜୀ ଟ୍ରଫି ମୁକାବିଲାରେ ଓଡ଼ିଶା ତୃତୀୟ ଦିନ ସୁଦ୍ଧା ୧୩୭ ରନ୍ରେ ପାଳି ପଛୁଆ ରହିଛି। ଓଡ଼ିଶାର ପ୍ରଥମ ପାଳି ୨୪୩ ରନ୍ ଜବାବରେ ଉତ୍ତରପ୍ରଦେଶ ୬ ୱିକେଟ୍ ବିନିମୟରେ ୩୮୦ ରନ୍ ସଂଗ୍ରହ କରିଛି। ଫଳରେ ଏହି ମ୍ୟାଚ୍ ଡ୍ର’ ରହିବା ସମ୍ଭାବନା ଥିବାରୁ ଓଡ଼ିଶା ପଏଣ୍ଟ୍ ଖାତା ଖୋଲିବା ଆଶାରେ ରହିଛି।
ପ୍ରତିକୂଳ ପାଗ କାରଣରୁ ସୋମବାର ତୃତୀୟ ଦିବସରେ ମାତ୍ର ୪୨ ଓଭର ଖେଳ ସମ୍ଭବ ହୋଇଥିଲା। ଏହି ସମୟ ମଧ୍ୟରେ ଓଡ଼ିଶା ୩ ୱିକେଟ୍ ଦଖଲ କରିବାରେ ସକ୍ଷମ ହୋଇଥିଲା। ଅଧିନାୟକ କରଣ ଶର୍ମା (୧୨୧, ୨୭୬ ବଲ୍, ୧୨ ଚୌକା) ଏବଂ ଯୁବ ୱିକେଟ୍ରକ୍ଷକ ବ୍ୟାଟର୍ ଆରାଧ୍ୟ ଯାଦବ (୧୦୧, ୧୯୮ ବଲ୍, ୧୨ ଚୌକା, ୨ ଛକା) ଚତୁର୍ଥ ୱିକେଟ୍ ପାଇଁ ଦ୍ବିଶତକ ଭାଗୀଦାର (୨୨୫) ଗଢ଼ିବା ଓଡ଼ିଶାକୁ ନିରାଶ କରିଛି। କରଣ ନିଜ ଚତୁର୍ଥ ପ୍ରଥମ ଶ୍ରେଣୀ ଶତକ ହାସଲ କରିଥିବା ବେଳେ ୨୧ ବର୍ଷୀୟ ଆରାଧ୍ୟ ନିଜ ସଂକ୍ଷିପ୍ତ ଖେଳ ଜୀବନରେ ଶ୍ରେଷ୍ଠ ପାଳି ଖେଳି ତୃତୀୟ ମ୍ୟାଚ୍ ତଥା ଚତୁର୍ଥ ପାଳିରେ ପ୍ରଥମ ଶତକ ମାରିଛନ୍ତି। ପୂର୍ବରୁ ତାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ସର୍ବୋଚ୍ଚ ଥିଲା ୪୦ ରନ୍। ଆରାଧ୍ୟ ମଧ୍ୟ ରିଟାର୍ଡ ହର୍ଟ ହୋଇ ଫେରିଛନ୍ତି। କରଣଙ୍କୁ ଆଶୀର୍ବାଦ ସ୍ବାଇଁଙ୍କ ଦ୍ବାରା ଷ୍ଟମ୍ପିଂ କରାଇ ଯୁବ ଦ୍ରୁତ ବୋଲର ବାଦଲ ବିଶ୍ବାଳ ପ୍ରାଇଜ୍ ୱିକେଟ୍ ବି ପାଇଛନ୍ତି। ପ୍ରଶାନ୍ତ ବୀର (୬)ଙ୍କୁ ସନ୍ଦୀପ ପଟ୍ଟନାୟକ ରନ୍ଆଉଟ୍ କରିଥିଲେ। ଜୁନିୟର୍ ଇଣ୍ଡିଆ ଖେଳାଳି ପ୍ରିୟମ୍ ଗର୍ଗ (୩୧)ଙ୍କୁ ରାଜେଶ ଧୂପରଙ୍କ ଦ୍ବାରା ଷ୍ଟମ୍ପିଂ କରାଇ ବାମହାତୀ ସ୍ପିନର୍ ସୁମିତ ଶର୍ମା ମଧ୍ୟ ମ୍ୟାଚ୍ରେ ନିଜ ପ୍ରଥମ ୱିକେଟ୍ ଅକ୍ତିଆର କରିଥିଲେ। ମଧ୍ୟାହ୍ନ ଭୋଜନ ପରବର୍ତ୍ତୀ ପ୍ରାୟ ଘଣ୍ଟାକ ଖେଳ ପରେ ଦିନର ଅବଶିଷ୍ଟ ମ୍ୟାଚ୍କୁ ବର୍ଷା ଆଉ କରାଇ ଦେଇ ନଥିଲା।
ସଂକ୍ଷିପ୍ତ ସ୍କୋର: ଓଡ଼ିଶା ପ୍ରଥମ ପାଳି: ୭୭.୧ ଓଭରରେ ୨୪୩/୧୦ ( ଗୋବିନ୍ଦ ପୋଦ୍ଦାର-୬୪, ସମ୍ବିତ ବରାଳ-୫୯*, ସନ୍ଦୀପ ପଟ୍ଟନାୟକ-୫୩, ରାଜେଶ ମହାନ୍ତି-୪୮, ଶିବମ ଶର୍ମା-୩/୬୫, ଶିବମ ମାଭି-୨/୪୬, ପ୍ରଶାନ୍ତ ବୀର-୨/୧, ବିପ୍ରଜ ନିଗମ-୨/୩୯, କୁନାଲ ତ୍ୟାଗୀ-୧/୨୯)। ଉତ୍ତରପ୍ରଦେଶ ପ୍ରଥମ ପାଳି: ୧୨୮ ଓଭରରେ ୩୮୦/୬ (କରଣ ଶର୍ମା-୧୨୧, ଆରାଧ୍ୟ ଯାଦବ-୧୦୧, ମାଧବ କୌଶିକ-୬୭, ପ୍ରିୟମ ଗର୍ଗ-୩୧, ସମ୍ବିତ ବରାଳ-୨୦-୩-୫୨-୩, ସୁମିତ ଶର୍ମା-୨୦-୪-୭୮-୧)।
ଜାତୀୟ ଯୁବା ଟ୍ବେଣ୍ଟି-୨୦: ଓଡ଼ିଶାର ପରାଜୟ ଜାରି
ଭୁବନେଶ୍ବର: ଜାତୀୟ ୧୯ ବର୍ଷରୁ କମ୍ ମହିଳା ଟ୍ବେଣ୍ଟି-୨୦ ପ୍ରତିଯୋଗିତାରେ ଓଡ଼ିଶାର ପରାଜୟ ଜାରି ରହିଛି। ରାୟପୁରରେ ଚାଲିଥିବା ଏହି ପ୍ରତିଯୋଗିତାରେ ଓଡ଼ିଶାକୁ ୯ ୱିକେଟ୍ରେ ଉତ୍ତରପ୍ରଦେଶ ହରାଇଦେଇଛି। ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ୧୮.୨ ଓଭରରେ ୫୭ ରନ୍ରେ ଅଲ୍ଆଉଟ୍ ହୋଇଥିଲା। ଓଡ଼ିଶାର ଅନୁଷ୍କା ମହାନ୍ତି (୧୫) କେବଳ ଦୁଇଅଙ୍କ ଛୁଇଁଥିଲେ। ଜବାବରେ ଉତ୍ତରପ୍ରଦେଶ ୧୨.୫ ଓଭରରେ ଗୋଟିଏ ୱିକେଟ୍ ହରାଇ ମ୍ୟାଚ୍ ଜିତି ଯାଇଥିଲା।
ସିକେ ନାଇଡୁ ଟ୍ରଫି: ଭଲ ସ୍ଥିତିରେ ଓଡ଼ିଶା
କଟକ: କିଟ୍ କ୍ରିକେଟ୍ ଷ୍ଟାଡିୟମ୍ରେ ଚାଲିଥିବା ଆସାମ ବିପକ୍ଷ ସିକେ ନାଇଡୁ ଟ୍ରଫି ମ୍ୟାଚ୍ରେ ଓଡ଼ିଶା ଭଲ ସ୍ଥିତିରେ ରହିଛି। ଆସାମକୁ ୨୧୬ ରନ୍ରେ ଅଟକାଇବା ପରେ ଓଡ଼ିଶା ଦ୍ବିତୀୟ ଦିନର ଷ୍ଟମ୍ପ୍ସ ବେଳକୁ ୩ ୱିକେଟ ହରାଇ ୧୬୯ ରନ୍ କରିଛି। ଫଳରେ ଏବେ ଦଳ ହାତରେ ୭ ୱିକେଟ୍ ଥିଲା ବେଳେ ମାତ୍ର ୪୭ ରନ୍ ପଛରେ ରହିଛି। ଓମ୍ ଟି ମୁଣ୍ଡେ ୮୪ ଓ ପାନକଳା ଶଶାଙ୍କ ୪୮ ଓ ସାଇଦୀପ ମହାପାତ୍ର ୨୭* ରନ୍ କରିଛନ୍ତି। ଆସାମର ରାଜବୀର ସିଂହ ୧୦୫ ରନ୍ କରିଥିଲା ବେଳେ ଓଡ଼ିଶାର ରିତେଶ ପ୍ରିୟରଞ୍ଜନ ୪, ଆୟୁଷ କୁମାର ବାରିକ ୩ ଓ ମହମ୍ମଦ ଦାନିସ ୨ ୱିକେଟ୍ ନେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/28/fshfshfshxvb-2025-10-28-01-19-33.jpg)