ରଣଜୀ ଟ୍ରଫି: ଉତ୍ତରାଖଣ୍ଡକୁ ୧୦ ୱିକେଟ୍‌ରେ ହରାଇଲା ଓଡ଼ିଶା

ଓଡ଼ିଶାକୁ ହ୍ୟାଟ୍ରିକ୍‌ ବୋନସ ପଏଣ୍ଟ, ଶାନ୍ତନୁ ଶ୍ରେଷ୍ଠ ଖେଳାଳି

କଟକ: ଚଳିତ ରଣଜୀ ଋତୁରେ ଓଡ଼ିଶାର ବିଜୟ ଧାରା ଜାରି ରହିଛି। ଓଡ଼ିଶା ହ୍ୟାଟ୍ରିକ୍‌ (ଲଗାତର ତୃତୀୟ ମ୍ୟାଚ୍‌ରେ) ବୋନସ ପଏଣ୍ଟ ମଧ୍ୟ ହାସଲ କରିଛି। ଡ୍ରିମ୍ସରେ ଶେଷ ହୋଇଥିବା ମ୍ୟାଚ୍‌ରେ ଉତ୍ତରାଖଣ୍ଡକୁ ୧୦ ଵିକେଟରେ ପରାସ୍ତ କରି ଓଡ଼ିଶା ଏଲିଟ୍‌ ଗ୍ରୁପ୍‌ ସି’ର ଶୀର୍ଷସ୍ଥାନ ବଜାୟ ରଖିଛି। ବିଜୟ ପାଇଁ ଓଡ଼ିଶା ସମ୍ମୁଖରେ ୬୦ ରନ୍‌ ଧାର୍ଯ୍ୟ ହୋଇଥିଲା। ଗୋବିନ୍ଦ ପୋଦ୍ଦାର ୨୬ ଓ ଶାନ୍ତନୁ ମିଶ୍ର ୨୯ ରନ୍‌ କରି ଓଡ଼ିଶାକୁ ବିଜୟ ଭେଟି ଦେଇଥିଲେ। ପ୍ରଥମ ପାଳିରେ ଶତକ ଅର୍ଜନ କରିଥିବା ଶାନ୍ତନୁ ମିଶ୍ରଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି। ଏହାପରେ ଓଡ଼ିଶା ଚତୁର୍ଥ ମ୍ୟାଚ୍‌ ଅଗରତାଲାରେ ତ୍ରିପୁରା ବିପକ୍ଷରେ ଜାନୁଆରି ୩ ତାରିଖରୁ ଖେଳିବ।

ଉତ୍ତରାଖଣ୍ଡ ଅସମାପ୍ତ ଦ୍ବିତୀୟ ପାଳି ସ୍କୋର୍‌ ୫୪/୪ରୁ ଶେଷ ଦିନ ଖେଳ ଆରମ୍ଭ କରିଥିଲା। ଶନିବାର ପାଗ ଖେଳିବା ପାଇଁ ଅନୁକୂଳ ହୋଇଥିବା ବେଳେ ଓଡ଼ିଶା ବୋଲରମାନେ ସକାଳୁଆ ଥଣ୍ଡା ପବନର ଭରପୂର ଫାଇଦା ଉଠାଇଥିଲେ। କରଣବୀର କୌଶଲ (୧୨)ଙ୍କୁ ବସନ୍ତ ମହାନ୍ତି ବୋଲ୍ଡ କରିବା ପରେ ଦିକ୍ଷା˚ଶୁ ନେଗି (୪୦), ରାହିଲ ଶାହା (୧୧), ସନି (୦) ଓ ଧନରାଜ ଶର୍ମା (୫୦)ଙ୍କୁ ଆଉଟ କରି ସୂର୍ଯ୍ୟକାନ୍ତ ୫ ଵିକେଟ ସଫଳତା ଅର୍ଜନ କରିଥିଲେ। ୧୯୫ ରନ୍‌ରେ ସମସ୍ତ ଵିକେଟ ହରାଇବା ପରେ ଓଡ଼ିଶା ସମ୍ମୁଖରେ ୬୦ ରନ୍‌ର ଲକ୍ଷ ଧାର୍ଯ୍ୟ ହୋଇଥିଲା। ଜବାବରେ ଓଡ଼ିଶା ପାଇଁ ଦେବାଶିଷ ସାମନ୍ତରାୟ ଓ ଶାନ୍ତନୁ ମିଶ୍ର ପାଳି ଆରମ୍ଭ କରିଥିଲେ। ତେବେ ୭.୧ ଓଭରରେ ଧନରାଜଙ୍କ ବାଉନ୍ସରରେ ଦେବାଶିଷ ଗୁରୁତର ଆହତ ହୋଇଥିଲେ। ତାଙ୍କ ବଦଳରେ ଗୋବିନ୍ଦ ପୋଦ୍ଦାର (୨୬*) ବ୍ୟାଟି˚ କରିବାକୁ ଆସି ଶାନ୍ତନୁ (୨୯*) ଙ୍କ ସହ ମିଶି ୨୧.୪ ଓଭରରେ ଦଳକୁ ଜିତାଇଥିଲେ।

ସ˚କ୍ଷିପ୍ତ ସ୍କୋର: ଉତ୍ତରାଖଣ୍ଡ ପ୍ରଥମ ପାଳି ୪୮.୪ ଓଭରରେ ୧୧୭। ଓଡ଼ିଶା ପ୍ରଥମ ପାଳି ୮୩.୫ ଓଭରରେ ୨୫୩। ଉତ୍ତରାଖଣ୍ଡ ଦ୍ବିତୀୟ ପାଳି ୫୨.୧ ଓଭରରେ ୧୯୫ (ଦିକ୍ଷା˚ଶୁ ନେଗି ୪୦, ଧନରାଜ ଶର୍ମା ୫୦, ବସନ୍ତ ମହାନ୍ତି ୩/୭୬, ରାଜେଶ ମହାନ୍ତି ୧/୩୫, ସୂର୍ଯ୍ୟକାନ୍ତ ପ୍ରଧାନ ୫/୬୩, ଦେବବ୍ରତ ପ୍ରଧାନ ୧/୭)। ଓଡ଼ିଶା ଦ୍ବିତୀୟ ପାଳି ୨୧.୪ ଓଭରରେ ୬୩/୦ (ଶାନ୍ତନୁ ମିଶ୍ର ୨୯*, ଗୋବିନ୍ଦ ପୋଦ୍ଦାର ୨୬*)।

ଲଗାତାର ବୋନସ ପଏଣ୍ଟ ଖେଳାଳିଙ୍କ ଆତ୍ମବିଶ୍ବାସ ବଢ଼ାଇଛି: ଶୁଭ୍ରା˚ଶୁ
ଆମେ ଯେଉଁ ଅନୁସାରେ ଯୋଜନା କରିଥିଲୁ, ସେହିଭଳି ପ୍ରଦର୍ଶନ ଦେଇପାରିଛୁ। ଚଳିତ ଋତୁରେ ଭଲ ଆରମ୍ଭ ହୋଇଛି। ଲଗାତର ତିନିଟି ମ୍ୟାଚ୍‌ରେ ବୋନସ ପଏଣ୍ଟ ପାଇବାରୁ ଖେଳାଳିମାନଙ୍କ ଆତ୍ମବିଶ୍ବାସ ବୃଦ୍ଧି ପାଇଛି। ଚଳିତ ବର୍ଷ ନକ୍‌ଆଉଟ ଯିବା ସୁଯୋଗ ରହିଛି। ଆଗକୁ ମଧ୍ୟ ଏଭଳି ପ୍ରଦର୍ଶନ ବଜାୟ ରଖିବାକୁ ଚେଷ୍ଟା କରିବୁ। ଡ୍ରିମ୍ସ ପିଚ୍‌ ବୋଲରମାନଙ୍କ ପାଇଁ ବହୁତ ଭଲ ଥିଲା। ଏଭଳି ପିଚ୍‌ରେ ଶାନ୍ତନୁ ସ˚ଘର୍ଷ କରି ୧୦୦ ରନ୍‌ କରିବା ସାହସିକତାର କାମ। ସେ ହିଁ ମ୍ୟାଚ୍‌ ଆମ ପାଇଁ ବନାଇଥିଲେ। ଏପରିକି ବୋଲରମାନେ ମଧ୍ୟ ପୂର୍ବ ପ୍ରଦର୍ଶନ ବଜାୟ ରଖିବାରୁ ମ୍ୟାଚ୍‌ ଜିତିବା ଆମ ପାଇଁ ସହଜ ହେଲା। ଶେଷ ଦିନରେ ଦେବାଶିଷଙ୍କ ଆହତ ଆମ ପାଇଁ ଚିନ୍ତାର ବିଷୟ। ସନ୍ଦୀପ, ଅନୁରାଗଙ୍କ ପରେ ଦେବାଶିଷ ଆହତ ହେଲେ। ତଥାପି ଏହା କ୍ରିକେଟର ଗୋଟିଏ ଅ˚ଶ। ଆଶା ରଖୁଛୁ ଯେ ସେମାନେ ଖୁବ୍‌ ଶୀଘ୍ର ପଡ଼ିଆକୁ ଫେରିବେ ବୋଲି ଓଡ଼ିଶା ଅଧିନାୟକ ଶୁଭ୍ରା˚ଶୁ ସେନାପତି ପ୍ରତିକ୍ରିୟା ଦେଇଛନ୍ତି।

ଦେବାଶିଷଙ୍କୁ ଡ଼ାକ୍ତରଖାନା ନିଆଗଲା
ଓଡ଼ିଶାର ବିଜୟୀ ପାଳିରେ ଗତ ମ୍ୟାଚ୍‌ର ଶତକ ହାସଲକାରୀ ବ୍ୟାଟ୍ସମ୍ୟାନ ଦେବାଶିଷ ସାମନ୍ତରାୟ ଗୁରୁତର ଆହତ ହୋଇଥିଲେ। ଦ୍ବିତୀୟ ପାଳିର ୭.୧ ଓଭରରେ ଏକ ବାଉନ୍ସରକୁ ଛାଡ଼ିବାକୁ ଯିବାବେଳେ ତାଙ୍କୁ ଆଘାତ ଲାଗିଥିଲା। ଧନରାଜ ଶର୍ମାଙ୍କ ଏହି ବଲ୍‌ରେ ବାଉନ୍ସର ଆସିଥିଲା। ଏହାକୁ ଛାଡ଼ିବାକୁ ଯାଉଥିବା ବେଳେ ଦେବାଶିଷଙ୍କ ପଛ ବେକରେ ବଲ୍‌ ବାଜିଥିଲା। ଫଳରେ ସେ ତଳେ ପଡ଼ିଯାଇଥିଲେ। ଫିଜିଓ ତାଙ୍କର ପ୍ରାଥମିକ ପରୀକ୍ଷା କରିବା ପରେ ତୁରନ୍ତ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନା ପଠାଯାଇଥିଲା। ସେଠାରେ ସ୍ବାସ୍ଥ୍ୟ ପରୀକ୍ଷା ପରେ ଏବେ ଅବସ୍ଥା ସ୍ଥିର ଥିବା ଦଳ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ବଲ୍‌ ହେଲ୍‌ମେଟ୍‌ରେ ବାଜି ବେକରେ ବାଜିଥିବାରୁ ଆଘାତ ଜଟିଳ ହୋଇନଥିବା ସୂଚନା ମିଳିଛି। ପଡ଼ିଆ ଛାଡ଼ିବା ବେଳକୁ ଦେବାଶିଷ ୨୬ ବଲ୍‌ରୁ ୭ ରନ୍‌ କରିଥିଲା ବେଳେ ଓଡ଼ିଶାର ସ୍କୋର୍‌ ୧୫ ଥିଲା।

ସମ୍ବନ୍ଧିତ ଖବର