ରଣଜୀ ଟ୍ରଫି: ପୁଣି ଓଡ଼ିଶାର ପାଳି ବିଜୟ, ଦେବାଶିଷ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି

ସର୍ଭିସେସ୍‌କୁ ପାଳି ଓ ୩୧ ରନ୍‌ରେ ହରାଇଲା, ଲଗାତର ଦ୍ବିତୀୟ ବୋନସ ପଏଣ୍ଟ

କଟକ: ଚଳିତ ରଣଜୀ ଋତୁରେ ଓଡ଼ିଶା କ୍ରମାଗତ ଦ୍ବିତୀୟ ଥର ପାଳି ବିଜୟ ହାସଲ କରିଛି। ନିଜର ପ୍ରଥମ ମ୍ୟାଚ୍‌ରେ ଛତିଶଗଡ଼କୁ ଏକ ପାଳି ଓ ୩ ରନ୍‌ରେ ପରାସ୍ତ କରିଥିବା ଓଡ଼ିଶା ଶୁକ୍ରବାର ଶେଷ ହୋଇଥିବା ଦ୍ବିତୀୟ ମ୍ୟାଚ୍‌‌ରେ ସର୍ଭିସେସ୍‌କୁ ମଧ୍ୟ ଏକ ପାଳି ଓ ୩୧ ରନ୍‌ରେ ପରାସ୍ତ କରିଦେଲା। ଏଥି ସହିତ ଲଗାତର ବୋନସ ପଏଣ୍ଟ ପାଇଯାଇଛି। ଯାହାଫଳରେ ଓଡ଼ିଶା ଦୁଇଟି ମ୍ୟାଚ୍‌ରୁ ମୋଟ ୧୪ ପଏଣ୍ଟ ପାଇ ଏଲିଟ୍‌ ଗ୍ରୁପ୍‌ ସି’ରେ ହରିଆନା ସହ ଯୁଗ୍ମ ଶୀର୍ଷ ସ୍ଥାନରେ ରହିଛି। ଆସନ୍ତା ୨୫ ତାରିଖରୁ ଓଡ଼ିଶାର ତା’ର ତୃତୀୟ ମ୍ୟାଚ୍‌ ଡ୍ରିମ୍ସରେ ଉତ୍ତରାଖଣ୍ତ ସହ ଖେଳିବ। ଡ୍ରିମ୍ସରେ ଖେଳାଯାଇଥିବା ଦ୍ବିତୀୟ ମ୍ୟାଚ୍‌ରେ ସର୍ଭିସେସ୍‌ ପ୍ରଥମ ପାଳିକୁ ୨୭୧ ରନ୍‌ରେ ସଫା କରିଦେଇଥିବା ଓଡ଼ିଶା ପ୍ରଥମ ପାଳିରେ ୫୪୦ ରନ୍‌ର ବିଶାଳ ସ୍କୋର୍‌ ଛିଡ଼ା କରିଥିଲା। ଏଥି ସହିତ ୨୬୯ ରନ୍‌ର ଅଗ୍ରଣୀ ହାସଲ କରିଥିଲା। ସର୍ଭିସେସ୍‌ ପ୍ରଥମ ପାଳିରେ ବସନ୍ତ ମହାନ୍ତି ୬ ଓ ରା‌ଜେଶ ମହାନ୍ତି ୨ ୱିକେଟ୍‌ ଅକ୍ତିଆର କରିଥିଲେ। ଏହାପରେ ରାଜେଶ ମହାନ୍ତି ଓ ଅଭିଷେକ ରାଉତଙ୍କ ୩-୩ ସାଙ୍ଗକୁ ଦେବବ୍ରତ ପ୍ରଧାନଙ୍କ ୨ ୱିକେଟ୍‌ ଯୋଗୁଁ ସର୍ଭିସେସ୍‌ ଦ୍ବିତୀୟ ପାଳିକୁ ୨୩୮ ରନ୍‌ରେ ଶେଷ କରିଦେଲା। ସର୍ଭିସେସ୍‌ ଦ୍ବିତୀୟ ପାଳିରେ ବିକାଶ ହାତୱାଲା (୭୧) ଏକମାତ୍ର ଅର୍ଧଶତକ ଜମାଇଥିଲା ବେଳେ ଅରୁଣ ବାମଲ ୪୦ ରନ୍‌ କରିଥିଲେ। ଏହି ଦୁଇଜଣଙ୍କ ବ୍ୟତୀତ ନକୁଳ ବର୍ମା ୩୧, ମମତାଜ କାଦିର ୩୧, ଅଧିନାୟକ ରଜତ ପାଲିୱାଲ ୨୨ ଓ ରାହୁଲ ସିଂହ ୧୬ ରନ୍‌ କରିଥିଲେ ମଧ୍ୟ ଦଳକୁ ପାଳି ପରାଜୟରୁ ରକ୍ଷା କରିପାରିନଥିଲେ। ତୃତୀୟ ଦିବସ ଶେଷରେ ୮୬/୩ କରିଥିବା ସର୍ଭିସେସ୍‌ ଶୁକ୍ରବାର ଚତୁର୍ଥ ତଥା ଶେଷ ଦିନ ଆଉ ୧୫୨ ରନ୍ ଯୋଡ଼ି ଅବଶିଷ୍ଟ ୭ ୱିକେଟ୍‌ ହରାଇଥିଲା। ବିକାଶ ଓ ରଜତ ପଞ୍ଚମ ୱିକେଟ୍‌ରେ ୪୯ ଏବଂ ବିକାଶ ଓ ଅରୁଣ ସପ୍ତମ ୱିକେଟ୍‌ରେ ୪୬ ରନ୍ ଯୋଡ଼ି ଓଡ଼ିଶା ବିଜୟକୁ କିଛି ସମୟ ବିଳମ୍ବିତ କରିଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ପେସ୍‌ ଆକ୍ରମଣ ବିଫଳ ହେବାରୁ ଲେଗ୍‌ ସ୍ପିନର ଅଭିଷେକ ରାଉତଙ୍କୁ ବୋଲି˚ ସୁଯୋଗ ଦିଆଯାଇଥିଲା। ସେ ବିକାଶଙ୍କ ଵିକେଟ୍‌ ନେବା ସହ ଓଡ଼ିଶା ଶିବିରରେ ଉଲ୍ଲାସ ଭରିଦେଇଥିଲେ। ତେବେ ୮୨ତମ ଓଭରର ପ୍ରଥମ ବଲ୍‌ରେ ଅରୁଣ ବାମଲଙ୍କୁ ଆଉଟ୍‌ କରି ଶାନ୍ତନୁ ମିଶ୍ର ଓଡ଼ିଶା ପାଇଁ ବିଜୟ ମୁଣ୍ଡି ମାରିଥିଲେ।

ସ˚କ୍ଷିପ୍ତ ସ୍କୋର: ସର୍ଭିସେସ୍‌ ପ୍ରଥମ ପାଳି ୬୬.୧ ଓଭରରେ ୨୭୧। ଓଡ଼ିଶା ପ୍ରଥମ ପାଳି ୧୬୦.୨ ଓଭରରେ ୫୪୦। ସର୍ଭିସେସ୍‌ ଦ୍ବିତୀୟ ପାଳି ୮୧.୧ ଓଭରରେ ୨୩୮ (ନକୁଲ ବର୍ମା ୩୧, ମମତାଜ କାଦିର ୩୧, ରଜତ ପାଲିଵାଲ ୨୨, ବିକାଶ ହାତଵାଲା ୭୧, ଅରୁଣ ବାମଲ ୪୦, ରାଜେଶ ମହାନ୍ତି ୩/୪୪, ଅଭିଷେକ ରାଉତ ୩/୪୭, ଦେବବ୍ରତ ପ୍ରଧାନ ୨/୪୮, ଶାନ୍ତନୁ ମିଶ୍ର ୧/୩)।

ସମ୍ବନ୍ଧିତ ଖବର