ରଣଜୀ ଟ୍ରଫି: ଓଡ଼ିଶା ପ୍ରଥମ ଥର ୧ ୱିକେଟ୍‌ରେ ଜିତିଲା

ଓଡ଼ିଶାର ଚତୁର୍ଥ ବିଜୟ, ସୂର୍ଯ୍ୟକାନ୍ତ ଶ୍ରେଷ୍ଠ ଖେଳାଳି

ଭୁବନେଶ୍ବର: ନିଜ ୭୦ ବର୍ଷର ରଣଜୀ ଟ୍ରଫି ଇତିହାସରେ ପ୍ରଥମ ଥର ପାଇଁ ଓଡ଼ିଶା ୧ ୱିକେଟ୍‌ ବ୍ୟବଧାନରେ ଏକ ମ୍ୟାଚ୍‌ ଜିତିଛି। ଲାହଲିରେ ମଙ୍ଗଳବାର ଶୁଭ୍ରାଂଶୁ ସେନାପତିଙ୍କ ଦଳ ହରିଆଣାକୁ ରୋମାଞ୍ଚକ ଭାବେ ୧ ୱିକେଟ୍‌ରେ ହରାଇ ଏହି ମୁହୂର୍ତ ଆଣିଛି। ଓଡ଼ିଶା ସମ୍ମୁଖରେ ୧୭୯ ରନ୍‌ ବିଜୟ ଲକ୍ଷ୍ୟ ରହିଥିବା ବେଳେ ଭ୍ରମଣକାରୀ ଦଳ ୯ ୱିକେଟ୍ ବିନିମୟରେ ୧୮୨ ରନ୍ ସଂଗ୍ରହ କରି ନେଇଥିଲା। ଏଥି ସହିତ ଓଡ଼ିଶା ଚଳିତ ୨୦୧୯-୨୦ ଋତୁରେ ପଞ୍ଚମ ମ୍ୟାଚ୍‌ରୁ ଚତୁର୍ଥ ବିଜୟ ସହ ଏଲିଟ୍‌ ଗ୍ରୁପ୍‌ ‘ସି’ ପଏଣ୍ଟ ତାଲିକାର ଶୀର୍ଷରେ ପହଞ୍ଚିଛି। ନିଜ ଖେଳ ଜୀବନରେ ପ୍ରଥମ ଥର ୧୦ ୱିକେଟ୍ ସଫଳତା ପାଇଥିବା ସୂର୍ଯ୍ୟକାନ୍ତ ପ୍ରଧାନ (୧୧/୧୨୨) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି।

ପ୍ରଥମ ପାଳିରେ ମାତ୍ର ୯୦ ରନ୍‌ କରିଥିବା ହରିଆଣା ଦଳ ଓଡ଼ିଶାକୁ କିନ୍ତୁ ୧୬୦ ରନ୍‌ରେ ସୀମିତ ରଖିଦେଇଥିଲା। ଦ୍ବିତୀୟ ପାଳିରେ ୨୪୮ ରନ୍ କରିନେବାରୁ ଓଡ଼ିଶା ସମ୍ମୁଖରେ ୧୭୯ ରନ୍‌ ବିଜୟ ଲକ୍ଷ୍ୟ ରହିଥିଲା। ଏହାକୁ ପିଛା କରି ଓଡ଼ିଶା ଦଳ ସୋମବାର ତୃତୀୟ ଦିବସ ସୁଦ୍ଧା ୭ ୱିକେଟ୍ ହରାଇ ୧୪୭ ରନ୍ କରିଥିଲା। ଫଳରେ ମଙ୍ଗଳବାର ଶେଷ ଦିବସ ସକାଳେ ଓଡ଼ିଶାକୁ ଆଉ ୩୨ ରନ୍ ଏବଂ ଘରୋଇ ଦଳକୁ ଆଉ ୩ ୱିକେଟ୍ ଆବଶ୍ୟକ ରହିଥିଲା। ମଙ୍ଗଳବାର ସକାଳେ ‌ଶେଷ ସ୍ବୀକୃତିପ୍ରାପ୍ତ ବ୍ୟାଟ୍ସମ୍ୟାନ୍‌ ରାଜେଶ ଧୂପର (୩୨, ୮୯ ବଲ୍‌, ୩ ଚୌକା) ମାତ୍ର ୩ ରନ୍‌ ଯୋଡ଼ି ଆଶିଷ ହୁଦାଙ୍କ ଶିକାର ହୋଇ ଫେରିଯାଇଥିଲେ। କିନ୍ତୁ ତାଙ୍କ ସାଥୀରେ ପୂର୍ବ ସଂଧ୍ୟାରୁ ଅପରାଜିତ ଥିବା ଯୁବ ଦ୍ରୁତ‌ ବୋଲର ରାଜେଶ ମହାନ୍ତି (୨୧, ୩୧ ବଲ୍‌, ୩‌ ଚୌକା) ଖେଳିଥିବା ମୂଲ୍ୟବାନ ପାଳି ଦଳକୁ ବିଜୟମୁହାଁ କରିଥିଲା। ଧୂପରଙ୍କ ସହ ଅଷ୍ଟମ ୱିକେଟ୍ ଲାଗି ୨୯ ରନ୍‌ ଏବଂ ବସନ୍ତ ମହାନ୍ତି (୬*, ୧୪ ବଲ୍)ଙ୍କ ସହ ନବମ ୱିକେଟ୍‌ରେ ୧୧ ରନ୍ ଯୋଡ଼ି ହରିଆଣା ହାତରୁ ମ୍ୟାଚ୍‌ ଛଡ଼ାଇ ଆଣିଥିଲେ। ଦ୍ରୁତ ବୋଲର ଅଜିତ୍‌ ଚହଲଙ୍କ ସପ୍ତମ ଶିକାର ହୋଇ ରାଜେଶ ଆଉଟ୍ ବେଳକୁ ଓଡ଼ିଶା ତଥାପି ୩ ରନ୍‌ ଦୂରରେ ଥିଲା। ବସନ୍ତ ମହାନ୍ତି ଏବଂ ପପୁ ରୟ (୪*) ଶେଷ ୱିକେଟ୍ ଉତ୍କଣ୍ଠା ଭିତରେ ଓଡ଼ିଶାକୁ ସ୍ମରଣୀୟ ବିଜୟ ପ୍ରଦାନ କରିଥିଲେ। ମଙ୍ଗଳବାର ସକାଳେ ଓଡ଼ିଶା ମାତ୍ର ୮.୧ ଓଭର‌ ଖେଳି ୨ ୱିକେଟ୍ ହରାଇଥିଲେ ମଧ୍ୟ ୩୫ ରନ୍ ଯୋଡ଼ି ନେଇଥିଲା। ଓଡ଼ିଶା ପୂର୍ବରୁ କେବେ ବି ୧ ୱି‌କେଟ୍‌ ବ୍ୟବଧାନରେ ଏକ ରଣଜୀ ମ୍ୟାଚ୍‌ ଜିତିନଥିଲା। ଏପରିକି ୧ ରନ୍‌ ବ୍ୟବଧାନରେ ମଧ୍ୟ ବିଜୟୀ ‌ହୋଇନାହିଁ।

ସ˚କ୍ଷିପ୍ତ ସ୍କୋର: ହରିଆଣା ପ୍ରଥମ ପାଳି : ୯୦ (ଶୁଭମ ରୋହିଲା ୨୦, ସୂର୍ଯ୍ୟକାନ୍ତ ପ୍ରଧାନ ୬/୩୬)। ଓଡ଼ିଶା ପ୍ରଥମ ପାଳି: ୧୬୦ (ବିପ୍ଲବ ସାମନ୍ତରାୟ ୫୨, ଟିନୁ କୁଣ୍ତୁ ୫/୨୫)। ହରିଆଣା ଦ୍ବିତୀୟ ପାଳି: ୨୪୮ (ଶୁଭମ୍‌ ରୋହିଲା ୪୮, ଅଙ୍କିତ କୁମାର ୪୬, ସୂର୍ଯ୍ୟକାନ୍ତ ପ୍ରଧାନ ୫/୮୬)। ଓଡ଼ିଶା ଦ୍ବିତୀୟ ପାଳି: ୫୮.୧ ଓଭରରେ ୧୮୨/୯ (ରାଜେଶ ଧୂପର-୩୨, ଗୋବିନ୍ଦ ପୋଦ୍ଦାର-୩୦, ସୁଜିତ ଲେଙ୍କା ୨୮, ରାଜେଶ ମହାନ୍ତି-୨୧, ବସନ୍ତ ମହାନ୍ତି-୬*, ପପୁ ରାୟ-୪*, ଅଜିତ ଚହଲ-୭/୮୦)।

ସମ୍ବନ୍ଧିତ ଖବର