ରଣଜୀ ଟ୍ରଫି କ୍ବାର୍ଟର ଫାଇନାଲ୍‌: ବେଙ୍ଗଲକୁ ରକ୍ଷା କଲେ ଅନୁଷ୍ଟୁପ ଓ ଶାହାବାଜ୍‌

ପଦାର୍ପଣ କଲେ ପ୍ରୀତ୍‌ସି˚ହ, ବସନ୍ତଙ୍କ ୧୦୦ ମ୍ୟାଚ୍‌

କଟକ: ଲିଗ୍‌ ପର୍ଯ୍ୟାୟ ପରି ପୁଣି ଥରେ ଓଡ଼ିଶା ବୋଲରମାନେ ଦମ୍‌ ଦେଖାଇଛନ୍ତି। ଗୁରୁବାର ଡ୍ରିମ୍ସରେ ଆରମ୍ଭ ହୋଇଥିବା ବେଙ୍ଗଲ ବିପକ୍ଷ ରଣଜୀ ଟ୍ରଫି କ୍ବାର୍ଟର ଫାଇନାଲ୍‌ ମୁକାବିଲାରେ ଭ୍ରମଣକାରୀ ଦଳର ବ୍ୟାଟି˚କ୍ରମକୁ ଘରୋଇ ବୋଲରମାନେ ଆରମ୍ଭରୁ ଝଟ୍‌କା ପରେ ଝଟ୍‌କା ଦେଇଚାଲିଥିଲେ। ତେବେ ଶେଷ ବ୍ୟାଟି˚ ଯୋଡ଼ି ଅନୁଷ୍ଟୁପ ମଜୁମଦାର ଓ ଶାହାବାଜ ଅହମ୍ମଦ ଦଳକୁ ଘୋର ସଂକଟରୁ ଉଦ୍ଧାର କରିବା ସହ ପ୍ରଥମ ଦିନ ଶେଷ ସୁଦ୍ଧା ଦଳୀୟ ସ୍କୋର୍‌ ୩୦୦ ପାରି କରାଇବାରେ ସଫଳ ହୋଇଛନ୍ତି। ଷ୍ଟମ୍ପ୍‌ସ ଅପସାରଣ ବେଳକୁ ବେଙ୍ଗଲ ୬ ଵିକେଟ୍‌ ବିନିମୟରେ ୩୦୮ ରନ୍‌ କରିଛି। ଅନୁଷ୍ଟୁପ ୧୩୬* ଓ ଶାହାବାଜ ୮୨* ରନ୍‌ରେ ଅପରାଜିତ ଅଛନ୍ତି। ଦୁହେଁ ଅସମାପ୍ତ ଷଷ୍ଠ ୱିକେଟ୍‌ରେ ୧୬୭ ରନ୍ ଯୋଡ଼ି ଓଡ଼ିଶା ବୋଲରଙ୍କୁ ନିରାଶ କରିଛନ୍ତି।
ସବୁଜ ପିଚ୍‌କୁ ଦୃଷ୍ଟିରେ ରଖି ଗୁରୁବାର ସକାଳେ ଶୁଭ୍ରା˚ଶୁ ସେନାପତି ଟସ୍‌ ଜିତିବା ପରେ ବୋଲି˚ କରିବାକୁ ସ୍ଥିର କରିଥିଲେ। ଏଥର ଦଳରେ କୌଣସି ସ୍ପିନର୍‌ଙ୍କୁ ନିଆଯାଇନଥିଲା ବେଳେ ୨୩ ବର୍ଷରୁ କମ୍‌ ଦଳରେ ଘାତକ ପ୍ରଦର୍ଶନ କରିଥିବା ପ୍ରୀତ୍‌ ସି˚ହ ଚୌହାନ୍‌ ପ୍ରଥମ ଶ୍ରେଣୀ ପଦାର୍ପଣ କରିଥିଲେ। ପିଚ୍‌ରୁ ଭରପୂର ଫାଇଦା ନେବାକୁ ଯାଇ ଷଷ୍ଠ ଓଭରରେ ସୂର୍ଯ୍ୟକାନ୍ତ ପ୍ରଧାନ ଦଳକୁ ପ୍ରଥମ ସଫଳତା ଦେଇଥିଲେ। ଅଧିନାୟକ ଅଭିମନ୍ୟୁ ଇଶ୍ବରନ୍‌ (୭)ଙ୍କୁ ଆଉଟ୍‌ କରିବା ପରେ ପରବର୍ତ୍ତୀ ଓଭରରେ କୌଶିକ ଘୋଷ (୯) ଙ୍କୁ ବସନ୍ତ ମହାନ୍ତି ଆଉଟ୍‌ କରି ବେଙ୍ଗଲର ପ୍ରାରମ୍ଭିକ ଯୋଡ଼ିକୁ ପାଭିଲିଅନ ଫେରାଇଥିଲେ। ଏତିକିରେ ସନ୍ତୁଷ୍ଟ ନହୋଇ ଅଭିଷେକ କୁମାର ରମଣ (୧)ଙ୍କୁ ସୂର୍ଯ୍ୟକାନ୍ତ ଦ୍ବିତୀୟ ଶିକାର କରିଥିଲେ। ଅର୍ଣ୍ଣବ ନନ୍ଦୀ (୨୪) ଓ ମନୋଜ ତିଵାରୀ (୪)ଙ୍କୁ ଦୁଇଟି ଲଗାତର ଓଭରରେ ପ୍ରୀତ୍‌ ସି˚ହ ଓ ଦେବବ୍ରତ ପ୍ରଧାନ ଆଉଟ୍‌ କରିଦେବାରୁ ମଧ୍ୟାହ୍ନ ବିରତି ସୁଦ୍ଧା ବେଙ୍ଗଲ୍‌ ୧୧୧ ରନ୍‌ରେ ୫ ଵିକେଟ୍‌ ହରାଇ ଘୋର ସଂକଟରେ ପଡ଼ିଯାଇଥିଲା। ବିରତି ପରେ ଅନୁଷ୍ଟୁପ ଅର୍ଧଶତକ ଅର୍ଜନ କରିଥିଲେ। ସେ ମଧ୍ୟ ଶ୍ରୀବତ୍ସ ଗୋସ୍ବାମୀଙ୍କ ସହ ଷଷ୍ଠ ଵିକେଟ୍‌ରେ ୯୫ ରନ୍‌ ଯୋଡ଼ିଥିଲେ। ତେବେ ଗୋସ୍ବାମୀ (୩୪)ଙ୍କୁ ପ୍ରୀତ୍‌ସି˚ହ ଦ୍ବିତୀୟ ଶିକାର କରିଥିଲେ। ଅଷ୍ଟମ ସ୍ଥାନରେ ଆସିଥିବା ଶାହାବାଜ ନଦିମ ଓ ଅନୁଷ୍ଟୁପ ମିଳିତ ଭାବେ ପାଳି ସମ୍ଭାଳି ନେବା ସହ ଘରୋଇ ବୋଲରଙ୍କୁ ଆଉ ସୁଯୋଗ ଦେଇନଥିଲେ। ଚା’ ବିରତି ପରେ ଅନୁଷ୍ଟୁପ ଅଷ୍ଟମ ଶତକ ଓ ଶାହାବାଜ ତୃତୀୟ ପ୍ରଥମ ଶ୍ରେଣୀ ଅର୍ଧଶତକ ଅର୍ଜନ କରିଥିଲେ। ପ୍ରଥମ ଦିନର ଖେଳ ଶେଷ ହେବା ବେଳକୁ ଅନୁଷ୍ଟୁପ ୧୯୪ ବଲ୍‌ରୁ ୨୦ ଚୌକା ସହାୟତାରେ ୧୩୬* ଓ ଶାହାବାଜ ୧୫୪ ବଲ୍‌ରୁ ୧୩ ଚୌକା ସହାୟତାରେ ୮୨* ରନ୍‌ କରିଛନ୍ତି।

୧୦୦ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିବାରେ ବସନ୍ତ ଚତୁର୍ଥ ଓଡ଼ିଆ
ଓଡ଼ିଶାର ବରିଷ୍ଠ ଦ୍ରୁତ ବୋଲର ବସନ୍ତ ମହାନ୍ତି ଗୁରୁବାର ଆଉ ଏକ ମାଇଲ୍‌ଖୁଣ୍ଟ ଛୁଇଁଛନ୍ତି। ଓଡ଼ିଶାରୁ ଚତୁର୍ଥ ଖେଳାଳି ଭାବେ ସେ ୧୦୦ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ତାଙ୍କ ପୂର୍ବରୁ ଦେବାଶିଷ ମହାନ୍ତି (୧୧୭), ଶିବସୁନ୍ଦର ଦାସ (୧୮୦) ଓ ରଶ୍ମିର˚ଜନ ପରିଡ଼ା (୧୩୯) ୧୦୦ରୁ ଅଧିକ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିଛନ୍ତି। ବସନ୍ତ ନିଜର ଶତକୀୟ ମ୍ୟାଚ୍‌ରେ କୌଶିକ ଘୋଷଙ୍କ ଵିକେଟ୍‌ ଅକ୍ତିଆର କରିଥିଲେ। ସ˚ଯୋଗ ବଶତଃ ବେଙ୍ଗଲ ବିପକ୍ଷରେ ହିଁ ସେ ପ୍ରଥମ ଶ୍ରେଣୀ ଜୀବନ ଆରମ୍ଭ କରିଥିଲେ। ୨୦୦୭ ମସିହାରେ ସିଲିଗୁଡ଼ିରେ ବେଙ୍ଗଲ ସହ ପ୍ରଥମ ମ୍ୟାଚ୍‌ ଖେଳିଥିଲା ବେଳେ ପ୍ରଥମ ମ୍ୟାଚ୍‌ରେ ୮ ଵିକେଟ୍‌ ନେଇଥିଲେ। ବସନ୍ତ ପ୍ରଥମ ପାଳିରେ ୨୮ ରନ୍‌ ବ୍ୟୟ କରି ୬ ଵିକେଟ୍‌ ଓ ଦ୍ବିତୀୟ ପାଳିରେ ୨୯ ରନ୍‌ ବିନିମୟରେ ୨ ଵିକେଟ୍‌ ଅକ୍ତିଆର କରିଥିଲେ। ଯାହାଫଳରେ ଓଡ଼ିଶା ସେହି ମ୍ୟାଚ୍‌କୁ ୬ ଵିକେଟ୍‌ରେ ଜିତି ନେଇଥିଲା। ବର୍ତ୍ତମାନସୁଦ୍ଧା ବସନ୍ତ ୩୮୫ ପ୍ରଥମ ଶ୍ରେଣୀ ଵିକେଟ୍‌ ଅକ୍ତିଆର କରିଛନ୍ତି।

ସମ୍ବନ୍ଧିତ ଖବର