ରଣଜୀ ଟ୍ରଫି କ୍ବାର୍ଟର ଫାଇନାଲ୍‌: ବେଙ୍ଗଲ, କର୍ଣ୍ଣାଟକ, ପଞ୍ଜାବକୁ ପାଳି ଅଗ୍ରଣୀ

ଶ୍ରେୟସ ଗୋପାଳଙ୍କ ଶତକ: ରିକି-କରନ ଏବଂ ପ୍ରଭ୍‌ସିମ୍ରନ-ନମନଙ୍କ ଦ୍ବିଶତକୀୟ ଭାଗୀଦାରି

ଭୁବନେଶ୍ବର: ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ଦେଶର ପ୍ରମୁଖ ଘରୋଇ କ୍ରିକେଟ୍ ପ୍ରତିଯୋଗିତା ରଣଜୀ ଟ୍ରଫି କ୍ବାର୍ଟରଫାଇନାଲ୍‌ର ଦ୍ବିତୀୟ ଦିବସ ଶେଷ ସୁଦ୍ଧା ବେଙ୍ଗଲ, କର୍ଣ୍ଣାଟକ ଏବଂ ପଞ୍ଜାବକୁ ପ୍ରଥମ ପାଳି ଅଗ୍ରଣୀ ମିଳିଯାଇଥିଲା ବେଳେ ଆନ୍ଧ୍ର ବିପକ୍ଷରେ ପାଳି ଅଗ୍ରଣୀ ପାଇଁ ମଧ୍ୟପ୍ରଦେଶ ସଂଘର୍ଷ ଜାରି ରଖିଛି। ଦ୍ବିତୀୟ ଦିବସରେ କର୍ଣ୍ଣାଟକ ପାଇଁ ଶ୍ରେୟସ ଗୋପାଳ ଶତକ ହାସଲ କରିଥିଲା ବେଳେ ଆନ୍ଧ୍ର ପ୍ରଦେଶର ରିକି ଭୂଇ ଓ କରନ ସିନ୍ଦେ ଏବଂ ପଞ୍ଜାବ ଓପ୍‌ନର ପ୍ରଭ୍‌ସିମ୍ରନ ସିଂହ ଓ ନମନ ଧୀର ଦ୍ବିଶତକୀୟ ଭାଗୀଦାରି ଗଢ଼ିବା ଉଲ୍ଲେଖନୀୟ ରହିଛି। ‌କୋଲକାତାର ଇଡେନ୍ ଗାର୍ଡେନ୍ସରେ ଝାଡ଼ଖଣ୍ଡକୁ ବେଙ୍ଗଲ ବୋଲରମାନେ ମାତ୍ର ୧୭୩ ରନ୍‌ରେ ଅଲ୍‌ଆଉଟ୍ କରିଦେବା ପରେ ଅଭିମନ୍ୟୁ ଈଶ୍ବରନ୍‌ (୭୭) ଓ ସୁଦୀପ କୁମାର ଘରାନି (୬୮)ଙ୍କ ଅର୍ଦ୍ଧଶତକ ସହାୟତାରେ ଦ୍ବିତୀୟ ଦିବସ ଶେଷ ସୁଦ୍ଧା ୨୩୮/୫ କରିନେଇଛି। ଦ୍ବିତୀୟ ୱିକେଟ୍‌ରେ ଅଭିମନ୍ୟୁ ଓ ସୁଦୀପଙ୍କ ୧୩୬ ରନ୍‌ର ଭାଗୀଦାରୀ ବଳରେ ହାତରେ ୫ ୱିକେଟ୍‌ ଥାଇ ବେଙ୍ଗଲ ୬୫ ରନ୍‌ର ପ୍ରଥମ ପାଳି ଅଗ୍ରଣୀ ପାଇଯାଇଛି। ଝାଡ଼ଖଣ୍ଡ ପକ୍ଷରୁ ସୁପ୍ରିୟୋ ଚକ୍ରବର୍ତୀ ୨ ଏବଂ ସାହବାଜ ନଦୀମ, ଅନୁକୂଳ ରୟ ଓ ଆଶିଷ କୁମାର ଗୋଟିଏ ଲେଖାଏଁ ୱିକେଟ୍‌ ପାଇଛନ୍ତି।

ବେଙ୍ଗାଲୁରୁଠାରେ ଉତ୍ତରାଖଣ୍ଡ ପ୍ରଥମ ପାଳିକୁ ମାତ୍ର ୧୧୬ ରନ୍‌ରେ ସଫା କରିଦେଇଥିବା ଘରୋଇ କର୍ଣ୍ଣାଟକ ଓପ୍‌ନର ରବିକୁମାର ସମର୍ଥ (୮୨) ଓ ଅଧିନାୟକ ମୟଙ୍କ ଅଗ୍ରୱାଲ (୮୩)ଙ୍କ ୧୫୯ ରନ୍‌ର ପ୍ରଥମ ୱିକେଟ୍‌ ଭାଗୀଦାରି ପରେ ଦେବଦତ୍ତ ପଡିକଲ (୬୯) ଓ ନିକିନ ଜୋସେ (୬୨)ଙ୍କ ଅର୍ଦ୍ଧଶତକ ସାଙ୍ଗକୁ ତୃତୀୟ ୱିକେଟ୍‌ରେ ୧୧୮ ରନ୍‌ର ଭାଗୀଦାରି ଏବଂ ନିମ୍ନକ୍ରମରେ ଶ୍ରେୟସ ଗୋପାଳ (୧୦୩*)ଙ୍କ ଅପରାଜିତ ଶତକ ବଳରେ ୪୭୪/୫ କରିନେଇଛି। ହାତରେ ୫ ୱିକେଟ୍‌ ଥାଇ କର୍ଣ୍ଣାଟକ ୩୫୮ ରନ୍‌ର ପ୍ରଥମ ପାଳି ଅଗ୍ରଣୀ ପାଇସାରିଛି। ଉତ୍ତରାଖଣ୍ଡ ପକ୍ଷରୁ ମୟଙ୍କ ମିଶ୍ର ୩ ଓ ଅଭୟ ନେଗୀ ୨ ୱିକେଟ୍‌ ନେଇଛନ୍ତି। ରାଜକୋଟରେ କିନ୍ତୁ ଘରୋଇ ସୌରାଷ୍ଟ୍ର (୩୦୩ ରନ୍‌) ପଞ୍ଜାବଠୁ ପ୍ରଥମ ପାଳି ପଛରେ ପଡ଼ିଯାଇଛି। ପ୍ରଥମ ଦିବସରେ ସୌରାଷ୍ଟ୍ର ପ୍ରଥମ ପାଳିକୁ ଶେଷ କରିଦେଇଥିବା ପଞ୍ଜାବ ଦ୍ବିତୀୟ ଦିବସ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ୩୨୭/୫ କରି ୨୪ ରନ୍‌ର ଅଗ୍ରଣୀ ହାସଲ କରିଛି। ଦୁଇ ଓପ୍‌ନର ପ୍ରଭ୍‌ସିମ୍ରନ ସିଂହ (୧୨୬) ଓ ନମନ ଧୀର (୧୩୧) ନିଜ ନିଜର ଶତକ ପୂରଣ କରିବା ସାଙ୍ଗକୁ ପ୍ରଥମ ୱିକେଟ୍‌ରେ ୨୧୨ ରନ୍ ଯୋଡ଼ି ଦଳକୁ ଅଗ୍ରଣୀ ଦେବାରେ ସହାୟକ ହୋଇଛନ୍ତି। ଅଧିନାୟକ ମନ୍‌ଦୀପ ସିଂହ ୩୯ ଓ ଅନ୍‌ମୋଲ ମାଲହୋତ୍ରା ୧୬ ରନ୍‌ରେ ଅପରାଜିତ ରହିଛନ୍ତି। ସୌରାଷ୍ଟ୍ର ପକ୍ଷରୁ ଧର୍ମେନ୍ଦ୍ରସିଂହ ଜାଦେଜା ଓ ଯୁବରାଜସିଂହ ଦୋଦିୟା ୨-୨ ୱିକେଟ୍‌ ନେଇଥିଲା ବେଳେ ପାର୍ଥ ଭୂଟ୍‌ ଗୋଟିଏ ପାଇଛନ୍ତି।

ଆହତ ବିହାରୀ ଗୋଟିଏ ହାତରେ ବ୍ୟାଟିଂ କଲେ
ଇନ୍ଦୋରରେ ରିକି ଭୂଇ (୧୪୯) ଓ କରନ ସିନ୍ଦେ (୧୧୦)ଙ୍କ ଶତକ ସାଙ୍ଗକୁ ତୃତୀୟ ୱିକେଟ୍‌ରେ ୨୮୫ ରନ୍‌ ଭାଗୀଦାରି ବଳରେ ଆନ୍ଧ୍ରପ୍ରଦେଶ ପ୍ରଥମ ପାଳିରେ ୩୭୯ ରନ୍‌ କରିନେଇଥିଲା। ଏହାପରେ ମଧ୍ୟପ୍ରଦେଶ ପ୍ରଥମ ପାଳିର ୪ ୱିକେଟ୍‌ ୧୪୪ ରନ୍‌ରେ ଝଡ଼ାଇ ଦେଇ ଅଗ୍ରଣୀ ଲକ୍ଷ୍ୟରେ ରହିଛି। ଆନ୍ଧ୍ରପ୍ରଦେଶ ପ୍ରଥମ ପାଳିରେ ମଧ୍ୟପ୍ରଦେଶ ପକ୍ଷରୁ ଅନୁଭବ ଅଗ୍ରୱାଲ ୪, କୁମାର କାର୍ତିକେୟ ଓ ଗୌରବ ୟାଦବ ୨-୨ ୱିକେଟ୍‌ ନେଇଥିଲେ। ତେବେ ଆନ୍ଧ୍ରପ୍ରଦେଶ ଅଧିନାୟକ ହନୁମା ବିହାରୀ ଆହତ ସତ୍ତ୍ବେ ଗୋଟିଏ ହାତରେ ବ୍ୟାଟିଂ କରିବାର ଦେଖିବାକୁ ମିଳିଥିଲା। ପ୍ରଥମ ଦିବସରେ ବ୍ୟାଟିଂ ବେଳେ ଆୱେସ ଖାନ୍‌ଙ୍କ ବାଉଁସରରେ ତାଙ୍କ ବାମହାତ କଚଟି ଭାଙ୍ଗି ଯାଇଥିଲା। ସେ ରିଟାୟର୍ଡ ହର୍ଟ ହୋଇ ପାଭିଲିୟନ୍‌ ଫେରିଥିଲେ।

ସେତେବେଳକୁ ୩୭ ବଲ୍‌ରୁ ୧୬ ରନ୍‌ କରିଥିଲେ। ତାଙ୍କ କଚଟି ଭାଙ୍ଗିଥିବା ଏକ୍ସ-ରେ ରିପୋର୍ଟରୁ ଜଣାପଡ଼ିଥିଲା। ସେ ୫ରୁ ୬ ସପ୍ତାହ ଖେଳିପାରିବେନି ବୋଲି କୁହାଯାଇଥିଲା। ହେଲେ ଆବଶ୍ୟକତା ପଡ଼ିଲେ ପଡ଼ିଆକୁ ଓହ୍ଲାଇବେ ବୋଲି ଟିମ୍‌ ମ୍ୟାନେଜମେଣ୍ଟ ନିଷ୍ପତ୍ତି ନେଇଥିଲା। ଫଳରେ ଦଳର ପ୍ରଥମ ପାଳିକୁ ଦୃଢ଼ କରିବା ପାଇଁ ବୁଧବାର ଦ୍ବିତୀୟ ଦିବସରେ ବ୍ୟାଟିଂ ପାଇଁ କ୍ରିଜ୍‌କୁ ଆସିଥିଲେ। ସେ କେବଳ ଡାହାଣ ହାତରେ ବ୍ୟାଟିଂ କରି ଦ୍ରୁତ ବୋଲର ଆୱେସ ଖାନ୍‌ଙ୍କୁ ସାମ୍‌ନା କରିଥିଲେ। ସେ ୨୭ ରନ୍‌ରେ ସାରାଂଶ ଜୈନ୍‌ଙ୍କ ଦ୍ବାରା ଏଲ୍‌ବିଡବ୍ଲୁ ଆଉଟ୍‌ ହେବା ପୂର୍ବରୁ ୫୭ ବଲ୍‌ ଖେଳି ୫ ଚୌକା ମାରିଥିଲେ। ଆହତ ପରେ ‌ଖେଳିବାକୁ ଆସି ସେ ୨ଟି ଚୌକା ମାରିଥିଲା ବେଳେ ସେଥିରୁ ଗୋଟିଏ ଚୌକା ଆୱେସ ଖାନ୍‌ଙ୍କୁ ମାରିଥିଲେ। ବିହାରୀଙ୍କ ଏଭଳି ବୀରତ୍ବ ମନୋଭାବ ସିଡ୍‌ନି କ୍ରିକେଟ୍‌ ଗ୍ରାଉଣ୍ଡରେ ରବିଚନ୍ଦ୍ରନ୍‌ ଅଶ୍ବିନଙ୍କ ସହ ମିଶି ଭାରତକୁ ଟେଷ୍ଟ୍‌ ପରାଜୟରୁ ବଞ୍ଚାଇଥିବା ପାଳିକୁ ମନେ ପକାଇ ଦେଇଥିଲା।

ସମ୍ବନ୍ଧିତ ଖବର