ନୂଆଦିଲ୍ଲୀ: ବଡ଼ଭାଇ ସର୍‌ଫରାଜ ଖାନ୍‌ ଟେଷ୍ଟ୍‌ ପଦାର୍ପଣରେ ଅର୍ଦ୍ଧଶତକ ହାସଲ କରି ଚର୍ଚ୍ଚାରେ ଅଛନ୍ତି। ଏଣେ ସାନଭାଇ ମୁସୀର ରଣଜୀ ଟ୍ରଫିରେ ଦ୍ବିଶତକ ମାରି ମୁମ୍ବାଇକୁ ରକ୍ଷା କରିଛନ୍ତିି। ୧୯ ବର୍ଷରୁ କମ୍‌ ଭାରତୀୟ ଦଳର ତାରକା ବ୍ୟାଟର୍‌ ମୁସୀର ଚଳିତ ନିଜ ରଣଜୀ ଋତୁରେ ନିଜ ପ୍ରଥମ ମ୍ୟାଚ୍‌ରେ ଦ୍ବିଶତକ ମାରିଛନ୍ତି। ବରୋଦା ବିପକ୍ଷ କ୍ବାର୍ଟଫାଇନାଲ୍‌ରେ ଶୁକ୍ରବାର ପ୍ରଥମ ଦିନରେ ମୁସୀର ଶତକ ମାରିଥିଲା ବେଳେ ଶନିବାର ତାହାକୁ ଦ୍ବିଶତକରେ ପରିଣତ କରିଛନ୍ତି। ମୁମ୍ବାଇ ପ୍ରଥମ ପାଳିରେ ୩୮୪ ରନ୍‌ କରିଥିବାବେଳେ ମୁସୀର ୨୦୩* ରନ୍‌(୩୫୭ ବଲ୍‌, ୧୮ଚୌକା)ରେ ଅପରାଜିତ ଥିଲେ। ବରୋଦାର ଭାର୍ଗବ ଭଟ୍ଟ ୫ ୱିକେଟ୍‌ (୪୨.୪-୫-୧୧୨-୭) ସଫଳତା ପାଇଥିଲେ। ଦ୍ବିତୀୟ ଦିନ ଷ୍ଟମ୍ପ୍ସ ଅପସାରଣ ବେଳକୁ ବରୋଦା ୨ ୱିକେଟ୍ ବିନିମୟରେ ୧୨୭ ରନ୍‌ କରିଛି।

Advertisment

ନାଗପୁରରେ ଖେଳାଯାଉଥିବା ପ୍ରଥମ କ୍ବାର୍ଟରଫାଇନାଲ୍‌ରେ ବିଦର୍ଭ ୪୬୦ ରନ୍‌ର ବଡ଼ ସ୍କୋର ଠିିଆ କରିଛି। ଅଥର୍ବ ତାଇଦେ ୧୦୯ ଓ ୟଶ ରାଠୋଡ଼ ୯୩ ରନ୍‌ରେ ଆଉଟ୍‌ ହୋଇଛନ୍ତି। ଦ୍ବିତୀୟ ଦିନରେ କରୁଣ ନାୟର ୯୦ ରନ୍‌ର ଉପଯୋଗୀ ପାଳି ଖେଳିଥିଲେ। ଶନିବାର ଖେଳ ଶେଷ ସୁଦ୍ଧା କର୍ଣ୍ଣାଟକ ୯୮/୨ ସ୍କୋର କରିଛି। କୋଏମ୍ବାଟୁରରେ ଚାଲିଥିବା ତୃତୀୟ କ୍ବାର୍ଟରଫାଇନାଲ୍‌ରେ ସୌରାଷ୍ଟ୍ର ବିପକ୍ଷରେ ତାମିଲନାଡୁ ୧୧୭ ରନ୍‌ର ଅଗ୍ରଣୀ ନେଇସାରିଲାଣି। ପ୍ରଥମ ଦିନରେ ସୌରାଷ୍ଟ୍ର ୧୮୩ ରନ୍‌ରେ ଅଲଆଉଟ୍‌ ହୋଇଥିଲାବେଳେ ଦ୍ବିତୀୟ ଦିନରେ ତାମିଲନାଡୁ ୩୦୦/୬ ସ୍କୋର କରିଛି। ସାଇ କିଶୋର ୬୦, ବାବା ଈନ୍ଦ୍ରଜିତ ୮୦, ଭୂପତି କୁମାର ୬୫ ରନ୍‌ କରିଛନ୍ତି। ଇନ୍ଦୋରରେ ଖେଳାଯାଉଥିବା ଚତୁର୍ଥ କ୍ବାର୍ଟରଫାଇନାଲ୍‌ରେ ଆନ୍ଧ୍ରପ୍ରଦେଶ ବିପକ୍ଷରେ ମଧ୍ୟପ୍ରଦେଶ ପାଳି ଅଗ୍ରଣୀ ପାଇଛି। ମଧ୍ୟପ୍ରଦେଶ ପ୍ରଥମ ପାଳିର ୨୩୪ ରନ୍‌ ଜବାବରେ ଆନ୍ଧ୍ରପ୍ରଦେଶ ୧୭୨ ରନ୍‌ରେ ଅଲଆଉଟ୍‌ ହୋଇଛି। ଶନିବାର ‌ଷ୍ଟମ୍ପ୍ସ ଅପସାରଣ ସୁଦ୍ଧା ମଧ୍ୟପ୍ରଦେଶ ଦ୍ବିତୀୟ ପାଳିରେ ବିନା କୌଣସି କ୍ଷତିରେ ୨୧ ରନ୍‌ ସଂଗ୍ରହ କରିଛି।