ଭୁବନେଶ୍ବର: ଦେଶର ପ୍ରମୁଖ ଘରୋଇ କ୍ରିକେଟ୍ ପ୍ରତିଯୋଗିତା ରଣଜୀ ଟ୍ରଫିର କ୍ବାର୍ଟରଫାଇନାଲ୍ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ୫ ଦିନିଆ ଏହି ନକ୍ଆଉଟ୍ ପର୍ଯ୍ୟାୟର ପ୍ରଥମ ଦିବସରେ ୩ଟି ଦଳ ଅଲଆଉଟ୍ ହୋଇଯାଇଥିବାରୁ ଫଳାଫଳ ଢେର ଆଗରୁ ମିଳିଯିବ ବୋଲି ଆଭାସ ମିଳିଛି। ପ୍ରଥମ ଦିବସରେ ମଧ୍ୟ ୨ ଜଣ (ସୌରାଷ୍ଟ୍ରର ପାର୍ଥ ଭୂତ, ଆନ୍ଧ୍ରପ୍ରଦେଶର ରିକି ଭୁଇ) ଶତକ ହାସଲ କରିଛନ୍ତି। ଏକମାତ୍ର ବୋଲର ଭାବେ କର୍ଣ୍ଣାଟକର ଏମ ଭେଙ୍କଟେଶ ୫ ୱିକେଟ୍ ସଫଳତା ପାଇଛନ୍ତି। କୋଲକାତାର ଇଡେନ୍ ଗାର୍ଡେନ୍ସରେ ଝାଡ଼ଖଣ୍ଡକୁ ବେଙ୍ଗଲ ବୋଲରମାନେ ମାତ୍ର ୧୭୩ ରନ୍ରେ ଅଲ୍ଆଉଟ୍ କରିଦେଇଛନ୍ତି। କୁମାର ସୁରଜ (୮୯*) ଶେଷ ପର୍ଯ୍ୟନ୍ତ ଲଢ଼ିଥିଲେ ମଧ୍ୟ ଅନ୍ୟ କେହି ସାଥିରେ ନରହିବାରୁ ଦଳ ୬୬.୨ ଓଭରରେ ସମସ୍ତ ୱିକେଟ୍ ହରାଇ ଦେଇଥିଲା। ବେଙ୍ଗଲ ପକ୍ଷରୁ ଆକାଶଦୀପ ୪ ଏବଂ ମୁକେଶ କୁମାର ୩ ୱିକେଟ୍ ନେଇଥିବା ବେଳେ ଈଶାନ ପୋରେଲ ଓ ଆକାଶ ଘଟକ ଗୋଟିଏ ଲେଖାଏଁ ୱିକେଟ୍ ଦଖଲ କରିଥିଲେ।
ବେଙ୍ଗାଲୁରୁଠାରେ ଦ୍ବିତୀୟ କ୍ବାର୍ଟରଫାଇନାଲ୍ରେ ମଧ୍ୟ ଘରୋଇ କର୍ଣ୍ଣାଟକ ବୋଲର ପ୍ରତିପକ୍ଷ ଉତ୍ତରାଖଣ୍ଡ ପାଳିକୁ ମାତ୍ର ୧୧୬ ରନ୍ରେ ସଫା କରିଦେଇଛନ୍ତି। କୁନାଲ ଚାନ୍ଦିଲା ସର୍ବାଧିକ ୩୧ ରନ୍ କରିଥିଲେ। କର୍ଣ୍ଣାଟକ ପକ୍ଷରୁ ମଧ୍ୟମଗତି ବୋଲର ଏମ୍ ଭେଙ୍କଟେଶ (୧୪-୩-୩୬-୫) ପାଞ୍ଚ ୱିକେଟ୍ ଦଖଲ କରିଥିବା ବେଳେ ବିଦ୍ବତ କାଭେରପା, କ୍ରିଷ୍ଣାପା ଗୌତମ ୨-୨ ଏବଂ ବିଜୟ କୁମାର ବିଶାକ ଗୋଟିଏ ୱିକେଟ୍ ନେଇଥିଲେ। ଜବାବରେ ରବିକୁମାର ସମର୍ଥ (୫୪*) ଏବଂ ମୟଙ୍କ ଅଗ୍ରୱାଲ (୬୫*)ଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ କର୍ଣ୍ଣାଟକ ବିନା ୱିକେଟ୍ରେ ୧୨୩ ରନ୍ ସଂଗ୍ରହ କରି ପ୍ରଥମ ଦିବସରୁ ଆଗୁଆ ହୋଇଯାଇଛି।
ରାଜକୋଟଠାରେ କିନ୍ତୁ ଘରୋଇ ସୌରାଷ୍ଟ୍ରକୁ ୩୦୩ ରନ୍ରେ ଅଲ୍ଆଉଟ୍ କରିଦେଇଛି ପଞ୍ଜାବ। ପ୍ରାରମ୍ଭିକ ବ୍ୟାଟର୍ ସ୍ନେଲ ପଟେଲ୍ (୭୦) ଅର୍ଦ୍ଧଶତକ ହାସଲ କରିଥିଲେ ମଧ୍ୟ ସୌରାଷ୍ଟ୍ର ୧୪୭/୮ରେ ସଂଘର୍ଷ କରିଥିଲା। ୯ ନମ୍ବର ବ୍ୟାଟର୍ର ପାର୍ଥ ଭୂତ କିନ୍ତୁ ଆକର୍ଷଣୀୟ ଶତକ (୧୫୫ ବଲରୁ ୧୧୧* ରନ୍, ୧୧ ଚୌକା, ୪ ଛକା) ହାସଲ କରିବା ସହ ଶେଷ ଦୁଇ ଭାଗୀଦାରିରେ ୧୫୫ ରନ୍ ଯୋଡ଼ି ସବୁ ଓଲଟପାଲଟ କରି ଦେଇଥିଲେ। ପଞ୍ଜାବ ପକ୍ଷରୁ ମୟଙ୍କ ମାର୍କଣ୍ଡ ୪, ବେଲତେଜ ସିଂହ ୩, ସିଦ୍ଧାର୍ଥ କୌଲ୍ ୨, ନମନ ଧୀର ୧ ୱିକେଟ୍ ନେଇଥିଲେ। ଜବାବରେ ପ୍ରଥମ ଦିବସ ସୁଦ୍ଧା ପଞ୍ଜାବ ବିନା କ୍ଷତିରେ ୩ ରନ୍ କରିଛି।
ଇନ୍ଦୋରରେ ଆରମ୍ଭ ହୋଇଥିବା ଚତୁର୍ଥ କ୍ବାର୍ଟରଫାଇନାଲ୍ରେ ମଧ୍ୟପ୍ରଦେଶ ବିପକ୍ଷରେ ଆନ୍ଧ୍ରପ୍ରଦେଶ ୨ ୱିକେଟ୍ ହରାଇ ୨୬୨ ରନ୍ କରିଛି। ରିକି ଭୂଇ (୧୧୫* ରନ୍, ୨୦୦ ବଲ୍) ଏବଂ କରଣ ସିନ୍ଧେ (୮୩*, ୨୨୨ ବଲ୍) ଅତୁଟ ୨୦୪ ରନ୍ ସଂଗ୍ରହ କରି ଭ୍ରମଣକାରୀ ଦଳର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟକୁ ଏଡ଼ାଇଛନ୍ତି। ୫୮ ରନ୍ରେ ଦଳ ୨ ୱିକେଟ୍ ହରାଇବା ସହ ଅଧିନାୟକ ହନୁମା ବିହାରୀ ରିଟାର୍ଡ ହର୍ଟ ହୋଇ ଫେରିଯାଇଥିଲେ। ଭୂଇ ଓ ସିନ୍ଧେଙ୍କ ଅପରାଜିତ ଦ୍ବିଶତକ ଭାଗୀଦାରି ଆନ୍ଧ୍ରକୁ ରକ୍ଷା କରିଛି। ମଧ୍ୟପ୍ରଦେଶ ପକ୍ଷରୁ ଉଭୟ ୱିକେଟ୍ ଗୌରବ ୟାଦବ ନେଇଛନ୍ତି।