କଟକ: ଡ୍ରିମ୍‌ସ ଖେଳପଡ଼ିଆରେ ଚାଲିଥିବା ଓଡ଼ିଶା-ଜମ୍ମୁକାଶ୍ମୀର ରଣଜୀ ମ୍ୟାଚ୍‌ର ଦ୍ବିତୀୟ ଦିନ ଘରୋଇ ଦଳ ପୁଣି ଥରେ ବ୍ୟାଟିଂ ବିପର୍ଯ୍ୟୟ ସାମ୍ନା କରିଛି। ରାଜେଶ ମହାନ୍ତିଙ୍କ ୫ ୱିକେଟ୍ ସଫଳତା ସତ୍ତ୍ବେ ପ୍ରଥମ ପାଳିରେ ଓଡ଼ିଶା ୫୦ ରନ୍‌ରେ ପଛେଇ ଯାଇଥିଲା। ଦ୍ବିତୀୟ ପାଳିରେ ଷ୍ଟମ୍ପ୍ସ ଅପସାରଣ ସୁଦ୍ଧା ୧୨୬/୭ କରିଛି। ଆହୁରି ଦୁଇଦିନ ଖେଳ ଥିଲେ ବି ରବିବାର ଫଳାଫଳ ଆସିଯିବାର ସମ୍ଭାବନା ସୃଷ୍ଟି ହୋଇଛି। ଓଡ଼ିଶା ପ୍ରଥମ ପାଳିରେ ୧୩୦ ରନ୍‌‌ କରିଥିବା ବେଳେ ଜମ୍ମୁ କଶ୍ମୀର ଦ୍ବିତୀୟ ଦିନରେ ୧୮୦ ରନ୍‌ କରି ସମସ୍ତ ୱିକେଟ୍‌ ହରାଇଥିଲା।

Advertisment

ଶନିବାର ୪୫/୪ରୁ ଜମ୍ମୁ କଶ୍ମୀର ଦ୍ବିତୀୟ ଦିନ ଆରମ୍ଭ କରି ଆକ୍ରମଣାତ୍ମକ ଢଙ୍ଗରେ ବ୍ୟାଟିଂ କରିଥିଲା। ପ୍ରାରମ୍ଭିକ ବ୍ୟାଟର୍‌ ଆବିଦ୍‌ ମୁସ୍ତାକଙ୍କ ୫୦, ଉମର ନଜିରଙ୍କ ୨୫ ଓ ଶୁଭମ ପାଣ୍ଡିରଙ୍କ ୩୧ ରନ୍‌ ‌ଯୋଗଦାନ ଯୋଗୁଁ ଦଳ ୧୮୦ ରନ୍‌ କରି ଓଡ଼ିଶା ଠାରୁ ଅଗ୍ରଣୀ ଲାଭ କରିଥିଲା। ୨୩ ବର୍ଷୀୟ ରାଜେଶ ମହାନ୍ତିଙ୍କ ପଞ୍ଚମ ୫ ୱିକେଟ୍ ସଫଳତା ବିଶେଷ ଫରକ ପକାଇପାରି ନଥିଲେ ମଧ୍ୟ ଓଡ଼ିଶାକୁ ପ୍ରତ୍ୟାବର୍ତନ ସୁ‌ଯୋଗ ମିଳିଥିଲା। ରାଜେଶ ମାତ୍ର ୧୨.୪ ଓଭର ବୋଲିଂ କରିଥିଲା ବେଳେ ୬୪ ରନ୍‌ ବିନିମୟରେ ୫ ୱିକେଟ୍‌ ନେଇଥିଲେ। ସୁନିଲ କୁମାର ରାଉଳ ମଧ୍ୟ ୩ ୱିକେଟ୍‌ ପାଇଥିଲେ। ଓଡ଼ିଶା ପାଇଁ ଏହି ଦୁଇ ବୋଲର ସୁଯୋଗ ସୃଷ୍ଟି କରିଥି‌ଲେ ବି ଦ୍ବିତୀୟ ପାଳିରେ ଓଡ଼ିଶା ବ୍ୟାଟର ଏହାର ଫାଇଦା ନେଇ ପାରି ନଥିଲେ। ଦ୍ବିତୀୟ ପାଳିରେ ଓଡ଼ିଶା ମାତ୍ର ୬୭ ରନ୍‌ରେ ୭ ମୂଲ୍ୟବାନ ୱିକେଟ୍‌ ହରାଇ ସାରିଥିଲା। ପ୍ରଥମ ଦିନ ଭଳି ଦ୍ବିତୀୟ ଦିନରେ ବି ପ୍ରାରମ୍ଭିକ ଯୋଡ଼ି ଅସଫଳ ହୋଇଥିଲେ। ଶାନ୍ତନୁ ମିଶ୍ର ଓ ଅନୁରାଗ ଷଡ଼ଙ୍ଗୀ ୫୮ ବଲ୍‌ରୁ ୨୨ରନ୍‌ ଉଠାଇ ପାରିଥିଲେ। କିନ୍ତୁ ୧ ରନ୍‌ ବ୍ୟବଧାନରେ ଉଭୟ ବ୍ୟାଟର୍‌ ଆଉଟ୍‌ ହୋଇଥିଲେ। ଏହା ପରେ ୱିକେଟ୍‌ ପତନ ଧାରା ଲାଗି ରହିଥିଲା। ମଧ୍ୟକ୍ରମ ସଂପୂର୍ଣ୍ଣ ବିଫଳ ହେବାରୁ ଓଡ଼ିଶା ସଂଘର୍ଷ କରିଥିଲା। ତଥାପି ସନ୍ଦୀପ ପଟ୍ଟନାୟକଙ୍କ ସହ ସୂର୍ଯ୍ୟକାନ୍ତ ପ୍ରଧାନ ଅବିଭାଜିତ ଅର୍ଦ୍ଧଶତକୀୟ ଭାଗୀଦାରି (୭୪ ବଲ୍‌ରୁ ୫୯ ରନ୍‌) ଗଢ଼ି ଦଳକୁ ଏକ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଛନ୍ତି। ସନ୍ଦୀପ ୧୦୮ ବଲ୍‌ରୁ ୪୭* ରନ୍‌ ଓ ସୂର୍ଯ୍ୟକାନ୍ତ ୨୫ ବଲରୁ ୨୭* ରନ୍‌ କରି ଅପରାଜିତ ଅଛନ୍ତି। ଭ୍ରମଣକାରୀ ଦଳର ରୋହିତ, ଉମର ଓ ଆକିବ୍‌ ନବି ୨ ଲେଖାଏଁ ୱିକେଟ୍‌ ନେଇଛନ୍ତି।

ସଂକ୍ଷୀପ୍ତ ସ୍କୋର: ଓଡ଼ିଶା ପ୍ରଥମ ପାଳି: ୧୩୦ (ଗୋବିନ୍ଦ ପୋଦ୍ଦାର-୫୫, ଶାନ୍ତନୁ ମିଶ୍ର-୨୮, ରୋହିତ ଶର୍ମା-୫/୧୨)। ଜମ୍ମୁକାଶ୍ମୀର ପ୍ରଥମ ପାଳି: ୪୫.୪ ଓଭରରେ ୧୮୦/୧୦ (ଅବିଦ୍‌ ମୁସ୍ତାକ-୫୦, ଶୁଭମ୍‌ ପୁନ୍ଦିର-୩୪, ଉମର ନଜିର ମିର୍‌-୨୫, ରାଜେଶ ମହାନ୍ତି-୫/୬୪, ସୁନିଲ ରାଉଳ-୩/୩୨, ପ୍ରୟାସ ସିଂହ-୧/୩୦)। ଓଡ଼ିଶା ଦ୍ବିତୀୟ ପାଳି: ୪୩ ଓଭରରେ ୧୨୬/୭ (ସନ୍ଦୀପ ପଟ୍ଟନାୟକ-୪୭*, ସୂର୍ଯ୍ୟକାନ୍ତ ପ୍ରଧାନ-୨୭*, ଅନୁରାଗ ଷଡ଼ଙ୍ଗୀ-୧୬, ରୋହିତ ଶର୍ମା-୨/୨୩, ଉମର ନଜିର ମିର୍‌-୨/୨୭, ଆକିବ୍‌ ନବି-୨/୪୪)।