କଟକ: ବାରବାଟୀ ଷ୍ଟାଡିୟମରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଓଡ଼ିଶା-ପୁଡୁଚେରି ରଣଜୀ ମ୍ୟାଚ୍ର ପ୍ରଥମ ଦିନରେ ଦୁଇ ଦଳ ମିଶ୍ରିତ ଫଳ ପାଇଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ୪ ୱିକେଟ୍ ହରାଇ ୨୩୦ ରନ୍ ସଂଗ୍ରହ କରିଛି। ଓଡ଼ିଶାର ଦୁଇ ପ୍ରମୁଖ ବ୍ୟାଟର୍ ଗୋବିନ୍ଦ ପୋଦାର ୮୦* ଓ ବିପ୍ଳବ ସାମନ୍ତରାୟ ୪୧* ରନ୍ କରି ଅପରାଜିତ ଅଛନ୍ତି। ପୁଡୁଚେରି ଟସ୍ ଜିତି କ୍ଷେତ୍ରରକ୍ଷଣ ନିଷ୍ପତ୍ତି ନେଇଥିଲା। ଅପରିବର୍ତ୍ତିତ ଓଡ଼ିଶା ଦଳ ଆରମ୍ଭରୁ ନିରାଶ କରିଥିଲା। ଦଳର ୧୬ ରନ୍ କରିଥିଲା ବେଳେ ଅନୁରାଗ ଷଡ଼ଙ୍ଗୀ ମାତ୍ର ୮ ରନ୍ କରି ଆଉଟ୍ ହୋଇଯାଇଥିଲେ। ଅଧିନାୟକ ଶାନ୍ତନୁ ମିଶ୍ର ପୂର୍ବ ମ୍ୟାଚ୍ର ତ୍ରୁଟିକୁ ସୁଧାରି ରକ୍ଷଣାତ୍ମକ ଢଙ୍ଗରେ ଖେଳିଥିଲେ। ଶାନ୍ତନୁଙ୍କ ସହ ପୂର୍ବ ମ୍ୟାଚ୍ର ଶତକ ଅର୍ଜନକାରୀ ସନ୍ଦୀପ ପଟ୍ଟନାୟକ ମିଳିତ ଭାବେ ୧୭୨ ବଲ୍ରୁ ୭୦ ରନ୍ ଯୋଗ କରି ପାଳି ସମ୍ଭାଳି ଥିଲେ। ମାତ୍ର ଦଳର ସ୍କୋର ୮୬ ରନ୍ ହୋଇଥିବା ବେଳେ ଶାନ୍ତନୁ (୪୦, ୧୩୭ ବଲ୍, ୫ଚୌକା) ଆଉଟ୍ ହୋଇଯାଇଥିଲେ। ଏହାପରଠୁ ଦଳ ବିପର୍ଯ୍ୟୟ ଘେରରେ ପଡ଼ିବା ସହ ପରବର୍ତ୍ତୀ ୨୬ ରନ୍ ମଧ୍ୟରେ ଶୁଭ୍ରାଂଶୁ ସେନାପତି (୮) ଓ ସନ୍ଦୀପ (୪୪)ଙ୍କୁ ହରାଇଥିଲା। ତେବେ ଦୁଇ ପୂର୍ବତନ ଅଧିନାୟକ ଗୋବିନ୍ଦ ପୋଦାର ଓ ବିପ୍ଳବ ସାମନ୍ତରାୟ ଦଳର ଭାର ସମ୍ଭାଳି ନେଇଥିଲେ। ଏହି ଯୋଡି ପଥମ ଦିନ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ୨୪୯ ବଲ୍ରୁ ୧୧୮* ରନ୍ ଯୋଡ଼ିଛନ୍ତି। ପୁଡୁଚେରିର ଗୌରବ ଯାଦବ ୨ ୱିକେଟ୍ ନେଇଥିବା ବେଳେ ରବି ଯାଦବ ଓ ସୌରଭ ଯାଦବ ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ।
ସଂକ୍ଷୀପ୍ତ ସ୍କୋର: ଓଡ଼ିଶା ପ୍ରଥମ ପାଳି ୮୭ ଓଭରରେ ୨୩୦/୪ (ଗୋବିନ୍ଦ ପୋଦାର-୮୦*, ସନ୍ଦୀପ ପଟ୍ଟନାୟକ-୪୪, ଶାନ୍ତନୁ ମିଶ୍ର-୪୦, ବିପ୍ଳବ ସାମନ୍ତରାୟ-୪୧*, ଗୌରବ ଯାଦବ-୨/୬୪, ରବି ଯାଦବ-୧/୩୦, ସୌରଭ ଯାଦବ-୧/୪୦)।