ଭୁବନେଶ୍ବର : ପ୍ରଥମ ପାଳିରେ ସୁଦୀପ ଘରାମି ଓ ଅନୁଷ୍ଟୁପ ମଜୁମଦାରଙ୍କ ଶତକୀୟ ପାଳି ପରେ ଆକାଶଦୀପଙ୍କ ୫ ୱିକେଟ୍‌ ସଫଳତା ବଳରେ ଇନ୍ଦୋରରେ ଚାଲିଥିବା ମଧ୍ୟପ୍ରଦେଶ ବିପକ୍ଷ ରଣଜୀ ସେମିଫାଇନାଲ୍‌ରେ ବେଙ୍ଗଲ ପ୍ରଥମ ପାଳିରେ ମହତ୍ବପୂର୍ଣ୍ଣ ଅଗ୍ରଣୀ ପାଇଛି। ତେବେ ଫଲୋଅନ୍‌ ନଡାକି ବେଙ୍ଗଲ ଦ୍ବିତୀୟ ପାଳିରେ ତୃତୀୟ ଦିନ ଷ୍ଟମ୍ପ୍ସ ଅପସାରଣ ବେଳକୁ ୨ ୱିକେଟ୍‌ ବିନିମୟରେ ୫୯ ରନ୍‌ କରିଛି। ଏଥିସହିତ ବେଙ୍ଗଲ ମୋଟ୍‌ ୩୨୭ ରନ୍‌ର ଅଗ୍ରଣୀ ପାଇଛି। ପ୍ରଥମ ପାଳିରେ ୧୭୦ ରନ୍‌ କରିପାରିଥିବା ମଧ୍ୟପ୍ରଦେଶ ପକ୍ଷରୁ ସାରାଂଶ ଜୈନ (୬୫) ଓ ଶୁଭମ୍‌ ଶର୍ମା (୪୪)ଙ୍କୁ ଛ‌ାଡ଼ିଦେଲେ ଅନ୍ୟ କେହି ସଫଳ ହୋଇନଥିଲେ। ଆକାଶଦୀପ ୧୮-୩-୪୨-୫ର ବୋଲିଂ ସଫଳତା ହାତେଇଥିଲେ। ବେଙ୍ଗଲ ଦ୍ବିତୀୟ ପାଳିରେ କରଣ ଲାଲ୍‌ (୧୯) ଓ ଅଭିମନ୍ୟୁ ଇଶ୍ବରନ୍‌ (୧୭) ଆଉଟ୍‌ ହୋଇଥିଲା ବେଳେ ସୁଦୀପ ଓ ଅନୁଷ୍ଟୁପ ଅପରାଜିତ ଅଛନ୍ତି।

Advertisment

ପାଳି ଅଗ୍ରଣୀ ଦ୍ବାରରେ ସୌରାଷ୍ଟ୍ର
ବେଙ୍ଗାଲୁରୁରେ ଚାଲିଥିବା ଅନ୍ୟ ସେମିଫାଇନାଲ୍‌‌ରେ ୩୬୪/୪ କରିଥିବା ସୌରାଷ୍ଟ୍ରକୁ କର୍ଣ୍ଣାଟକଠୁ ପାଳି ଅଗ୍ରଣୀ ପାଇବା ପାଇଁ ଆଉ ୪୩ ରନ୍‌ ଆବଶ୍ୟକ ହେଉଛି। କର୍ଣ୍ଣାଟକର ୪୦୭ ରନ୍‌ ଜବାବରେ ସେଲ୍‌ଡନ୍‌ ଜାକସନ୍‌ ଓ ଅର୍ପିତ ଭାସବଡ଼ାଙ୍କ ଦ୍ବିଶତକୀୟ ଭାଗୀଦାରି ଦଳକୁ ଅଗ୍ରଣୀର ନିକଟତର କରିଛି। ତେବେ କୃଷ୍ଣାପା ଗୌତମ ଯୋଡ଼ି ଭାଙ୍ଗି କର୍ଣ୍ଣାଟକକୁ ବିଳମ୍ବିତ ସଫଳତା ଦେଇଥିଲେ। ଉଭୟ ଜାକ୍‌ସନ ଓ ଭାସବଡ଼ା ନିଜ ନିଜର ଶତକ ପୂରଣ କରିବା ସାଙ୍ଗକୁ ଚତୁର୍ଥ ୱିକେଟ୍‌ରେ ୨୩୨ ରନ୍ ଯୋଡ଼ିଥିଲେ। ଜାକସନ୍‌ ୨୪୫ ବଲ୍‌ରୁ ୨୩ ଚୌକା ଓ ୨ ଛକା ସହାୟତାରେ ୧୬୦ ରନ୍‌ କରି ଆଉଟ୍‌ ହୋଇଲା ବେଳେ ଅର୍ପିତ ୧୧୨* ରନ୍‌ରେ ଅପରାଜିତ ଅଛନ୍ତି।