ଇନ୍ଦୋର/ବେଙ୍ଗାଲୁରୁ: ରଣଜୀ ଟ୍ରଫି ସେମିଫାଇନାଲ୍ରେ ଉଭୟ ବେଙ୍ଗଲ ଓ କର୍ଣ୍ଣାଟକ ଦୃଢ ସ୍ଥିତିରେ ଅଛନ୍ତି। ଇନ୍ଦୋରରେ ବେଙ୍ଗଲ ପ୍ରଥମ ପାଳି ୪୩୮ରେ ଶେଷ ହୋଇଥିଲା ବେଳେ ବେଙ୍ଗାଲୁରୁରେ କର୍ଣ୍ଣାଟକ ୪୦୭ ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା। ଇନ୍ଦୋରରେ ବେଙ୍ଗଲର ଦୁଇ ଅପରାଜିତ ବ୍ୟାଟର ମନୋଜ ତିୱାରୀ (୪୨) ଓ ଶାହବାଜ ଅହମ୍ମଦ (୧୪)ଙ୍କ ମଧ୍ୟରେ ୨୭ ରନ୍ର ଛୋଟ ଭାଗୀଦାରି ପରେ ଅଭିଷେକ ପୋରେଲ୍ଙ୍କ ଅର୍ଦ୍ଧଶତକ (୫୧) ଯୋଗୁଁ ଦଳ ୪୦୦ ପାର୍ କରିଥିଲା ମଧ୍ୟପ୍ରଦେଶର କୁମାର କାର୍ତ୍ତିକେୟ ସର୍ବାଧିକ ୩, ଗୌରବ ଯାଦବ ଓ ଅନୁଭବ ଅଗରୱାଲ୍ ୨ ୱିକେଟ୍ ଲେଖାଏଁ ଅକ୍ତିଆର କରିଥିଲେ। ପରେ ମଧ୍ୟପ୍ରଦେଶ ୨ ୱିକେଟ୍ ବିନିମୟରେ ୫୬ ରନ୍ କରିଛି। ୟାଶ ଦୁବେ ୧୨ ଓ ହିମାଂଶୁ ମନ୍ତ୍ରୀ ୨୩ ରନ୍ କରି ଆଉଟ୍ ହେବା ପରେ ସାରାଂଶ ଜୈନ ୧୭* ଓ ଅନୁଭବ ଅଗରୱାଲ୍ ୪* ରନ୍ କରି ଅପରାଜିତ ଅଛନ୍ତି।
ବେଙ୍ଗାଲୁରୁରେ ଚାଲିଥିବା ଅନ୍ୟ ସେମିଫାଇନାଲ୍ରେ କର୍ଣ୍ଣାଟକର ୪୦୭ ରନ୍ ଜବାବରେ ଦ୍ବିତୀୟ ଦିନର ଷ୍ଟମ୍ପ୍ସ ଅପସାରଣ ବେଳକୁ ସୌରାଷ୍ଟ୍ର ୨ ୱିକେଟ୍ ବିନିମୟରେ ୭୬ ରନ୍ କରିଛି। ସ୍ନେଲ ପଟେଲ୍ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲା ବେଳେ ବିଶ୍ବରାଜ ଜାଦେଜା ୨୨ ରନ୍ କରି ବିଦ୍ବଥ କାଭେରାପ୍ପାଙ୍କ ଦ୍ବିତୀୟ ଶିକାର ହୋଇଥିଲେ। ଖେଳ ବନ୍ଦ ହେବା ବେଳକୁ ହାର୍ଭିକ ଦେଶାଇ ୨୭* ଓ ସେଲଡନ୍ ଜାକସନ୍ ୨୭* ରନ୍ କରି ଅପରାଜିତ ଅଛନ୍ତି। ଏଥିପୂର୍ବରୁ କର୍ଣ୍ଣାଟକ ପ୍ରଥମ ପାଳିରେ ଅପରାଜିତ ଶ୍ରୀନିବାସ ଶରତ (୬୬) ଆଉ ୮ ରନ୍ ଯୋଗ କରିବା ପରେ ଆଉଟ୍ ହୋଇଥିଲେ। ତେବେ ଅଧିନାୟକ ମୟଙ୍କ ଅଗ୍ରୱାଲ୍ ତାଙ୍କ ପାଳିକୁ ଦ୍ବିଶତକରେ ପରିଣତ କରିବା ସହ ଶେଷ ୱିକେଟ୍ ଭାବେ ଆଉଟ୍ ହୋଇଥିଲେ। ଆଉଟ ହେବା ବେଳକୁ ସେ ୪୨୯ ବଲ୍ରୁ ୨୮ ଚୌକା ଓ ୬ ଛକା ସହାୟତାରେ ୨୪୯ ରନ୍ ସଂଗ୍ରହ କରିସାରିଥିଲେ।