ରଣଜୀ ଟ୍ରଫି ସେମି ଫାଇନାଲ୍‌: ପରାଜୟ ଦ୍ୱାରରେ କର୍ଣ୍ଣାଟକ

କୋଲ୍‌କାତା: କୋଲ୍‌କାତାର ଇଡେନ୍‌ ଗାର୍ଡେନ୍ସରେ ଚାଲିଥିବା ଦ୍ୱିତୀୟ ସେମିଫାଇନାଲ୍‌ରେ କର୍ଣ୍ଣାଟକ ପରାଜୟ ଦ୍ୱାରରେ ପହଞ୍ଚିଛି। ବିଦର୍ଭ ପ୍ରଥମ ପାଳି ୧୮୫ ଜବାବରେ କର୍ଣ୍ଣାଟକ ୩୦୧ କରିଥିଲା। ତେବେ ୧୧୬ ରନ୍‌ ପଛରେ ଥିବା ବିଦର୍ଭ ଦ୍ୱିତୀୟ ପାଳିରେ ଗଣେଶ ସତୀଶ (୮୧)ଙ୍କ ଅର୍ଧଶତକ ବଳରେ ୩୧୩ ରନ୍‌ କରି ମ୍ୟାଚ୍‌କୁ ଫେରିଥିଲା। ଫଳରେ କର୍ଣ୍ଣାଟକ ସମ୍ମୁଖରେ ୧୯୮ ରନ୍‌ର ବିଜୟ ଲକ୍ଷ୍ୟ ଛାଡ଼ିଥିଲା। ଏହାର ଜବାବରେ ବୁଧବାରର ଖେଳ ଶେଷ ସୁଦ୍ଧା ୧୧୧ ରନ୍‌ରେ ୭ ଓ୍ଵିକେଟ୍‌ ହରାଇ କର୍ଣ୍ଣାଟକ ପରାଜୟ ଆଶଙ୍କାରେ ପଡ଼ିଯାଇଛି। କରୁଣ ନାୟର ସର୍ବାଧକ ୩୦ ରନ୍‌ କରିଥିଲା ବେଳେ ଅଧିନାୟକ ବିନୟ କୁମାର (୧୯) ଏବଂ ଶ୍ରେୟସ୍‌ ଗୋପାଳ (୧) ବ୍ୟାଟିଂ ଜାରି ରଖିଛନ୍ତି। ବିଦର୍ଭ ପକ୍ଷରୁ ରାଜନୀଶ ଗୁରବାଣୀ ୪, ସିଧେଶ ନେରାଲ ୨ ଏବଂ ଉମେଶ ଯାଦବ ଗୋଟିଏ ଓ୍ଵିକେଟ୍‌ ନେଇଥିଲେ। ଗୁରୁବାର ଶେଷ ଦିନ ବିଜୟ ଲାଗି କର୍ଣ୍ଣାଟକକୁ ୮୭ ରନ୍‌ ଦରକାର ପଡ଼ୁଥିଲା ବେଳେ ବିଦର୍ଭକୁ ୩ ଓ୍ଵିକେଟ୍‌ ଦରକାର। ବିଦର୍ଭ ଯଦି ଏହି ମ୍ୟାଚ୍‌କୁ ଜିତିନିଏ ତେବେ ପ୍ରଥମ ଥର ଲାଗି ଫାଇନାଲ୍‌ ଖେଳିବାର ସୌଭାଗ୍ୟ ପାଇବ।

ସମ୍ବନ୍ଧିତ ଖବର