ଭୁବନେଶ୍ବର: ରଣଜୀ ଟ୍ରଫି ୨୦୨୪-୨୫ ଋତୁର ସେମିଫାଇନାଲ୍ ଦ୍ବିତୀୟ ଦିନ ଖେଳ ଶେଷ ହୋଇଛି। ଗୁଜରାଟ ବିପକ୍ଷରେ କେରଳ କୌଶଳପୂର୍ଣ୍ଣ ବ୍ୟାଟିଂ କରି ଭଲ ସ୍ଥିତିରେ ରହିଛି। ବିଦର୍ଭ ବିପକ୍ଷରେ କିନ୍ତୁ ରେକର୍ଡ ୪୨ ଥର ବିଜେତା ମୁମ୍ବାଇ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ସୁଯୋଗ ହାତଛଡ଼ା ଆଶଙ୍କାରେ ପଡ଼ିଛି। ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ଖେଳାଯାଉଥିବା ପ୍ରଥମ ସେମିଫାଇନାଲ୍ରେ ଗୁଜରାଟ ବୋଲରଙ୍କୁ ନୟାନ୍ତ କରିଛନ୍ତି କେରଳ ବ୍ୟାଟର୍। କୌଶଳପୂର୍ଣ୍ଣ ଭାବେ ମନ୍ଥର ବ୍ୟାଟିଂ କରି କେରଳ ଦୁଇ ଦିନ ଖେଳ ପରେ ମଧ୍ୟ ଅଲ୍ଆଉଟ୍ ହୋଇନାହିଁ। ଦ୍ବିତୀୟ ଦିନ ଷ୍ଟମ୍ପ୍ସ ବେଳକୁ କେରଳ ୭ ୱିକେଟ୍ ବିନିମୟରେ ୪୧୮ ରନ୍ ସଂଗ୍ରହ କରିଛି। ପ୍ରଥମ ଦିନରୁ ଅପରାଜିତ ରହିଥିବା ସଚିନ ବେବି (୬୯) ଅର୍ଦ୍ଧଶତକ ହାସଲ କରିବା ପରେ ଆଉଟ୍ ହୋଇଯାଇଥିଲେ। କିନ୍ତୁ ଅନ୍ୟତମ ଓଭରନାଇଟ୍ ଖେଳାଳି ୱିକେଟ୍ରକ୍ଷକ ବ୍ୟାଟର୍ ମହମ୍ମଦ ଆଝାରୁଦ୍ଦିନ (୩୦୩ ବଲ୍ରୁ ୧୪୯* ରନ୍, ୧୭ ଚୌକା) ଶେଷ ପର୍ଯ୍ୟନ୍ତ ସଂଗ୍ରାମ ଜାରି ରଖିଛନ୍ତି। ସଲମାନ ନିଜାର (୫୨)ଙ୍କୁ ସାଥି କରି ଆଝାରୁଦ୍ଦିନ୍ ମଧ୍ୟ ଷଷ୍ଠ ୱିକେଟ୍ରେ ୧୪୯ ରନ୍ ଯୋଡ଼ିଥିଲେ। ଷ୍ଟମ୍ପ୍ସ ବେଳକୁ ଆଝାରୁଦ୍ଦିନ୍ଙ୍କ ସହ ଆଦିତ୍ୟ ସରୱାତେ (୧୦*) ବ୍ୟାଟିଂ କରୁଥିଲେ।
ଘରୋଇ ଗୁଜରାଟ ପକ୍ଷରୁ ଅର୍ଜାନ ନଗ୍ବାସୱାଲା ସର୍ବାଧିକ ୩ ୱିକେଟ୍ ଅକ୍ତିଆର କରିଛନ୍ତି। ନାଗପୁରରେ ଚାଲିଥିବା ଦ୍ବିତୀୟ ସେମିଫାଇନାଲ୍ରେ ବିଦର୍ଭ ପ୍ରଥମ ପାଳିରେ ୩୮୩ ରନ୍ କରିଛି। ପୂର୍ବଦିନର ସ୍କୋର୍ ୩୦୮/୫ରୁ ଖେଳିଥିବା ବିଦର୍ଭ ମଙ୍ଗଳବାର ମଧ୍ୟାହ୍ନ ପୂର୍ବରୁ ୩୮୩ ରନ୍ କରି ସମସ୍ତ ୱିକେଟ୍ ହରାଇଥିଲା। ୟଶ ରାଠୋଡ଼ (୫୪)ଙ୍କୁ ଶାର୍ଦୁଳ ଠାକୁର କଟ୍ ଆଣ୍ଡ୍ ବୋଲ୍ଡ କରିଦେବା ପରେ ଅକ୍ଷୟ ୱାଡ୍କର (୩୪)ଙ୍କୁ ରୟଟନ୍ ଡାଏସ କଟ୍ ବିହାଇଣ୍ଡ୍ କରାଇ ନେଇଥିଲେ। ଶେଷ ୩ ୱିକେଟ୍କୁ ଶିବମ ଦୁବେ ୧୯ ରନ୍ ଭିତରେ ଦଖଲ କରି ନେଇଥିଲେ। ଏଥି ସହ ଶିବମ ଦୁବେ ମଧ୍ୟ ୫ ୱିକେଟ୍ ସଫଳତା ପାଇଛନ୍ତି। ଦୁବେ ୧୧.୫-୧-୪୯-୫ ଚିତ୍ର ପାଇଥିବା ବେଳେ ରୟଟନ୍ ଡାଏସ ଓ ସାମ୍ସ ମୁଲାନି ୨-୨ ୱିକେଟ୍ ନେଇଛନ୍ତି। ଜବାବରେ ମୁମ୍ବାଇକୁ ଏହାର ବ୍ୟାଟର୍ ସମ୍ପୂର୍ଣ୍ଣ ନିରାଶ କରିଛନ୍ତି। ଓପନିଂ ବ୍ୟାଟର୍ ଆକାଶ ଆନନ୍ଦ (୬୭*) ବ୍ୟାଟିଂ ଜାରି ରଖିଥିଲେ ମଧ୍ୟ ଦଳ ୭ ୱିକେଟ୍ ହରାଇ ଦେଇଛି। ସିଦ୍ଦେଶ ଲାଡ୍ (୩୫), ଅଜିଙ୍କ୍ୟ ରାହାଣେ (୧୮), ସୂର୍ଯ୍ୟକୁମାର ୟାଦବ (୦), ଶିବମ ଦୁବେ (୦) ପ୍ରମୁଖ ବିଫଳ ହେବା ମୁମ୍ବାଇକୁ ବ୍ୟାକ୍ଫୁଟରେ ରଖିଛି। ନିମ୍ନକ୍ରମରେ ଶାର୍ଦୁଳ ଠାକୁର ୩୭ ରନ୍ କରିଥିଲେ ମଧ୍ୟ ଦିନର ତୃତୀୟ ଶେଷ ଓଭରରେ ଆଉଟ୍ ହୋଇଯାଇଛନ୍ତି। ନିଜର ଦ୍ବିତୀୟ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳୁଥିବା ବାମହାତୀ ସ୍ପିନର୍ ପାର୍ଥ ରେଖାଡ଼େ (୧୬-୬-୧୬-୩) ମୁମ୍ବାଇର ସର୍ବାଧିକ କ୍ଷତି ଘଟାଇଛନ୍ତି। ୟଶ ଠାକୁର ୨ ୱିକେଟ୍ ଅକ୍ତିଆର କରିଥିବା ବେଳେ ଦର୍ଶନ ନଲକାଣ୍ଡେ ଓ ହର୍ଷ ଦୁବେ ୧-୧ ୱିକେଟ୍ ପାଇଛନ୍ତି।