ରଣଜୀ ଟ୍ରଫି ସେମିଫାଇନାଲ, ଉମେଶଙ୍କୁ ୭, କେରଳ ୧୦୬

କର୍ଣ୍ଣାଟକକୁ ବଞ୍ଚାଇଲେ ମନୀଷ-ଗୋପାଳ

ୱାୟାନାଡ଼୍‌/ବେଙ୍ଗାଲୁରୁ: କେରଳର ୱାୟାନାଡ଼୍‌ ଓ କର୍ଣ୍ଣାଟକର ବେଙ୍ଗାଲୁରୁଠାରେ ଗୁରୁବାରଠାରୁ ୨୦୧୮/୧୯ ରଣଜୀ ଋତୁର ସେମିଫାଇନାଲ୍ ପର୍ଯ୍ୟାୟ ଆରମ୍ଭ ହୋଇଛି। ଉଭୟ ମ୍ୟାଚ୍‌ର ପ୍ରଥମ ଏକ ଘଣ୍ଟା ଖେଳରେ ଦ୍ରୁତ ବୋଲରମାନେ ଆଧିପତ୍ୟ ବିସ୍ତାର କରିଛନ୍ତି। ବିଦର୍ଭ-କେରଳ ମୁକାବିଲାରେ ଉମେଶ ଯାଦବ (୧୨-୧-୪୮-୭)ଙ୍କ ଘାତକ ବୋଲିଂର ସମ୍ମୁଖୀନ ହୋଇ ନପାରି କେରଳ ମାତ୍ର ୧୦୬ ରନ୍‌ରେ ଅଲଆଉଟ୍ ହୋଇ ଯାଇଛି। ଅନ୍ୟପକ୍ଷରେ କର୍ଣ୍ଣାଟକ-ସୌରାଷ୍ଟ୍ର ଲଢ଼େଇରେ ଅଧିନାୟକ ମନୀଷ ପାଣ୍ଡେ (୬୨), ଶ୍ରେୟସ୍ ଗୋପାଳ (୮୭) ଓ ଶ୍ରୀନିବାସ ଶରତ (୭୪*)ଙ୍କ ଅର୍ଧଶତକ ବଳରେ କର୍ଣ୍ଣାଟକ ବିପର୍ଯ୍ୟୟରୁ ବର୍ତି ଯାଇଛି। ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା କର୍ଣ୍ଣା‌ଟକ ୯ ୱିକେଟ୍ ବିନିମୟରେ ୨୬୪ ରନ୍ କରିଛି। ସେପଟେ କେରଳର ୧୦୬ ରନ୍ ଜବାବରେ ବିଦର୍ଭ ୫ ୱିକେଟ୍ ବିନିମୟରେ ୧୭୧ ରନ୍ କରି ଆଗୁଆ ହୋଇ ଯାଇଛି।

ୱାୟାନାଡ଼୍‌ ମ୍ୟାଚ୍‌ରେ ବିଦର୍ଭ ଟସ୍ ଜିତି କେରଳକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ପ୍ରଥମ ଥର ପାଇଁ ସେମିଫାଇନାଲରେ ପ୍ରବେଶ କରିଥିବା କେରଳ ଶକ୍ତିଶାଳୀ ବିଦର୍ଭର ଦୁଇ ଦ୍ରୁତ ବୋଲର ରଜନୀଶ ଗୁରବାଣୀ (୧୧.୪-୩-୩୮-୩) ଓ ଉମେଶ ଯାଦବଙ୍କ ବୋଲିଂରେ ଘାଇଲା ହୋଇ ଯାଇଥିଲା। ଏପରିକି ଏହି ଦଳର କେବଳ ତିନି ଜଣ ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ଛୁଇଁ ପାରିଥିଲେ। ଅଧିନାୟକ ସଚିନ ବେବି କରିଥିବା ୨୨ ରନ୍ ଦଳର ସର୍ବାଧିକ ବ୍ୟକ୍ତିଗତ ରନ୍ ଥିଲା। ଘୋର ବିପର୍ଯ୍ୟୟ ପରେ କେରଳ ୨୮.୪ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୧୦୬ ରନ୍ କରି ପାରିଥିଲା। ମଧ୍ୟାହ୍ନଭୋଜନ ପରେ ପରେ ବ୍ୟାଟିଂ ଆରମ୍ଭ କରିଥିବା ପ୍ରତିପକ୍ଷ ବିଦର୍ଭ ଖେଳ ବନ୍ଦ ବେଳକୁ ୫ ୱିକେଟ୍ ବିନିମୟରେ ୧୭୧ ରନ୍ କରି ୬୫ ରନ୍‌ରେ ଆଗୁଆ ରହିଥିଲା। ଅଧିନାୟକ ଫୈଜ ଫଜଲ (୭୫) ଅର୍ଧଶତକ ଅର୍ଜନ କରିଥିଲେ। ୧୬୯ ରନ୍‌ରେ ମାତ୍ର ଦୁଇ ଜଣ ଖେଳାଳିଙ୍କୁ ହରାଇଥିବା ଏହି ଦଳ ଶେଷ ୯ ବଲ୍‌ରେ ଆଉ ତିନିଟି ୱିକେଟ୍ ହରାଇଥିଲା। ବେଙ୍ଗାଲୁରୁର ସୌରାଷ୍ଟ୍ର-କର୍ଣ୍ଣାଟକ ମ୍ୟାଚ୍‌ରେ କର୍ଣ୍ଣାଟକ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ତେବେ ୩୦ ରନ୍‌ରେ ୪ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। ଅଧିନାୟକ ମନୀଷ ପାଣ୍ଡେ, ଗୋପାଳ ଓ ଶରତ ଅର୍ଧଶତକ ଅର୍ଜନ କରିବା ପରେ ଦଳର ସ୍ଥିତି କିଛିଟା ସୁଧୁରି ଯାଇଥିଲା। ପ୍ରଥମ ଦିନର ଷ୍ଟମ୍ପ୍ସ ଅପସାରଣ ବେଳକୁ ଶରତ ୭୪ ଓ ରୋନିତ ମୋରେ କୌଣସି ରନ୍ ନକରି ଅପରାଜିତ ରହିଛନ୍ତି।

ସଂକ୍ଷିପ୍ତ ସ୍କୋର: ବିଦର୍ଭ-କେରଳ- କେରଳ ପ୍ରଥମ ପାଳି ୧୦୬ (ସଚିନ ବେବି ୨୨, ଉମେଶ ଯାଦବ ୭/୪୮, ରଜନୀଶ ଗୁରବାଣୀ ୩/୩୮)। ବିଦର୍ଭ ପ୍ରଥମ ପାଳି ୧୭୧/୫ (ଫୈଜ ଫଜଲ ୭୫, ୱାସିମ ଜାଫର ୩୪, ସନ୍ଦୀପ ୱାରିୟର ୨/୪୬, ଏମଡି ନିଦେଶ ୨/୫୩)। କର୍ଣ୍ଣାଟକ-ସୌରାଷ୍ଟ୍ର- କର୍ଣ୍ଣାଟକ ପ୍ରଥମ ପାଳି ୨୬୪/୯ (ମନୀଷ ପାଣ୍ଡେ ୬୨, ଶ୍ରେୟସ୍ ଗୋପାଳ ୮୭, ଶ୍ରୀନିବାସ ଶରତ ୭୪*, ଜୟଦେବ ଉନାଦକଟ ୪/୫୦)।

ସମ୍ବନ୍ଧିତ ଖବର