ରଣଜୀ ଟ୍ରଫି: ଶୁଭ୍ରାଂଶୁଙ୍କ ଲଗାତାର ଶତକ ବୃଥା

 ପରାଜୟ ସହ ଓଡ଼ିଶା ଅଭିଯାନ ଶେଷ  ୭ ଓ୍ଵିକେଟ୍‌ରେ ଜିତି ମଧ୍ୟପ୍ରଦେଶ କ୍ୱାର୍ଟରରେ

ଭୁବନେଶ୍ୱର: ଯୁବ ତାରକା ଶୁଭ୍ରାଂଶୁ ସେନାପତିଙ୍କ ଲଗାତାର ମ୍ୟାଚ୍‌ରେ ଶତକ ଅର୍ଜନ ସତ୍ତ୍ୱେ ଓଡ଼ିଶାକୁ ପରାଜୟ ସହିତ ୧୦୧୭-୧୮ ରଣଜୀ ଋତୁ ଶେଷ କରିବାକୁ ପଡ଼ିଛି। ମଙ୍ଗଳବାର ଇନ୍ଦୋରର ହୋଲ୍‌କର ଷ୍ଟାଡିୟମ୍‌ରେ ମଧ୍ୟପ୍ରଦେଶ ବିପକ୍ଷ ଶେଷ ଲିଗ୍‌ ମ୍ୟାଚ୍‌କୁ ଓଡ଼ିଶା ୭ ଓ୍ଵିକେଟରେ ହାରିଥିଲା। ଗ୍ରୁପ୍‌ ‘ସି’ରେ ସ୍ଥାନ ପାଇଥିବା ଓଡ଼ିଶା ୬ ମ୍ୟାଚ୍‌ରୁ ଗୋଟିଏ ଅସମାପ୍ତ, ୩ ଅମୀମାଂସିତ ଓ ୨ ପରାଜୟ ସହ ପଏଣ୍ଟ୍‌ ଟେବୁଲ୍‌ର ଷଷ୍ଠ ସ୍ଥାନରେ ଅଭିଯାନ ଶେଷ କରିଛି।

ମଙ୍ଗଳବାର ସକାଳେ ଓଡ଼ିଶା ୨୩୭/୪ରୁ ଅଭିଯାନ ଆରମ୍ଭ କରିବା ବେଳେ ଗୋବିନ୍ଦ ପୋଦ୍ଦାରଙ୍କ ଦଳ ଅନ୍ୟୁନ ଚା’ପାନ ବିରତି ପର୍ଯ୍ୟନ୍ତ ବ୍ୟାଟିଂ କରି ମ୍ୟାଚ୍‌ ବଞ୍ଚାଇବାର ଆବଶ୍ୟକତା ଥିଲା। ପୂର୍ବ ଦିନର ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ ଶୁଭ୍ରାଂଶୁ ସେନାପତି ଏବଂ ଶାନ୍ତନୁ ମିଶ୍ର ଅଭିଯାନ ଆରମ୍ଭ କରିଥିଲେ। ସକାଳର ପ୍ରଥମ ବଲ୍‌ରେ ଶାନ୍ତନୁ (୧୦) ବ୍ୟକ୍ତିଗତ ସ୍କୋର୍‌ରେ କୌଣସି ରନ୍‌ ଯୋଡ଼ି ନ ପାରି ପୁନିତ ଦାଟେଙ୍କ ଦ୍ୱାରା ବୋଲ୍‌ଡ ହୋଇଯାଇଥିଲେ। ଏହା ପରେ ଅସୁସ୍ଥତାରୁ ଫେରିଥିବା ନଟରାଜ ବେହେରା (୨୮, ୬୪ ବଲ୍‌, ୪ ଚୌକା)ଙ୍କୁ ସାଥୀ ଶୁଭ୍ରାଂଶୁ ଆଗକୁ ବଢ଼ିଥିଲେ। କିନ୍ତୁ ଏହି ଭାଗୀଦାରି ମାତ୍ର ୫୫ ରନରେ ଅଟକିଯାଇଥିଲା। ଶୁଭ୍ରାଂଶୁ ନିଜର ୧୫ତମ ରଣଜୀ ମ୍ୟାଚ୍‌ ଓ ୨୩ତମ ପାଳିରେ ତୃତୀୟ ଶତକ (୧୨୫, ୨୫୯ ବଲ୍‌, ୧୫ ଚୌକା) ଅର୍ଜନ କରିଥିଲେ। ଗତ ମ୍ୟାଚ୍‌ରେ ବରୋଦା ବିପକ୍ଷରେ ୧୭୩ ରନ୍‌ ପାଳି ଖେଳିଥିବା ଶୁଭ୍ରାଂଶୁ ଏଥି ସହିତ ଓଡ଼ିଶାର ଅଗ୍ରଣୀ (୪୨୭) ରନ୍‌ ସ୍କୋରର୍‌ ହୋଇ ଋତୁ ଶେଷ କଲେ। ଶୁଭ୍ରାଂଶୁଙ୍କ ସହିତ ଓଡ଼ିଶା ୨୫ ରନ୍‌ ଭିତରେ ଶେଷ ୪ ଓ୍ଵିକେଟ୍‌ ହରାଇ ୩୫୦ ରନରେ ସୀମିତ ହୋଇଯାଇଥିଲା। ଶୁଭ୍ରାଂଶୁଙ୍କୁ ବାମହାତୀ ସ୍ପିନର ଅଙ୍କିତ ଶର୍ମା ଅଧିନାୟକ ଦେବେନ୍ଦ୍ର ବୁନ୍ଦେଲାଙ୍କ ହାତରେ କ୍ୟାଚ୍‌ କରାଇ ନେଇଥିଲେ। ଏହି ପାଳିରେ କିନ୍ତୁ ପୂର୍ବତନ ଭାରତୀୟ ଖେଳାଳି ନରେନ୍ଦ୍ର ହିରଓ୍ଵାନୀଙ୍କ ସୁପୁତ୍ର ଲେଗ୍‌ ସ୍ପିନର୍‌ ମିହିର ହିରଓ୍ଵାନୀ ତାଙ୍କ ଚତୁର୍ଥ ୫ ଓ୍ଵିକେଟ୍‌ ସଫଳତା ପାଇଥିଲେ।
ମଧ୍ୟାହ୍ନ ଭୋଜନ ବିରତି ପରେ ଓଡ଼ିଶା ୩୫୦ ରନରେ ସୀମିତ ରହିବାରୁ ଘରୋଇ ମଧ୍ୟପ୍ରଦେଶ ସମ୍ମୁଖରେ ୧୧୦ ରନର ସହଜ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଦୀପକ ବେହେରା କିନ୍ତୁ ପ୍ରଥମରୁ ୨ ଓ୍ଵିକେଟ୍‌ ବାହାର କରିନେବା ଏବଂ ଆର୍ଯ୍ୟମାନ ବିର୍ଲାଙ୍କୁ ଶୁଭମ୍‌ ନାୟକ ରନ୍‌ ଆଉଟ୍‌ କରିଦେବାରୁ ମଧ୍ୟପ୍ରଦେଶ ଅଡୁଆରେ ପଡ଼ିଯାଇଥିଲା। ତଥାପି ଅଧିନାୟକ ଦେବେନ୍ଦ୍ର ବୁନ୍ଦେଲା (୫୦*, ୧୦୯ ବଲ୍‌, ୬ ଚୌକା) ଏବଂ ହରପ୍ରୀତ୍‌ ସିଂହ (୩୭*, ୬୯ ବଲ୍‌, ୫ ଚୌକା) ଦଳକୁ ଅବିଭାଜିତ ଚତୁର୍ଥ ଓ୍ଵିକେଟ୍‌ରେ ୬୬ ରନ୍‌ ଯୋଡ଼ି ୬ ପଏଣ୍ଟ୍‌ ଅର୍ଜନର ହକ୍‌ଦାର କରାଇଥିଲେ। ଗୋବିନ୍ଦ ପୋଦ୍ଦାରଙ୍କ ବଲ୍‌କୁ କଭର୍‌ ସୀମାରେଖା ବାହାରକୁ ପଠାଇ ପ୍ରତିପକ୍ଷ ଅଧିନାୟକ ବୁନ୍ଦେଲା ମ୍ୟାଚ୍‌ ଶେଷ କରିଥିଲେ। ଦଳକୁ ମଧ୍ୟ କ୍ୱାର୍ଟରଫାଇନାଲ୍‌ରେ ପହଞ୍ଚାଇ ଦେଇଥିଲେ। ତେବେ ଅଲରାଉଣ୍ଡ୍‌ ପ୍ରଦର୍ଶନ ପାଇଁ ପୁନିତ୍‌ ଦାଟେ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସଂକ୍ଷିପ୍ତ ସ୍କୋର: ଓଡ଼ିଶା ପ୍ରଥମ ପାଳି: ୧୪୭। ମଧ୍ୟପ୍ରଦେଶ ପ୍ରଥମ ପାଳି: ୩୮୮ (ରଜତ ପଟିଦାର-୧୨୩, ଗୋବିନ୍ଦ ପୋଦ୍ଦାର-୭/୧୦୨)। ଓଡ଼ିଶା ଦ୍ୱିତୀୟ ପାଳି: ୩୫୦ (ଶୁଭ୍ରାଂଶୁ ସେନାପତି-୧୨୫, ରାଜେଶ ଧୂପର-୮୮, ନଟରାଜ ବେହେରା-୨୮, ମିହିର ହିରଓ୍ଵାନୀ-୫/୯୭, ପୁନୀତ ଦାଟେ-୨/୪୮, ଅଙ୍କିତ ଶର୍ମା-୨/୫୯, ଈଶ୍ୱର ପାଣ୍ଡେ-୧/୪୧)। ମଧ୍ୟପ୍ରଦେଶ ଦ୍ୱିତୀୟ ପାଳି: ୩୭ ଓଭରରେ ୧୧୧/୪ (ଦେବେନ୍ଦ୍ର ବୁନ୍ଦେଲା-୫୦*, ହରପ୍ରୀତ୍‌ ସିଂହ-୩୭*, ଦୀପକ ବେହେରା-୨/୩୧)।

ବିଜୟଶୂନ୍ୟ ଋତୁରେ ବୋଲିଂ ବିଫଳ

ଭୁବନେଶ୍ୱର: ରଣଜୀ ଟ୍ରଫି ଗ୍ରୁପିଙ୍ଗରେ ପରିବର୍ତନ କାରଣରୁ ଓଡ଼ିଶା ୨୦୧୭-୧୮ ଋତୁରେ ୮ ପରିବର୍ତେ ୬ ମ୍ୟାଚ୍‌ ପାଇଥିଲା। ଗତ ଋତୁରେ ୧୫ ବର୍ଷ ପରେ କ୍ୱାର୍ଟରଫାଇନାଲ୍‌ ଖେଳିଥିବା ଗୋବିନ୍ଦ ପୋଦ୍ଦାରଙ୍କ ଦଳ ଏଥର ବିଜୟଶୂନ୍ୟ ଭାବେ ଅଭିଯାନ ଶେଷ କଲା। ତ୍ରିପୁରା ବିପକ୍ଷ ପ୍ରଥମ ମ୍ୟାଚ୍‌ ବର୍ଷା ଧୋଇନେବାରୁ ୧ ପଏଣ୍ଟ୍‌ରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ଏହା ପରେ ଦଳ ଆନ୍ଧ୍ରପ୍ରଦେଶ, ବରୋଦା ବିପକ୍ଷରେ ପ୍ରଥମ ପାଳି ପଛୁଆ ରହି ସମାନ ୧ ପଏଣ୍ଟ୍‌ ପାଇଥିଲା। କିଟ୍‌ରେ ମୁମ୍ବାଇ ନିକଟରୁ ହାରିଯିବା ପରେ ତାମିଲନାଡୁ ବିପକ୍ଷ ଡ୍ରିମ୍‌ସ ମ୍ୟାଚ୍‌ କିନ୍ତୁ ଏକମାତ୍ର ସଫଳତା ଦେଇଥିଲା। ଯେଉଁଥିରେ ଅତିଥି ଦଳର ୫୩୦ ରନକୁ ପଛରେ ପକାଇ ଦେଇଥିଲା ଓଡ଼ିଶା। ୩ ପଏଣ୍ଟ୍‌ ପାଇଥିଲା। କିନ୍ତୁ ଶେଷ ଲିଗ୍‌ରେ ମଧ୍ୟପ୍ରଦେଶଠାରୁ ହାରି ଦଳ ୭ ଦଳୀୟ ଟେବୁଲ୍‌ରେ ଷଷ୍ଠରେ ରହିଲା।

ବିଜୟଶୂନ୍ୟ ଋତୁରେ ଏଥର କିନ୍ତୁ ବୋଲିଂ ବିଭାଗ ଅଧିକ ନିରାଶ କରିଥିଲା। ଦ୍ରୁତ ବୋଲିଂ ହେଉ କି ସ୍ପିନ୍‌ କେହି ବି ୧୫ ଓ୍ଵିକେଟ୍‌ ସୀମା ଟପି ପାରିନାହାନ୍ତି। ସୂର୍ଯ୍ୟକାନ୍ତ ପ୍ରଧାନ ସର୍ବାଧିକ ୧୪ ଓ୍ଵିକେଟ୍‌ ନେଇଥିବାବେଳେ ଗୋଟିଏ ମ୍ୟାଚ୍‌ କମ୍‌ ଖେଳିଥିବା ବସନ୍ତ ମହାନ୍ତି ୧୨, ଅଧିନାୟକ ଗୋବିନ୍ଦ ପୋଦ୍ଦାର ୧୧ ନେଇଥିଲେ। ସବୁଠାରୁ ଆଶ୍ଚର୍ଯ୍ୟ ଥିଲା ତୃତୀୟ ଦ୍ରୁତ ବୋଲର। ଦୀପକ ବେହେରା ଓ ଆଲୋକ ସାହୁ ୩ ଲେଖାଏଁ ମ୍ୟାଚ୍‌ ଖେଳି ଯଥାକ୍ରମେ ୬ ଓ ୧ ଓ୍ଵିକେଟ୍‌ ନେଇଥିଲେ। ମଧ୍ୟମଗତି ବୋଲର ବିପ୍ଳବ ସାମନ୍ତରାୟ କିନ୍ତୁ ୭ ଓ୍ଵିକେଟ୍‌ ନେଇ ଏମାନଙ୍କୁ ପଛରେ ପକାଇଥିଲେ। ସ୍ପିନର ଧୀରାଜ ସିଂହ ୮ ଓ୍ଵିକେଟ୍‌ ନେଇଥିଲେ। ପଦାର୍ପଣ କରିଥିବା ଯୁବ ଅଫସ୍ପିନର୍‌ ଶୁଭମ୍‌ ନାୟକ ୨ ମ୍ୟାଚ୍‌ ଖେଳି ଓ୍ଵିକେଟଶୂନ୍ୟ ରହିଥିଲେ।

ବ୍ୟାଟିଂରେ ଏକମାତ୍ର ଶୁଭ୍ରାଂଶୁ ସେନାପତି ୨ ଶତକ, ୧ ଅର୍ଧଶତକ ସହିତ ୪୨୭ ରନ୍‌ ସଂଗ୍ରହ କରି ଅଗ୍ରଣୀ ରହିଛନ୍ତି। ହାରାହାରିରେ କିନ୍ତୁ ରାଜେଶ ଧୂପର (୬୮.୭୫) ଓ ବିପ୍ଳବ ସାମନ୍ତରାୟ (୫୮.୧୬)ଙ୍କଠାରୁ ଶୁଭ୍ରାଂଶୁ (୫୩.୩୭) ପଛରେ ରହିଥିଲେ। ସିକେ ନାଇଡୁରେ ଦୁଇ ଶତକ ଜମାଇ ରଣଜୀ ଦଳକୁ ଫେରିଥିବା ରାଜେଶ ଧୂପର ୪ ପାଳିରୁ ୩ ଅର୍ଧଶତକ ସହିତ ୨୭୫ ରନ୍‌ ଏବଂ ସବୁଠୁ ସ୍ଥିରତା ରଖିଥିବା ବିପ୍ଳବ ୫ ଅର୍ଧଶତକ ସହିତ ୩୪୯ ରନ୍‌ କରିଥିଲେ। ଅନ୍ୟ ଏକମାତ୍ର ଶତକ ହାସଲକାରୀ ଅଧିନାୟକ ଗୋବିନ୍ଦ ପୋଦ୍ଦାର ୪୦.୨୫ ହାରରେ ୩୨୨ ରନ୍‌ ଏବଂ ପଦାର୍ପଣକାରୀ ଯୁବ ତାରକା ଶାନ୍ତନୁ ମିଶ୍ର ୪୫.୩୩ ହାରରେ ୨ ଅର୍ଧଶତକ ସହିତ ୨୭୨ ରନ୍‌ କରିବା ଉଲ୍ଲେଖନୀୟ ରହିଛି।

ସମ୍ବନ୍ଧିତ ଖବର