କଟକ: ଚଳିତ ଋତୁରେ ଶୁଭ୍ରାଂଶୁ ସେନାପତିଙ୍କ ପ୍ରଥମ ଶତକ ଓ ବିପ୍ଳବ ସାମନ୍ତରାୟଙ୍କ ଲଗାତର ପଞ୍ଚମ ଅର୍ଧଶତକ ବଳରେ ଓଡ଼ିଶା ଭଦୋଦରା ରଣଜୀ ମ୍ୟାଚ୍ରେ ଘରୋଇ ବରୋଦା ଦଳକୁ ଲଢୁଆ ଜବାବ ଦେଇଛି। ମ୍ୟାଚ୍ର ଆଉ ଗୋଟିଏ ଦିନ ବାକି ଥିବାରୁ ଓଡ଼ିଶାକୁ ପାଳି ଅଗ୍ରଣୀ ପାଇଁ ୧୮୮ ରନ୍ର ଆବଶ୍ୟକତା ରହିଛି। ଶୁଭ୍ରାଂଶୁ ୧୩୧ ଓ ରାଜେଶ ଧୂପର ୧୩ ରନ୍ରେ ଅପରାଜିତ ଅଛନ୍ତି। ଅନ୍ୟପକ୍ଷରେ ଓଡ଼ିଶାର ପ୍ରମୁଖ ୫ ଓ୍ଵିକେଟ ଚାଲିଯାଇଥିଲେ ବି ଶୁଭ୍ରାଂଶୁଙ୍କ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ଯୋଗୁଁ ମ୍ୟାଚ୍ ଅମୀମାଂସିତ ମୁହାଁ ହୋଇଛି। ତଥାପି ବର୍ତ୍ତମାନ ସ୍ଥିତିରେ ପାଳି ଅଗ୍ରଣୀ ପାଇବା ଓଡ଼ିଶା ପାଇଁ ଏକମାତ୍ର ଲକ୍ଷ୍ୟ ରହିଛି।
ଦ୍ୱିତୀୟ ଦିନ ଓଡ଼ିଶା ୬୪ ରନ୍ରେ ୨ ଓ୍ଵିକେଟ ହରାଇସାରିଥିଲା ବେଳେ ରବିବାର ତୃତୀୟ ଦିନ ଆରମ୍ଭରୁ ପୁଣି ଏକ ଝଟ୍କା ପାଇଥିଲା। ପ୍ରଥମ ଓଭରର ପଞ୍ଚମ ବଲ୍ରେ ନଟରାଜ ବେହେରା ପୂର୍ବଦିନ ସ୍କୋର୍ ୨୪ରେ ହିଁ ପାଭିଲିୟନ୍ ଫେରି ଯାଇଥିଲେ। ସେ ବିଷ୍ଣୁ ସୋଲାଙ୍କିଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ଏହାପରେ ଶୁଭ୍ରାଂଶୁଙ୍କ ସହିତ ଶାନ୍ତନୁ ମିଶ୍ର ଯୋଗଦେଇ ସ୍ଥିତି ସୁଧାରିବାରେ ଲାଗିଥିଲେ। ପାଖାପାଖି ୩ ଘଣ୍ଟା ପର୍ଯ୍ୟନ୍ତ ଉଭୟ ବରୋଦା ବୋଲରଙ୍କୁ ସାମ୍ନା କରି ଦଳୀୟ ସ୍କୋର୍ ରନ୍ ୧୫୦ ପାରି କରାଇଥିଲେ। ତେବେ ଶାନ୍ତନୁ (୪୬) ପ୍ରତିଯୋଗିତାରେ ଦ୍ୱିତୀୟ ଅର୍ଧଶତକ ଆଡକୁ ଅଗ୍ରସର ହେଉଥିବା ବେଳେ ପଦାର୍ପଣ ଖେଳାଳି ନିନାଦ ରଥଓ୍ଵାଙ୍କ ବଲ୍ରେ ଆଉଟ୍ ହୋଇଯାଇଥିଲେ। ସାନ୍ତନୁ ଆଉଟ୍ ହେବା ପୂର୍ବରୁ ଶୁଭ୍ରାଂଶୁଙ୍କ ସହ ଚତୁର୍ଥ ଓ୍ଵିକେଟ୍ରେ ୧୦୩ ରନ୍ ଯୋଡ଼ିଥିଲେ। ଏହାପରେ ଶୁଭ୍ରାଂଶୁଙ୍କ ସହିତ ସାମିଲ ହୋଇଥିଲେ ପୂର୍ବତନ ଅଧିନାୟକ ବିପ୍ଳବ ସମନ୍ତରାୟ। ଚା’ପାନ ବିରତି ପରେ ଶୁଭ୍ରାଂଶୁ ତାଙ୍କର ଦ୍ୱିତୀୟ ଶତକ ଓ ବିପ୍ଳବ ଅର୍ଧଶତକ ହାସଲ କରି ଓଡ଼ିଶା ଶିବିରରେ ଆଶା ସଂଚାର କରିଥିଲେ। କିନ୍ତୁ ଅର୍ଧଶତକ କରିବାର ୬ଟି ବଲ୍ ପରେ ବିପ୍ଳବ (୫୫) ଧ୍ରୁବ ପଟେଲଙ୍କ ଦ୍ୱାରା ଏଲ୍ବିଡବ୍ଲ୍ୟୁ ହୋଇଯାଇଥିଲେ। ସେ ଆଉଟ୍ ହେବା ବେଳକୁ ଉଭୟଙ୍କ ମଧ୍ୟରେ ୧୦୫ ରନ୍ର ଦ୍ୱିତୀୟ ଶତକୀୟ ଭାଗୀଦାରି ହୋଇସାରିଥିଲା। ରବିବାର ଷ୍ଟମ୍ପ୍ସ ଅପସାରଣ ବେଳକୁ ଓଡ଼ିଶାର ଶେଷ ବ୍ୟାଟିଂ ବିଶେଷଜ୍ଞ ଯୋଡ଼ି ଶୁଭ୍ରାଂଶୁ ଓ ଧୂପର ଅପରାଜିତ ରହିଥିଲେ। ଶୁଭ୍ରାଂଶୁ ୨୮୧ ବଲ୍ର ସମ୍ମୁଖୀନ ହୋଇ ୧୮ ଚୌକା ସହାୟତାରେ ୧୩୧* ଓ ଧୂପର ୪୦ ବଲ୍ରେ ୧୩* ରନ୍ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/19-subhransu-senapati.jpg)