କଟକ: ସ୍ଥାନୀୟ ବାରବାଟୀ ଷ୍ଟାଡିୟମ୍‌ରେ ବୁଧବାର ଓଡ଼ିଶା ଚଳିତ ଋତୁର ନିଜର ପ୍ରଥମ ରଣଜୀ ମ୍ୟାଚ୍‌ରେ ଭ୍ରମଣକାରୀ ବରୋଦାକୁ ଭେଟିଛି। ପ୍ରଥମ ଦିନରେ ଘରୋଇ ଦଳ ୫ ୱିକେଟ୍‌ ହରାଇ ୨୦୫ ରନ୍‌ ଭଲ ସ୍ଥିତିରେ ରହିଛି। ଷ୍ଟମ୍ପ୍ସ ବେଳକୁ ରାଜେଶ ଧୂପର ୭୬* ରନ୍‌ରେ ଅପରାଜିତ ଅଛନ୍ତି। ଓଡ଼ିଶା ଏହି ମ୍ୟାଚ୍‌ରେ ଦୁଇ ଖେଳାଳି ଗୌରବ ଚୌଧୁରୀ ଓ ବାଦଲ ବିଶ୍ବାଳ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ପଦାର୍ପଣ ସୁଯୋଗ ‌ଦେଇଛି।

Advertisment

ବୁଧବାର ଟସ୍ ଜିତି ଅଧିନାୟକ ଶୁଭ୍ରାଂଶୁ ସେନାପତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଦୁଇ ଓପନର୍‌ ସ୍ବସ୍ତିକ ସାମଲ ଓ ଗୌରବ ଚୌଧୁରୀ ଘରୋଇ ପିଚ୍‌ର ଫାଇଦା ନେଇ ଭଲ ଆରମ୍ଭ କରିଥିଲେ। ହେଲେ ୪୯ ରନ୍‌ରେ ଗୌରବ (୫୩ ବଲ୍‌ରୁ ୨୪, ୪ ଚୌକା) ବରୋଦା ଅଧିନାୟକ ଅତୀତ ସେଠ୍‌ଙ୍କ ଦ୍ବାରା ରନ୍‌ଆଉଟ୍‌ ହୋଇ ପ୍ୟାଭିଲିୟନ୍‌ ଫେରିଥିଲେ। ତାଙ୍କ ଆଉଟ୍‌ ପରେ ସେହି ୪୯ ରନ୍‌ ମଧ୍ୟରେ ଓଡ଼ିଶା ଲଗାତାର ୩ ୱିକେଟ୍‌ ହରାଇ ସଙ୍କଟରେ ପଡ଼ିଥିଲା। ସନ୍ଦୀପ ପଟ୍ଟନାୟକ (୦), ଅନ୍ୟତମ ଓପନର୍‌ ସ୍ବସ୍ତିକ୍ ସାମଲ (୬୪ ବଲ୍‌ରୁ ୨୪, ୫ ଚୌକା) ଓ ଗୋବିନ୍ଦ ପୋଦ୍ଦାର (୦)ଙ୍କୁ ହରାଇଥିଲା। ସନ୍ଦୀପଙ୍କୁ ଭାର୍ଗବ ଭଟ୍ଟ ଏବଂ  ସ୍ବସ୍ତିକ ଓ ଗୋବିନ୍ଦଙ୍କୁ ଅତୀତ ଆଉଟ୍‌ କରିଥିଲେ। ୨୨.୨ ଓଭର‌ରେ ୪୯ ରନ୍‌ରେ ୪ ଗୁରୁତ୍ବପୂର୍ଣ୍ଣ ୱିକେଟ୍‌ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଘରୋଇ ଦଳକୁ ଅଧିନାୟକ ଶୁଭ୍ରାଂଶୁ ଓ ରାଜେଶ ଉଦ୍ଧାର କରିଥିଲେ। ଉଭୟ ଷଷ୍ଠ ୱିକେଟ୍‌ରେ ୪୦୫ ବଲ୍‌ ଖେଳି ୧୫୬ ରନ୍‌ର ଭାଗୀଦାର ଗଢ଼ିଥିଲେ। ଅଧିନାୟକ ଶୁଭ୍ରାଂଶୁ ୪ଟି ଚୌକା ସହାୟତାରେ ୨୦୩ ବଲ୍‌ରୁ ୭୯ରନ୍ କରିଥିବା ବେଳେ ଭାର୍ଗବ ଭଟ୍ଟଙ୍କ ଦ୍ବାରା ବୋଲ୍ଡ ହୋଇ ପା‌ଭିଲିୟନ ଫେରିଥିଲେ। ତାଙ୍କ ଆଉଟ୍‌ ପରେ ଅ‌ମ୍ପାୟାର ଷ୍ଟମ୍ପ୍ସ ଘୋଷଣା କରିଥିଲେ। ବରୋଦାର ଅତୀତ (୨/୪୧) ଓ ଭାର୍ଗବ (୨/୫୪) ସଫଳ ବୋଲର ଥିଲେ।