ଭୁବନେଶ୍ବର: ଇନ୍ଦୋରରେ ଚାଲିଥିବା ମଧ୍ୟପ୍ରଦେଶ ବିପକ୍ଷ ରଣଜୀ ଟ୍ରଫି ମୁକାବିଲାରେ ଓଡ଼ିଶା ବହୁବର୍ଷ ପରେ ୫୦୦ ରନ୍ ସଂଗ୍ରହର ନିକଟତର ହୋଇଛି। ଶୁଭ୍ରାଂଶୁ ସେନାପତିଙ୍କ ପ୍ରଥମ ଦ୍ବିଶତକ (୨୭୭* ରନ୍, ୪୮୩ ବଲ୍, ୧୯ ଚୌକା, ୧୧ ଛକା) ଏବଂ ପ୍ରଥମ ପଦାର୍ପଣକାରୀ ହର୍ଷିତ ରାଠୋଡ଼ (୬୦*)ଙ୍କୁ ସାଥୀ କରି ଦ୍ବିଶତକ ଭାଗୀଦାରି କରିଥିବାରୁ ଏଭଳି ସ୍ଥିତି ଆସିଛି। ଦ୍ବିତୀୟ ଦିନ ସୁଦ୍ଧା ଓଡ଼ିଶା ୮ ୱିକେଟ୍ ହରାଇ ୪୯୩ ରନ୍ ସଂଗ୍ରହ କରିଛି।
ଶନିବାର ସକାଳେ ଓଡ଼ିଶା ପୂର୍ବଦିନର ସ୍କୋର୍ ୨୦୮/୬ରୁ ଖେଳିବା ପରେ ସୂର୍ଯ୍ୟକାନ୍ତ ପ୍ରଧାନ (୫୪ ବଲ୍ରୁ ୨୬ ରନ୍, ୩ ଚୌକା) ଆଉଟ୍ ହୋଇଯାଇଥିଲେ। ସୁନିଲ ରାଉଳ ମଧ୍ୟ ମାତ୍ର ୧ ରନ୍ କରିପାରିଥିଲେ। ଓଡ଼ିଶା ୧୫୯/୮ରେ ପହଞ୍ଚିଯିବାବେଳେ ରଣଜୀ ପଦାର୍ପଣ କରିଥିବା ହର୍ଷିତ ରାଠୋଡ଼ଙ୍କୁ ସାଥୀ କରି ପୂର୍ବତନ ଅଧିନାୟକ ଶୁଭ୍ରାଂଶୁ ସେନାପତି ଖେଳ ଜୀବନର ଅନ୍ୟତମ ଶ୍ରେଷ୍ଠ ପାଳି ଖେଳିଥିଲେ। ଦୁଇ ଦିନ ଧରି ବ୍ୟାଟିଂ କରିଥିବା ଏହି ଡାହାଣହାତୀ ବ୍ୟାଟର୍ ଅପରାଜିତ ରହିଛନ୍ତି। ବ୍ୟକ୍ତିଗତ ଭାବେ ସପ୍ତମ ରଣଜୀ ଶତକ ହାସଲ କରିବା ସହ ୨୭ ବର୍ଷୀୟ ଏହି ତାରକା ଏହାକୁ ଲମ୍ବା ପାଳିରେ ପରିଣତ କରିଛନ୍ତି। ଦୁଇ ଦିନ, ୬ ସେସନ୍, ୪୮୩ ବଲ୍ ଖେଳିବା ସହ ଶୁଭ୍ରାଂଶୁ ନିଜ ଅସୀମ ଧୈର୍ଯ୍ୟର ବଡ଼ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି।
ରାଠୋଡ଼ଙ୍କ ସହ ରେକର୍ଡ ଦ୍ବିଶତକ ଭାଗୀଦାରି
ମଧ୍ୟପ୍ରଦେଶ ବିପକ୍ଷରେ କ୍ରମାଗତ ଶତକ
ପଦାର୍ପଣରେ ହର୍ଷିତ ରାଠୋଡ଼ଙ୍କ ୬୦*
ଓଡ଼ିଶା ୫୦୦ ରନ୍ ନିକଟତର
ମଧ୍ୟପ୍ରଦେଶ ବିପକ୍ଷରେ କ୍ରମାଗତ ଶତକ ହାସଲ କରିଛନ୍ତି। ୨୦୧୭ରେ ଦ୍ବିତୀୟ ପାଳିରେ ୧୨୫ ରନ୍ ସଂଗ୍ରହ କରିଥିବା ଶୁଭ୍ରାଂଶୁ ଏବେ ଏହି ରାଜ୍ୟ ବିପକ୍ଷରେ ୩ ପାଳିରୁ ୪୦୮ ରନ୍ ସଂଗ୍ରହ କରିସାରିଛନ୍ତି। ଶୁକ୍ରବାର ପ୍ରଥମ ଦିବସରେ ୱିକେଟ୍ରକ୍ଷକ ବ୍ୟାଟର୍ ରାଜେଶ ଧୂପର (୫୧)ଙ୍କୁ ସାଥୀ କରି ଶୁଭ୍ରାଂଶୁ ୧୧୮ ରନ୍ ଯୋଡ଼ିଥିଲେ। ଶନିବାର ଅତୁଟ ନବମ ୱିକେଟ୍ ପାଇଁ ରାଠୋଡ଼ଙ୍କୁ ନେଇ ୨୩୪* ରନ୍ ଯୋଡ଼ି ସାରିଛନ୍ତି। ପୂର୍ବଦିନ ୮୭* ରନ୍ କରିଥିବା ସେନାପତି ଶନିବାର ଆଉ ୧୯୦ ଯୋଡ଼ି ବ୍ୟାଟିଂ ଜାରି ରଖିଛନ୍ତି। ଅନ୍ୟପକ୍ଷରେ ରାଠୋଡ଼ ଏହି ସ୍ମରଣୀୟ ପଦାର୍ପଣରେ ଅପରାଜିତ ୬୦ ରନ୍ ସହ ମଧ୍ୟ ଇନ୍ଦୋରରେ ନିଜ ଛାପ ଛାଡ଼ିଛନ୍ତି। ୧୬୧ ବଲ୍ ଖେଳି ସେ ୧୧ ଚୌକା ଓ ୧ ଛକା ସହ ବ୍ୟାଟିଂ ପ୍ରତିଭାର ଦକ୍ଷତା ଦେଖାଇଛନ୍ତି। ଏହି ଭାଗୀଦାରି ଅତୁଟ ଥିବାରୁ ଓଡ଼ିଶା ବହୁ ପ୍ରତୀକ୍ଷିତ ୫୦୦ ରନ୍ ଓ ଶୁଭ୍ରାଂଶୁଙ୍କ ତ୍ରିଶତକ ଆଶାରେ ରହିଛି।
ସଂକ୍ଷିପ୍ତ ସ୍କୋର: ଓଡ଼ିଶା ପ୍ରଥମ ପାଳି: ୧୬୯ ଓଭରରେ ୪୯୩/୮ (ଶୁଭ୍ରାଂଶୁ ସେନାପତି-୨୭୭*, ହର୍ଷିତ ରାଠୋଡ-୬୦*, ରାଜେଶ ଧୂପର-୫୧, ପ୍ରୟାସ ସିଂହ-୨୭, ଭେଙ୍କଟେଶ ଆୟର-୨/୩୮, ଆର୍ଯ୍ୟନ ପାଣ୍ଡେ-୨/୮୯, ସାରାଂଶ ଜୈନ-୨/୯୦, କୁଲୱନ୍ତ ଖେଜେରୋଲିୟା-୧/୬୮, କୁମାର କାର୍ତ୍ତିକେୟ-୧/୧୦୯ )