ରଣଜୀ ଟ୍ରଫି: କିଟ୍‌ରେ ଓ୍ଵିକେଟ୍‌ ଭୋଜ

ଭୁବନେଶ୍ୱର: କିଟ୍‌ରେ ଚାଲିଥିବା ମୁମ୍ବାଇ ବିପକ୍ଷ ରଣଜୀ ମୁକାବିଲା ଓଡ଼ିଶା ହାତରୁ ଖସି ଗଲା ଭଳି ଲାଗୁଛି। ଦ୍ୱିତୀୟ ଦିନରେ ୧୭ ଓ୍ଵିକେଟ୍‌ର ପତନ ପରେ ମୁମ୍ବାଇ ଏକପ୍ରକାର ମଜବୁତ ସ୍ଥିତିରେ ରହିଛି। ଶୋଚନୀୟ ବ୍ୟାଟିଂ ପାଇଁ ଓଡ଼ିଶା କିନ୍ତୁ ସଙ୍କଟ ଘେରକୁ ଚାଲି ଯାଇଛି।

ପ୍ରତିଶ୍ରୁତି ମୁତାବକ ଘରୋଇ ବୋଲର ଗୁରୁବାର ଶକ୍ତିଶାଳୀ ମୁମ୍ବାଇକୁ ୩୦୦ ରନ୍‌ ତଳେ ରୋକିଦେଲେ। ହେଲେ ବ୍ୟାଟ୍ସମ୍ୟାନଙ୍କ ଦୟନୀୟ ବ୍ୟାଟିଂ ଓଡ଼ିଶା ପାଇଁ କାଳ ହେଲା। ଅଧଡଜନେ ଘରୋଇ ବ୍ୟାଟ୍ସମ୍ୟାନ୍‌ ଖାତା ଖୋଲି ନପାରିବା ପରେ ରାଜ୍ୟ ଦଳ ମାତ୍ର ୧୪୫ ରନ୍‌ରେ ସୀମିତ ରହିଲା। ପୂର୍ବତନ ଅଧିନାୟକ ବିପ୍ଳବ ସାମନ୍ତରାୟ (୭୨* ରନ୍‌, ୧୨୯ ବଲ୍‌, ୧୦ ଚୌକା) ଏବଂ ପଦାର୍ପଣକାରୀ ଶାନ୍ତନୁ ମିଶ୍ର (୩୬ ରନ୍‌, ୯୫ ବଲ୍‌, ୬ ଚୌକା)ଙ୍କ ଲଢ଼ୁଆ ଭାଗୀଦାରି ପାଇଁ ଚଳିତ ଋତୁର ପ୍ରଥମ ବିଜୟ ସନ୍ଧାନରେ ଥିବା ଓଡ଼ିଶା ଅଳ୍ପକେ ଫଲୋଅନ୍‌ରୁ ବର୍ତି ଗଲା।

ମୁମ୍ବାଇ ପ୍ରଥମ ପାଳିରେ ୨୮୯ ରନ୍‌ କରିଥିଲା। ୪୧ ଥର ବିଜେତା ଦଳ ତା’ର ଅସମାପ୍ତ ଦ୍ୱିତୀୟ ପାଳିରେ ୩ ଓ୍ଵିକେଟ୍‌ ହରାଇ ୫୮ ରନ୍‌ କରିବା ପରେ ଏବେ ମୋଟ ଉପରେ ୨୦୨ ରନ୍‌ରେ ଆଗୁଆ ହୋଇଗଲା। ସେପଟେ ଘୋର ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଓଡ଼ିଶା ପାଇଁ ସଙ୍କଟ ପୂରା ଘନେଇଲା। ତାରକା ଖଚିତ ମୁମ୍ବାଇ ହାତରେ ଆଉ ୭ ଓ୍ଵିକେଟ୍‌ ବାକି ଥିବାରୁ ଏବଂ ପିଚ୍‌ କ୍ରମଶଃ ବୋଲରଙ୍କ ପାଇଁ ଅନୁକୂଳ ହୋଇ ଚାଲିଥିବାରୁ ଓଡ଼ିଶା ପାଇଁ ମ୍ୟାଚ୍‌ ବଞ୍ଚାଇବା ଏବେ କାଠିକାର ପାଠ ହୋଇ ଯାଇଛି। ମୁମ୍ବାଇର ଚାରିଟି ପ୍ରଥମ ପାଳି ଓ୍ଵିକେଟ୍‌ ଏବଂ ଓଡ଼ିଶାର ୧୦ ଓ୍ଵିକେଟ୍‌ ସହ ଗୁରୁବାର ଦ୍ୱିତୀୟ ଦିନରେ ମୋଟ ୧୭ ଓ୍ଵିକେଟ୍‌ର ପତନ ହୋଇଛି। ଫଳରେ କିଟ୍‌ ଷ୍ଟାଡିୟମରେ ଓ୍ଵିକେଟ୍‌ ଭୋଜି ଦେଖିବାକୁ ମିଳିଛି। ଯାହା ଆଗକୁ ଓଡ଼ିଶାର ପଥ ଯେ ଅତି ବଂଧୁର ତାକୁ ଦର୍ଶାଉଛି।

ଗୁରୁବାର ସକାଳେ ଅଭିଜ୍ଞ ବୋଲର ବସନ୍ତ ମହାନ୍ତି ବ୍ୟକ୍ତିଗତ ଭାବେ ଆଉ ଦୁଇଟି ଓ୍ଵିକେଟ୍‌ ନେବା ସହ ୯.୫ ଓଭର ଏବଂ ୨୫ ରନ୍‌ ଭିତରେ ମୁମ୍ବାଇ ତା’ର ଶେଷ ଚାରିଟି ଓ୍ଵିକେଟ୍‌ ହରାଇଥିଲା। ଏହା ପରେ କିନ୍ତୁ ଯାହା ହେଲା ତାହା ସ୍ଥାନୀୟ ପ୍ରଶଂସକଙ୍କ ପାଇଁ ଏକବାର ଅବିଶ୍ୱସନୀୟ ଥିଲା। ବିନା ରନ୍‌ରେ ଓଡ଼ିଶା ପୂର୍ବତନ ଅଧିନାୟକ ନଟରାଜ ବେହେରାଙ୍କ ସହ ୩ ଜଣ ଶୀର୍ଷକ୍ରମ ବ୍ୟାଟ୍ସମ୍ୟାନଙ୍କୁ ହରାଇଥିଲା। ଅଧିନାୟକ ଗୋବିନ୍ଦ ପୋଦ୍ଦାର ନିଜେ ୨ ରନ୍‌ ଆଗକୁ ବଢ଼ି ନପାରିବା ପରେ ଓଡ଼ିଶା କେବଳ ୨ ରନ୍‌ରେ ୪ ଓ୍ଵିକେଟ୍‌ ହରାଇ ନିଜ ଗୋଡ଼କୁ ନିଜେ ହାଣିଥିଲା। ଓଡ଼ିଶା ବ୍ୟାଟ୍ସମ୍ୟାନଙ୍କ ବିଦ୍ୟାଳୟ ସ୍ତରୀୟ ବ୍ୟାଟିଂ ପାଇଁ ମ୍ୟାଚ୍‌ ଏବେ ମୁମ୍ବାଇ ନିୟନ୍ତ୍ରଣକୁ ଚାଲି ଯାଇଛି। ଓଡ଼ିଶା ଅବଶ୍ୟ ମାତ୍ର ୫ ରନ୍‌ ପାଇଁ ଅଳ୍ପକେ ଫଲୋଅନରୁ ବର୍ତି ଯାଇଛି।

ସମ୍ମାନ ରଖିଲେ ବିପ୍ଳବ-ଶାନ୍ତନୁ

୩ ଓଭରରେ ୪ ଓ୍ଵିକେଟ୍‌ ହରାଇବା ପରେ ବିପ୍ଳବ ଏବଂ ଶାନ୍ତନୁଙ୍କ ଦାୟିତ୍ୱବାନ ବ୍ୟାଟିଂ ପାଇଁ ଓଡ଼ିଶା ୧୦୦ ରନ୍‌ ଟପି ପାରିଥିଲା। ଉଭୟ ମିଳିତ ଭାବେ ୨୮.୪ ଓଭର ପର୍ଯ୍ୟନ୍ତ ବ୍ୟାଟିଂ କରି ରାଜ୍ୟର ସମ୍ମାନ ରଖିଥିଲେ। ନିଜ ପ୍ରଥମ ରଣଜୀ ମ୍ୟାଚ୍‌ ଖେଳୁଥିବା ଶାନ୍ତନୁ ଜଣେ ପରିପକ୍ୱ ବ୍ୟାଟ୍ସମ୍ୟାନ୍‌ ଭାବେ ଖେଳି ଢେର କିଛି ସମୟ ପର୍ଯ୍ୟନ୍ତ ମୁମ୍ବାଇ ବୋଲରଙ୍କୁ ସଫଳତାର ସହ ପ୍ରତିହିତ କରିଥିଲେ। ବିପ୍ଳବ କେତେକ ଦର୍ଶନୀୟ ସଟ୍‌ ସହ ଚଳିତ ଋତୁରେ ନିଜର ତୃତୀୟ ଅର୍ଧଶତକ ପୂରଣ କରିଥିଲେ। ଏହି ଯୋଡ଼ି ବିପଜ୍ଜନକ ହୋଇ ଆସୁଥିଲା ବେଳେ ଦୁର୍ଭାଗ୍ୟଜନକ ଭାବେ ଶାନ୍ତନୁ ତାଙ୍କ ଏକାଗ୍ରତା ହରାଇଥିଲେ। ସ୍ପିନର ବିଜୟ ଗୋହିଲଙ୍କୁ ରକ୍ଷଣାତ୍ମକ ଢ଼ଙ୍ଗରେ ଖେଳୁଥିଲା ବେଳେ ବଲ୍‌ ଯେତିିକି ଘୂରିବା କଥା ଘୂରି ନଥିଲା। ଫଳରେ ସେ ଫରଓ୍ଵାର୍ଡ ସଟ୍‌ ଲେଗ୍‌ରେ ଥିବା ପୃଥ୍ଵୀ ସ’ଙ୍କ ହାତରେ ଧରାପଡ଼ି ଯାଇଥିଲେ। ଶାନ୍ତନୁ ଯିବା ପରେ ଓଡ଼ିଶା ପାଳିରେ ପୁଣି ଥରେ ଘଳିଆ ପଡ଼ି ଯାଇଥିଲା। ଗୋହିଲ ସେହି ଓଭରର ଶେଷ ବଲ୍‌ରେ ଓ୍ଵିକେଟ୍‌ ରକ୍ଷକ ସୌରଭ ରାଓ୍ଵତଙ୍କୁ ବୋଲ୍ଡ କରି ଯୁଗଳ ଝଟ୍‌କା ଦେଇଥିଲେ। ଏହା ପରେ ଦୀପକ ବେହେରା (୨୮) କିଛି ସମୟ ବିପ୍ଳବଙ୍କ ସାଥ୍‌ ଦେଇଥିଲେ। ୪ ଚୌକା ଏବଂ ଏକ ସୁନ୍ଦର ଛକା ମାରି ପ୍ରଶଂସକଙ୍କୁ ବଡ଼ ପାଳିର ଆଶା ଦେଇଥିଲେ। କାମଚଳା ବୋଲର ଅଭିଷେକ ନାୟର ତାଙ୍କୁ ମୁମ୍ବାଇର ଓ୍ଵିକେଟ୍‌ ରକ୍ଷକ ଅଧିନାୟକ ଆଦିତ୍ୟ ତାରେ’ଙ୍କ ହାତରେ କ୍ୟାଚ୍‌ କରାଇବା ପରେ ଓଡ଼ିଶା ପାଳି ୧୧ ବଲ୍‌ ଭିତରେ ଶେଷ ହୋଇ ଯାଇଥିଲା। ଓଡ଼ିଶାର ଶେଷ ଚାରିଟି ଓ୍ଵିକେଟ୍‌ ମଧ୍ୟରୁ ଆଶ୍ଚର୍ଯ୍ୟଜନକ ଭାବେ ତିନିଟି ନାୟରଙ୍କୁ ମିଳିଥିଲା। ବିପ୍ଳବ ଅସହାୟ ଭାବେ ଅନାଇଥିଲା ବେଳେ ଆରପଟୁ ସବୁ ଓ୍ଵିକେଟ୍‌ ପଡ଼ି ଯାଇଥିଲା। ଶାନ୍ତନୁ-ବିପ୍ଳବ ପଞ୍ଚମ ଓ୍ଵିକେଟ୍‌ରେ ମହତ୍ୱପୂର୍ଣ୍ଣ ୯୧ ରନ୍‌ ଯୋଡ଼ିଥିଲେ। ମୁମ୍ବାଇ ପକ୍ଷରୁ ଅଭିଷେକ ନାୟର ଓ ବିଜୟ ଗୋହିଲ ତିନିଟି ଲେଖାଏଁ ଏବଂ ଧଓ୍ଵଲ କୁଲକର୍ଣ୍ଣି ଓ ସାର୍ଦୁଲ ଠାକୁର ଦୁଇଟି ଲେଖାଏଁ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ।

ଦୀପକଙ୍କ ଗତି ପରିବର୍ତନ

ଓଡ଼ିଶା ପାଳିର ତୃତୀୟ ସର୍ବାଧିକ ରନ୍‌ ସଂଗ୍ରହକାରୀ ଦୀପକ ବେହେରା ମୁମ୍ବାଇ ଦ୍ୱିତୀୟ ପାଳିରେ ବଡ଼ ମାଛ ପୃଥ୍ଵୀ ସ’ଙ୍କୁ ଚକ୍‌ମା ଦେବାକୁ ସକ୍ଷମ ହୋଇଥିଲେ। ପ୍ରଥମ ପାଳି ଭଳି ଦ୍ୱିତୀୟ ପାଳିରେ ମଧ୍ୟ ୧୭ ବର୍ଷୀୟ ସ’ ଆରମ୍ଭରୁ ଓଡ଼ିଶା ବୋଲରଙ୍କୁ ଆକ୍ରମଣ କରିଥିଲେ। ଦୁଇ କ୍ଷେତ୍ରରକ୍ଷକଙ୍କ ମଧ୍ୟରେ ଥିବା ଫାଙ୍କା ସ୍ଥାନକୁ ସଟ୍‌ ଖେଳି ଚୌକା ପରେ ଚୌକା ଅମଳ କରି ଚାଲିଥିଲେ। ୪୫ ବଲ୍‌ରୁ ୭ ଚୌକା ସହ ୪୬ ରନ୍‌ରେ ଥିଲା ବେଳେ କିନ୍ତୁ ଦୀପକ ବେହେରାଙ୍କ ଗତି ପରିବର୍ତନକୁ ବୁଝି ପାରି ନଥିଲେ। ତୁଳନାତ୍ମକ ଭାବେ କମ୍‌ ଗତିରେ ଆସିଥିବା ସଟ୍‌ ପିଚ୍‌ ବଲ୍‌କୁ ମିଡ୍‌ ଓ୍ଵିକେଟ୍‌ ଅଞ୍ଚଳକୁ ପୁଲ୍‌ କଲା ବେଳେ ମିଡ୍‌ ଅନ୍‌ରେ ବିପ୍ଳବ ସାମନ୍ତରାୟଙ୍କ ହାତରେ ଧରା ପଡ଼ି ଯାଇଥିଲେ। ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ସପ୍ତମ ଓଭରର ପ୍ରଥମ ତିନି ବଲ୍‌ରେ ହ୍ୟାଟ୍ରିକ୍‌ ଚୌକା ମାରିବା ପରେ ପଞ୍ଚମ ବଲ୍‌କୁ ସ’ ସିଧା ଖେଳିଥିଲେ। ବଲ୍‌ ଦ୍ରୁତ ଗତିରେ ଯାଇ ପ୍ରଧାନଙ୍କ ହାତ ଛୁଇଁ ଷ୍ଟମ୍ପକୁ ଭାଙ୍ଗି ଦେଇଥିଲା। ସେତେବେଳେ କ୍ରିଜ୍‌ ବାହାରେ ଥିବା ଅଖିଳ ହରଓ୍ଵାଦେକର ଦୁର୍ଭାଗ୍ୟଜନକ ଭାବେ ରନ୍‌ ଆଉଟ୍‌ ହୋଇ ଯାଇଥିଲେ।

ରାହାଣେ ବିଫଳ

ମୁମ୍ବାଇ ଦଳରେ ସାମିଲ ଥିବା ଅନ୍ତର୍ଜାତୀୟ ତାରକା ଅଜିଙ୍କ୍ୟ ରାହାଣେଙ୍କୁ ଦେଖିବା ଲାଗି ଗୁରୁବାର କିଟ୍‌ ଷ୍ଟାଡିୟମରେ ଦର୍ଶକ ଭିଡ଼ ଜମାଇଥିଲେ। ଏପରିକି ସେ ବ୍ୟାଟିଂ ପାଇଁ ଆସିଲା ବେଳକୁ ଦର୍ଶକ କରତାଳି ମାରି ଏବଂ ରାହାଣେ ରାହାଣେ ଉଚ୍ଚାରଣ କରି ତାଙ୍କୁ ଉତ୍ସାହିତ କରିଥିଲେ। ହେଲେ ରାହାଣେ ପୂରା ନିରାଶ କରିଥିଲେ। ସେ ମାତ୍ର ପାଞ୍ଚଟି ବଲ୍‌ ପର୍ଯ୍ୟନ୍ତ କ୍ରିଜ୍‌ରେ ରହି ପାରିଥିଲେ। ପ୍ରଥମ ୪ ବଲ୍‌ ରକ୍ଷଣାତ୍ମକ ଢଙ୍ଗରେ ଖେଳିବା ପରେ ବସନ୍ତ ମହାନ୍ତିଙ୍କ ପଞ୍ଚମ ବଲ୍‌ରେ ସେ ଏଲ୍‌ବିଡବ୍ଲ୍ୟୁ ହୋଇ ଯାଇଥିଲେ। ଉଦୀୟମାନ ତାରକା ପୃଥ୍ଵୀ ସ’ ୪୬ ଓ ଅଖିଳ ହରଓ୍ଵାଦେକର ୩ ରନ୍‌ କରିଥିଲେ। ଆଜିର ଷ୍ଟମ୍ପ୍ସ ଅପସାରଣ ବେଳକୁ ସୂର୍ଯ୍ୟ କୁମାର ଯାଦବ ୧୭ ବଲ୍‌ରୁ ୯ ଏବଂ ଧାଓ୍ଵଲ କୁଲକର୍ଣ୍ଣି ୧୪ ବଲ୍‌ରୁ ବିନା ରନ୍‌ରେ ଅପରାଜିତ ରହିଛନ୍ତି।

ଧଓ୍ଵଲଙ୍କ ହେଲମେଟ୍‌ରେ ବଲ୍‌

ପ୍ରଥମ ପାଳିର ଶତକ ହାସଲକାରୀ ପୃଥ୍ଵୀ ସ’ଙ୍କ ଆଉଟକୁ ନେଇ ଗୁରୁବାର ସୃଷ୍ଟି ହୋଇଥିଲା ଦ୍ୱନ୍ଦ୍ୱ। ମୁମ୍ବାଇ ଦ୍ୱିତୀୟ ପାଳିର ତ୍ରୟୋଦଶ ଓଭରର ତୃତୀୟ ବଲ୍‌ରେ ସ’ ଦୀପକ ବେହେରାଙ୍କ ବଲ୍‌କୁ ପୁଲ୍‌ କରୁଥିଲା ବେଳେ ବିପ୍ଳବ ସାମସ୍ତରାୟଙ୍କ ହାତରେ ଧରା ପଡ଼ିଥିଲେ। ହେଲେ ଏହି ବଲ୍‌ର ବୈଧତାକୁ ନେଇ ଅମ୍ପାୟାର ବି ଦ୍ୱନ୍ଦ୍ୱରେ ଥିଲେ। ବଲ୍‌ଟି ନୋ’ ବଲ୍‌ ଥିଲା କି ନାହିଁ ତାହା ସ୍ପଷ୍ଟ ହେବା ଲାଗି ସେ ତୃତୀୟ ଅମ୍ପାୟାରଙ୍କ ସହାୟତା ଲୋଡ଼ିଥିଲେ। ଏଥିଲାଗି ସ’ ଢେର ସମୟ ପଡ଼ିଆ ଭିତରେ ଅଟକି ରହିଥିଲେ। ଆଇନସମ୍ମତ ବଲ୍‌ଥିଲା ବୋଲି ତୃତୀୟ ଅମ୍ପାୟାର ସଂକେତ ଦେବା ପରେ ସ’ ପଡ଼ିଆ ଛାଡ଼ିଥିଲେ। ସେହିଭଳି ନାଇଟ୍‌ ଓ୍ଵାଚମ୍ୟାନ୍‌ ଭାବେ ଯାଇଥିବା ଧଓ୍ଵଲ କୁଲକର୍ଣ୍ଣିଙ୍କ ହେଲମେଟ୍‌ରେ ଖୁବ୍‌ଜୋରରେ ବଲ୍‌ ବାଜି ଯାଇଥିଲା। ବସନ୍ତ ମହାନ୍ତିଙ୍କ ବାଉନ୍ସର ପାଇଁ ପ୍ରସ୍ତୁତ ନଥିବା କୁଲକର୍ଣ୍ଣି ଏହା ଉପରୁ ନଜର ହଟାଇବା କ୍ଷଣି ବଲ୍‌ ସିଧା ଯାଇ ତାଙ୍କ ହେଲମେଟରେ ବାଜିଥିଲା। । ହେଲମେଟରେ ଲାଗି ବଲ୍‌ ମୁଣ୍ଡରେ ବାଜି ଥିବାରୁ ପଡ଼ିଆ ଭିତରେ ତାଙ୍କର ଚିକିତ୍ସା କରାଯାଇଥିଲା। କିଛି ସମୟ ପରେ ସେ ଅବଶ୍ୟ ପୂର୍ଣ୍ଣ ଆରୋଗ୍ୟ ଲାଭ କରି ପୁଣି ଥରେ ବ୍ୟାଟିଂ ଆରମ୍ଭ କରିଥିଲେ। ହେଲେ ୧୪ ବଲ୍‌ ଖୋଲି ଗୋଟିଏ ହେଲେ ବି ରନ୍‌ କରି ପାରି ନଥିଲେ।

ସମ୍ବନ୍ଧିତ ଖବର