ରଣଜୀ ଟ୍ରଫି:ଶେଷ ଘରୋଇ ସୁଯୋଗ

ରଣନୀତି ପାଇଁ ମ୍ୟାଚ୍‌ ଭିଡିଓର ସହାୟତା ନିଆଯିବ:ଅଭ୍ୟାସ ଆରମ୍ଭ କଲା ତାମିଲନାଡ଼ୁ

କଟକ: ଗୋଟିଏ ଋତୁ ବ୍ୟବଧାନ ପରେ ଓଡ଼ିଶା ଘରୋଇ ପରିବେଶରେ ରଣଜୀ ମ୍ୟାଚ୍‌ ଖେଳୁଛି। ଚଳିତ ଋତୁରେ ବିକାଶ ପଡ଼ିଆ ଓ କିଟ୍‌ରେ ଖେଳାଯାଇଥିବା ଦୁଇଟି ମ୍ୟାଚ୍‌ ଓଡ଼ିଶା ଶିବିରକୁ ନିରାଶ କରିସାରିଛି। ଏବେ ଡ୍ରିମ୍ସରେ ନିଜ ଦର୍ଶକଙ୍କ ଆଗରେ ଘରୋଇ ଦଳକୁ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଶେଷ ସୁଯୋଗ ରହିଛି। ଏଥିପାଇଁ ଓଡ଼ିଶା ଦଳ ଡ୍ରିମ୍ସ ଷ୍ଟାଡିୟମରେ ସୋମବାରଠୁ ଜୋର୍‌ଦାର ଅଭ୍ୟାସ ଆରମ୍ଭ କରିଛି। ଗ୍ରୁପ୍‌ ସି’ରେ ତାମିଲନାଡ଼ୁ ମଧ୍ୟ ଅନ୍ୟତମ ଶକ୍ତିଶାଳୀ ଦଳ। ତଥାପି ମୁରଲୀ ବିଜୟ, ରବିଚନ୍ଦ୍ରନ ଅଶ୍ୱିନ, ଦୀନେଶ କାର୍ତ୍ତିକଙ୍କ ଅନୁପସ୍ଥିତି ଓଡ଼ିଶା ଖେଳାଳିଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଛି। ତେଣୁ ଏହି ମ୍ୟାଚରେ କିପରି ନିଜର ଆଧିପତ୍ୟ ବିସ୍ତାର କରିବାକୁ ହେବ ସେଥିପାଇଁ ପୁରା ଦଳ ଲାଗିପଡ଼ିଛି। ତାମିଲନାଡ଼ୁର ପ୍ରତ୍ୟେକ ଖେଳାଳିଙ୍କୁ ବୁଝିବା ଓ ସେମାନଙ୍କ ବିରୋଧରେ କଡ଼ା ରଣନୀତି ପ୍ରସ୍ତୁତ କରିବାକୁ ପୂର୍ବ ମ୍ୟାଚ୍‌ଗୁଡ଼ିକର ଭିଡିଓ ଫୁଟେଜ୍‌ର ସହାୟତା ନିଆଯିବ ବୋଲି ଜଣାପଡ଼ିଛି। ସେହିପରି ଗତ ତିନିଟି ମ୍ୟାଚ୍‌ରେ ଓଡ଼ିଶା ଖେଳାଳିମାନଙ୍କ ଦୁର୍ବଳତାକୁ ସୁଧାରିବା ପାଇଁ ମଧ୍ୟ ଭିଡିଓ ଫୁଟେଜ୍‌ ବେଶ୍‌ ସହାୟକ ହେବ ବୋଲି କୁହାଯାଉଛି।
ଆହତ ଯୋଗୁଁ ପୂର୍ବରୁ ବାଦ୍‌ ପଡ଼ିଥିବା ରଂଜିତ ସିଂହ ଓ ଅବିନାଶ ସାହା ଦଳକୁ ଫେରିଥିବାରୁ ଓଡ଼ିଶା ଶକ୍ତି ମଜବୁତ୍‌ ହୋଇଛି। କିନ୍ତୁ ଏମାନଙ୍କୁ କାହାସ୍ଥାନରେ ଖେଳାଯିିବ ସେଥିପାଇଁ ପ୍ରଶିକ୍ଷକ ଓ ଅଧିନାୟକଙ୍କୁ ଅନେକ ଚିନ୍ତା କରିବାକୁ ହେବ। ତଥାପି ପ୍ରାରମ୍ଭିକ ଯୋଡ଼ିରେ କିଛିଟା ପରିବର୍ତ୍ତନ ହେବା ନେଇ ଆଭାସ ମିଳିଛି। ଗତ ୩ ମ୍ୟାଚ୍‌ରୁ ସନ୍ଦୀପ ପଟ୍ଟନାୟକ ୪୧ ଓ ନଟରାଜ ବେହେରା ୩୧ ରନ୍‌ କରିଛନ୍ତି। କିନ୍ତୁ ଅଭିଜ୍ଞତା ଦୃଷ୍ଟିରୁ ନଟରାଜଙ୍କୁ ଆଉ ଏକ ସୁଯୋଗ ଦିଆଯାଇପାରେ। ଏପରିସ୍ଥିତିରେ ରଂଜିତ ସିଂହ ପାଳି ଆରମ୍ଭ କରିବା ସୁଯୋଗ ପାଇପାରନ୍ତି। ବମ୍ବେ ବିପକ୍ଷରେ ଶାନ୍ତନୁ ମିଶ୍ର ପଦାର୍ପଣ ମ୍ୟାଚ୍‌ରେ ସମସ୍ତଙ୍କୁ ପ୍ରଭାବିତ କରିପାରିଛନ୍ତି। ତେଣୁ ତାଙ୍କୁ ଡ୍ରିମ୍ସ ମ୍ୟାଚ୍‌ରୁ ବାହାର କରିବା ଅନୁଚିତ୍‌ ହେବ। ଏହା ହେଲେ ଅବିନାଶଙ୍କୁ ସୁଯୋଗ ପାଇବାକୁ ଅପେକ୍ଷା କରିବାକୁ ପଡ଼ିବ। ଅନ୍ୟପକ୍ଷରେ ଓ୍ଵିକେଟ୍‌ ରକ୍ଷକ ସୌରଭ ରାଓ୍ଵତଙ୍କ ସ୍ଥାନରେ ରାଜେଶ ଧୂପର ଦଳରେ ସାମିଲ ହୋଇଥିବାରୁ ଡ୍ରିମ୍‌ସରେ ତାଙ୍କର ଖେଳିବା ନେଇ କୌଣସି ଦ୍ୱିମତ ନାହିଁ। ଅନ୍ୟପକ୍ଷରେ ବୋଲିଂକ୍ରମରେ ମଧ୍ୟ ଗୋଟିଏ ପରିବର୍ତ୍ତନ ହୋଇପାରେ। ଚଳିତ ଋତୁରେ କୌଣସି ମ୍ୟାଚ୍‌ ଖେଳିନଥିବା ଆଲୋକ ସାହୁଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯିବା ନେଇ ଚିନ୍ତା କରାଯାଉଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ ତାମିଲନାଡ଼ୁ ଏଥର କୌଣସି ମ୍ୟାଚ୍‌ ଜିତ ନିଥିଲେ ବି ପଏଣ୍ଟ ତାଲିକାର ସୁରକ୍ଷିତ ସ୍ଥାନରେ ରହିଛି। ଦଳ ୩ ମ୍ୟାଚ୍‌ରୁ ୭ ପଏଣ୍ଟ ପାଇଛି। କିନ୍ତୁ ଟେଷ୍ଟ ଖେଳାଳି ଅଭିନବ ମୁକୁନ୍ଦଙ୍କ ଦଳ ପ୍ରଥମ ବିଜୟ ଅପେକ୍ଷାରେ ରହିଛି। ଏହି ମ୍ୟାଚ୍‌ ପାଇଁ ଦଳ ପାଖାପାଖି ୧୦ ଦିନ ସମୟ ପାଇଥିଲା। କିନ୍ତୁ ତାମିଲନାଡ଼ୁରେ ବର୍ଷା ଲାଗି ରହୁଥିବାରୁ ଖୋଲା ପଡ଼ିଆ ଅପେକ୍ଷା ଇଣ୍ଡୋର ଅଭ୍ୟାସ ଅଧିକ କରିଛନ୍ତି। ତେଣୁ ଡ୍ରିମ୍ସରେ ପହଞ୍ଚିବା ପରେ ଖେଳାଳିମାନେ ପ୍ରଥମେ ଶାରିରୀକ ସନ୍ତୁଳନ ଉପରେ ଗୁରୁତ୍ୱ ଦେଇଥିଲେ। ଭାରତୀୟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ ତଥା ଦଳର ମୁଖ୍ୟ ପ୍ରଶିକ୍ଷକ ହୃଷିକେଶ କାନିତକର ଓ ବୋଲିଂ ପ୍ରଶିକ୍ଷକ ଲକ୍ଷ୍ମୀପତି ବାଲାଜି ପ୍ରାୟ ୧୫ ମିନିଟ୍‌ କାଳ ପଡ଼ିଆରେ ଆଲୋଚନା କରିବା ପରେ ଖେଳାଳିଙ୍କୁ ଶାରିରୀକ ଅଭ୍ୟାସ କରାଇଥିଲେ ଓ ପରେ ହାଲ୍‌କା ନେଟ୍ସ କରିଥିଲେ। ଦଳରେ ଯୁବ ଓ ଅଭିଜ୍ଞ ଖେଳାଳିଙ୍କ ଭରପୁର ସନ୍ତୁଳନ ରହିଥିବାରୁ ସମସ୍ତଙ୍କ ମନୋବଳ ମଧ୍ୟ ଦୃଢ ରହିଥିବା କୁହାଯାଇଛି।

ସମ୍ବନ୍ଧିତ ଖବର