ଭୁବନେଶ୍ବର: ଜମ୍ମୁ କାଶ୍ମୀରର ଗୁଲମାର୍ଗରେ ସୋମବାର ଶେଷ ହୋଇଥିବା ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡ଼ାରେ ଏକମାତ୍ର ଓଡ଼ିଆ ଝିଅ ଭାବେ ଅଂଶଗ୍ରହଣ କରିଥିବା ରଂଜିତା ବେହେରା ଚମତ୍କାର ପ୍ରଦର୍ଶନ କରିଥିଲେ ମଧ୍ୟ ପଦକରୁ ବଞ୍ଚିତ ହୋଇଛନ୍ତି। ବରିଷ୍ଠ ମହିଳା ବିଭାଗର ଦୁଇଟି ପର୍ଯ୍ୟାୟରେ ଭାଗ ନେଇଥିବା ରଂଜିତା ଫାଇନାଲ୍ ରାଉଣ୍ଡ୍‌ ପହଞ୍ଚିଥିଲେ।

Advertisment

ଏକ ଅଣବରଫାବୃତ ରାଜ୍ୟରୁ ବାହାରିଥିବା ରାଉରକେଲା ଝିଅ ରଂଜିତା ସ୍ନୋ ସ୍କିଂରେ ଭଲ ପ୍ରଦର୍ଶନ କରିଥିବାରୁ ପ୍ରଶଂସା ସାଉଁଟିଛନ୍ତି। ସମୁଦ୍ରପତନଠାରୁ ୧୧,୫୦୦ ଫୁଟ ଉଚ୍ଚ ଗୁଲମାର୍ଗର ‘ମେରି ସୋଲ୍‌ଡର’ର ବିପଦପୂର୍ଣ୍ଣ ସ୍କି ଗଡ଼ାଣିରେ ଅନେକ ପ୍ରମୁଖ ଖେଳାଳି ଅଯୋଗ୍ୟ ଘୋଷିତ ହୋଇଥିବା ବେଳେ ରଂଜିତା ଅନାୟାସରେ ଫିନିସିଂ ପଏଣ୍ଟରେ ପହଞ୍ଚିଥିଲେ। ‘ସେନା, ଇଣ୍ଡୋ-ତିବ୍ବତୀୟ ‌ପୁଲିସ୍‌ ଓ ବରଫାବୃତ ରାଜ୍ୟରୁ ଆସିଥିବା ଅଭିଜ୍ଞ ପ୍ରତିଯୋଗୀଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରିବା ଆହ୍ବାନଭରା ଥିଲା ବୋଲି କହିଛନ୍ତି ରଂଜିତା। ଉଦ୍‌ଘାଟନୀ ଉତ୍ସବରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଅଣବରଫାବୃତ ରାଜ୍ୟରୁ ଆସିଥିବାରୁ ରଂଜିତାଙ୍କୁ ଉତ୍ସାହିତ କରିଥିଲେ।