ଭୁବନେଶ୍ବର: ଓଡ଼ିଶାର ‘ସ୍ନୋ ଗାର୍ଲ’ ଭାବେ ପରିଚିତ ରଂଜିତା ବେହେରା ଆଗାମୀ ୨୦୨୬ କରଟିନା ଶୀତକାଳୀନ କ୍ରୀଡ଼ା ପାଇଁ ଯୋଗ୍ୟତା ଅର୍ଜନ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଏଥି ପାଇଁ କିନ୍ତୁ ଏବେଠାରୁ ନିରଂତର ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଆବଶ୍ୟକ ପଏଣ୍ଟ ଅର୍ଜନ କରିବାକୁ ପଡ଼ିବ। ଏହି ବ୍ୟୟବହୁଳ ଖେଳ ପାଇଁ ଓଡ଼ିଶା ସରକାର ନିଶ୍ଚିତ ସମର୍ଥନ ଓ ପ୍ରୋତ୍ସାହନ ଯୋଗାଇଦେବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁଭଳି ଭାବେ ଖେଳକୁ ଭଲ ପାଉଛନ୍ତି, ଜଗନ୍ନାଥଙ୍କ ଆଶୀର୍ବାଦରେ ରଂଜିତା ନିଶ୍ଚିତ ଶୀତକାଳୀନ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିପାରିବେ’ ବୋଲି ଦୃଢ଼ ଆତ୍ମବିଶ୍ବାସର ସହ ପ୍ରକାଶ କରିଛନ୍ତି ଭାରତୀୟ ସ୍କି ଆଣ୍ଡ ସ୍ନୋ ବୋର୍ଡର ସଭାପତି ରୂପଚାନ୍ଦ ନେଗୀ।
ପୁରୀ ରଥାଯାତ୍ରା ପାଇଁ ଓଡ଼ିଶା ଆସିଥିବାବେଳେ ଶ୍ରୀ ନେଗୀ ରଂଜିତା ଏବଂ ଓଡ଼ିଶା ସ୍କି ଆଣ୍ଡ୍ ସ୍ନୋ ବୋର୍ଡ ସଂଘର କର୍ମକର୍ତାଙ୍କ ସହ ଆଲୋଚନା କରିଥିଲେ। ଅଧିକରୁ ଅଧିକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ରଂଜିତାଙ୍କ ଅଂଶଗ୍ରହଣ ଉପରେ ଶ୍ରୀ ନେଗୀ ଗୁରୁତ୍ବ ଦେଇଥିଲେ। ଆଗାମୀ ଦିନରେ ନରୱେ, ଅଷ୍ଟ୍ରିଆ, ଇଟାଲୀର ନାମୀ ସ୍କି ସ୍କୁଲ୍ରେ ତାଲିମ ପାଇଁ ରଂଜିତାଙ୍କୁ ଭାରତୀୟ ସଂଘ ସହାୟତା କରିବେ ବୋଲି ଶ୍ରୀ ନେଗୀ ପ୍ରକାଶ କରିଥିଲେ। ଏହି ଅବସରେ ଓଡ଼ିଶା ସ୍କି ଆଣ୍ଡ୍ ସ୍ନୋ ବୋର୍ଡ ସଂଘର ସଭାପତି ତଥା ଭାରତୀୟ ବନସେବା ଅଧିକାରୀ ଡକ୍ଟର ଅନୁପ ନାୟକ ଶ୍ରୀ ନେଗୀଙ୍କୁ ପୁଷ୍ପଗୁଛ ଓ ଉପଢ଼ୌକନ ଦେଇ ସମ୍ବର୍ଧିତ କରିଥିଲେ।