ଗୁଲ୍‌ମାର୍ଗରେ ‘ସ୍ନୋ ଗାର୍ଲ’ ରଂଜିତାଙ୍କ ଚମକ, ପରିବାର ଓ ପ୍ରଶିକ୍ଷକଙ୍କୁ ଶ୍ରେୟ

ଭୁବନେଶ୍ବର: ଓଡ଼ିଶାର ଅନ୍ୟତମ ଦୁଃସାହସୀ କ୍ରୀଡ଼ାବିତ୍‌ ରଂଜିତା ବେହେରାଙ୍କ ନୂଆ ଅଭିଯାନ ଏବେ ପ୍ରଭାବୀ ପ୍ରଦର୍ଶନରୁ ଆରମ୍ଭ ହୋଇଛି। ପର୍ବତାରୋହୀ ଭାବେ ନାମ କମାଇ ସାରିଥିବା ରଂଜିତା ସମ୍ପ୍ରତି ଜମ୍ମୁ ଓ କଶ୍ମୀରରେ ଅନୁଷ୍ଠିତ ଦ୍ବିତୀୟ ଖେଲୋ ଇଣ୍ଡିଆ ଜାତୀୟ ଶୀତକାଳୀନ କ୍ରୀଡ଼ାରେ ନିଜ ‘ସ୍କିଂ’ ଦକ୍ଷତାର ଚମକ ଛାଡ଼ି ପ୍ରଶଂସା ସାଉଁଟିଛନ୍ତି। ଓଡ଼ିଶା ଭଳି ଏକ ବରଫବିହୀନ ରାଜ୍ୟରୁ ବାହାରିଥିଲେ ମଧ୍ୟ ରଂଜିତା ଏହି ପ୍ରତିଯୋଗିତାର ଅଲପାଇନ୍‌ ସ୍କିଂ’ରେ ସାଲାଲମ ଓ ଜ୍ୟାଣ୍ଟ୍ ସାଲାଲମ୍‌ ବିଭାଗରେ ଉତ୍କର୍ଷ ଖେଳ ପ୍ରଦର୍ଶନ କରିଛନ୍ତି। ଯାହାକି ଅନ୍ୟ ହିମପାତ ରାଜ୍ୟ ତଥା ଆଇଟିବିପି, ଆର୍ମିର ପ୍ରଥମ ଶ୍ରେଣୀ ଯୋଗ୍ୟ ଖେଳାଳିମାନଙ୍କ ସମକକ୍ଷ ପ୍ରଦର୍ଶନ କରି ସେମାନଙ୍କ ଦ୍ବାରା ପ୍ରଶଂସିତ ହୋଇଛନ୍ତି। ପଦାର୍ପଣ ପ୍ରତିଯୋଗିତାକୁ ସେ ଅତ୍ୟନ୍ତ ସ୍ମରଣୀୟ ଅଭିଯାନରେ ସାଇତିଛନ୍ତି।

ଗୁଲମାର୍ଗର ‘ମେରିସୋଲ୍ଡର’ ବିପଦପୂର୍ଣ୍ଣ ବରଫ ଖସଡ଼ାରୁ ଅତ୍ୟନ୍ତ ଷ୍ଟାଇଲଭରା ସ୍କି କରି ରଂଜିତା ସମସ୍ତ ପ୍ରତିବଂଧକ (ଗେଟ୍‌)କୁ ଅନାୟାସରେ ଅତିକ୍ରମ କରି ଲକ୍ଷ୍ୟ ସ୍ଥଳରେ ପହଞ୍ଚିଥିଲେ। ପଦକ ଜିତି ପାରିନଥିଲେ ମଧ୍ୟ ରଂଜିତାଙ୍କ ଦକ୍ଷତା ଓ ସାହାସକୁ ଦର୍ଶକ ଓ ସ୍ନୋ ସ୍ଲିୟର୍ସମାନେ ଉଚ୍ଚ ପ୍ରଶଂସା କରିଥିଲେ। ଆଇଟିବିପିର ମୁଖ୍ୟ ପ୍ରଶିକ୍ଷକ ନାନକ ଚାନ୍ଦ କହିଥିଲେ, ‘ବିଶ୍ବାସ କରିହେଉନି ଯେ ବରଫ ଯେଉଁ ରାଜ୍ୟରେ ସ୍ବପ୍ନ ସେଠାରୁ ଜଣେ ଝିଅ ଏତେ ସୁନ୍ଦର ଭାବେ ସ୍କିଂ କରିପାରୁଛି। ରଂଜିତା ଚାହିଁଲେ ଆଇଟିବିପି ତାଙ୍କୁ ତାଲିମର ସୁବିଧା ସୁଯୋଗ ଯୋଗାଇଦେବ’। ଓଡ଼ିଶା ସରକାର ରଂଜିତାଙ୍କୁ ସହାୟତା କରିଥିବାରୁ ପୂର୍ବତନ ଅଲିମ୍ପିଆନ୍‌ ଚୁନିଲାଲ୍‌ ଠାକୁର ଓ ହୀରାଲାଲ୍‌ ଏଭଳି ପଦକ୍ଷେପକୁ ସ୍ବାଗତ କରିବା ସହ ଏହା ସ୍କି ଜଗତରେ ଓଡ଼ିଶାକୁ ସ୍ବତନ୍ତ୍ର ସ୍ଥାନ ଦେବ ବୋଲି ପ୍ରକାଶ କରିଥିଲେ। ‘ଆମେ ଭାବିଥିଲୁ ରଂଜିତା ମଝିରେ ପଡ଼ିଯିବ ଏବଂ ପ୍ରତିଯୋଗିତାରୁ ବାହାରିଯିବ। ସେ ଅତି ଭଲ ଭାବରେ କରିପାରିଥିବାରୁ ଆମେ ବିସ୍ମିତ’ ବୋଲି ମତ ଦେଇଥିଲେ ସେ ଖେଳିଥିବା ଉଭୟ ବିଭାଗର ବିଜେତା ଆଞ୍ଚଳ ଠାକୁର। ଏବେଠାରୁ ରଂଜିତାଙ୍କୁ ଓଡ଼ିଶାର ‘ସ୍ନୋ ଗାର୍ଲ’ ଭାବେ ଅଭିହିତ କରିଛନ୍ତି ତାଙ୍କ ଗୁରୁ ସୁଶାନ୍ତ ଦାସ।

ପରିବାର ଓ ପ୍ରଶିକ୍ଷକଙ୍କୁ ଶ୍ରେୟ
ପର୍ବତାରୋହଣ ହେଉ କି ‌ସ୍କିଂ ରଂଜିତା ଏବେ ନିଜ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଓଡ଼ିଶାର ‘ସ୍ନୋ ଗାର୍ଲ’ ହେବାରେ‌ ଗୌରବ ମିଳିବା ନିଶ୍ଚିତ ଏହି ରାଉରକେଲା ଝିଅକୁ। ପର୍ବତାରୋହଣ କରିବା ଦିନଠାରୁ ମୁଁ ଏତେ ବାଟ ଆସିବି ବୋଲି ଭାବିନଥିଲି। ବିଭିନ୍ନ ଦୁଃସାହସିକ କ୍ରୀଡ଼ା ପାଠ୍ୟକ୍ରମ ସାରିବା ପରେ ସ୍କିଂ କରିବାକୁ ନିଷ୍ପତ୍ତି‌ ନେଇଥିଲି। ପଦାର୍ପଣ ଖେଲୋ ଇଣ୍ଡିଆ ଜାତୀୟ ଶୀତକାଳୀନ ପ୍ରତିଯୋଗିତାକୁ ଭଲ ଟାଇମିଂରେ ଶେଷ କରିପାରିଥିବାରୁ ଖୁସି ଲାଗୁଛି। ଏବେ ଏହି ଖେଳକୁ ମୁଁ ନିଶ୍ଚିତ ଗୁରୁତ୍ବ ଦେବି, ପର୍ବତାରୋହଣକୁ ବି ଛାଡ଼ିବି ନାହିଁ। ଜମ୍ମୁ କଶ୍ମୀରର ଜବାହର ପ୍ରତିଷ୍ଠାନରେ ମୌଳିକ ଶିକ୍ଷା ଗ୍ରହଣ କରିବା ପରେ ଆଗକୁ ବଢ଼ିଥିଲି। ବରଫ ଉପରେ ଛିଡ଼ା ହେବା ମୁଁ ଏହିଠାରୁ ହିଁ ଶିଖିଥିଲି। ଓଡ଼ିଶା ସରକାରଙ୍କ ସହାୟତା, ପରିବାରର ପୂର୍ଣ୍ଣ ସମର୍ଥନ (ପିତା ରଘୁନାଥ ଓ ମା’ ଅନ୍ନପୂର୍ଣ୍ଣା)ଙ୍କ ସହ ମୋ ଆଦ୍ୟ ଗୁରୁ ସୁଶାନ୍ତ କୁମାର ଦାସଙ୍କ ମାର୍ଗଦର୍ଶନ ବିନା ଏହା ସମ୍ଭବ ହୋଇନଥା’ନ୍ତା ବୋଲି ରଂଜିତା ‘ସମ୍ବାଦ’ ସହ କଥା ହେବା ବେଳେ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର