ରଣଜୀ ଟ୍ରଫି: ତିନି ଶତକ ସହ ତାମିଲନାଡୁ ୫୩୦

କଟକ: ପ୍ରଥମ ଦିନରେ ମୁରଲୀ ବିଜୟଙ୍କ ସୋ’ ପରେ ଦ୍ୱିତୀୟ ଦିନରେ ବିଜୟ ଶଙ୍କର ଓ ବାବା ଅପରାଜିତଙ୍କ ଶତକୀୟ ପାଳି ଯୋଗୁଁ ତାମିଲନାଡୁ ଡ୍ରିମ୍ସ ରଣଜୀ ମ୍ୟାଚରେ ଓଡ଼ିଶା ସମ୍ମୁଖରେ ୫୩୦ରନ୍‌ ଠିଆ କରିଛି। ଦିନର ଆରମ୍ଭରୁ ବୋଲରଙ୍କୁ ପିଚ୍‌ରୁ ସେତେଟା ସହଯୋଗ ମିଳିନଥିଲେ ବି ଦ୍ୱିତୀୟ ଭାଗରେ ସୂର୍ଯ୍ୟକାନ୍ତ ପ୍ରଧାନ (୩/୭୫), ବିପ୍ଳବ ସାମନ୍ତରାୟ (୨/୫୭) ଓ ଅଧିନାୟକ ଗୋବିନ୍ଦ ପୋଦ୍ଦାର (୨/୧୧୭) ତାମିଲନାଡୁ ବ୍ୟାଟ୍ସମ୍ୟାନଙ୍କ ଉପରେ ରୋକ୍‌ ଲଗାଇଥିଲେ। ତଥାପି ଭ୍ରମଣକାରୀ ଦଳ ବଡ଼ ସ୍କୋର ପାଇଁ ସବୁପ୍ରକାର ମୂଳଦୁଆ ପକାଇସାରିଥିଲା। ୫୩୦ ରନ୍‌ରେ ଦଳ ପାଳି ଘୋଷଣା କରିବା ପରେ ଓଡ଼ିଶା ଦ୍ୱିତୀୟ ଦିନ ଶେଷ ସୁଦ୍ଧା ବିନା କ୍ଷତିରେ ୩୬ରନ୍‌ ସଂଗ୍ରହ କରିଛି। ଦିନର ଶେଷ ଘଣ୍ଟାକରେ ବଲ୍‌ ଅଧିକାଂଶ ସମୟ ତଳୁଆ ରହୁଥିବାରୁ ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ସନ୍ଦୀପ ପଟ୍ଟନାୟକ ଓ ନଟରାଜ ବେହେରାଙ୍କୁ ଖେଳିବାରେ କିଛିଟା ସମସ୍ୟା ହୋଇଥିଲା। ତଥାପି ସୁଯୋଗ ମିଳିବା ମାତ୍ରେ ରନ୍‌ ଚୋରାଇନେବାରେ ଦୁଇ ବ୍ୟାଟ୍ସମ୍ୟାନ ସଫଳ ହୋଇଥିଲେ। ଷ୍ଟମ୍ପସ ଅପସାରଣ ବେଳକୁ ସନ୍ଦୀପ ୧୫ ଓ ନଟରାଜ ୧୭ରନ୍‌ରେ ଅପରାଜିତ ଅଛନ୍ତି। ଫଳରେ ମ୍ୟାଚରେ ସ୍ଥିତି ମଜବୁତ୍‌ ରଖିବାକୁ ହେଲେ ତୃତୀୟ ଦିନର ପ୍ରଥମାର୍ଦ୍ଧ ଉଭୟ ଦଳଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ପିଚ୍‌ ପୂର୍ବାପେକ୍ଷା ଧୀମା ହୋଇଯାଇଥିବାରୁ ଶନିବାର ଆରମ୍ଭରୁ ଓଡ଼ିଶାକୁ ବଡ଼ ଭାଗୀଦାରିର ଆବଶ୍ୟକତା ରହିଥିବା ଦଳର ପ୍ରଶିକ୍ଷକ ଶିବସୁନ୍ଦର ଦାସ କହିଛନ୍ତି।

ମୁରଲୀ ବିଜୟ ଓ ନାରାୟଣ ଜଗଦୀଶାନ ଯେଉଁ ଭଳି ଢଙ୍ଗରେ ପ୍ରଥମ ଦିନ ଖେଳିଥିଲେ, ଠିକ୍‌ ସେହଭଳି ଶୈଳୀରେ ବିଜୟ ଶଙ୍କର ଓ ଅପରାଜିତ ଦ୍ୱିତୀୟ ଦିନସାରା ଓଡ଼ିଶା ବୋଲରଙ୍କୁ ନିରାଶ କରିଥିଲେ। ଦିନର ଆରମ୍ଭରୁ ବାବା ଇନ୍ଦ୍ରଜିତ (୪୬)ଙ୍କୁ ସୂର୍ଯ୍ୟକାନ୍ତ ପ୍ରଧାନ ଆଉଟ କରିବାରେ ସଫଳ ହୋଇଥିଲେ, କିନ୍ତୁ ତାହାର ପ୍ରଭାବ ପରବର୍ତ୍ତୀ ଯୋଡ଼ି ଉପରେ ପଡ଼ିନଥିଲା। ବିଜୟ ଶଙ୍କର ଓ ଅପରାଜିତ ପଞ୍ଚମ ଓ୍ଵିକେଟରେ ୧୭୭ରନ୍‌ ଯୋଡ଼ିଥିଲେ। ରକ୍ଷଣାତ୍ମକ ଶୈଳୀରେ ଉଭୟ ବଡ଼ ଭାଗୀଦାରି ଆଡକୁ ଅଗ୍ରସର ହେଉଥିବାବେଳେ ବିପ୍ଳବ ସାମନ୍ତରାୟ ଏହି ଯୋଡ଼ିକୁ ଭାଙ୍ଗିଥିଲେ। ଶତକ ଅର୍ଜନ କରିବାର ଦୁଇଟି ବଲ୍‌ ପରେ ବିଜୟ ଶଙ୍କର (୧୦୦) ବିପ୍ଲବଙ୍କ ଦ୍ୱାରା ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ। ଅନ୍ୟପଟରେ ଅପରାଜିତ ଦିନର ଦ୍ୱିତୀୟ ଶତକଠୁ ଆଉ ୧୭ରନ୍‌ ଦୂରରେ ଥିଲେ ବି ତାଙ୍କୁ ଉଚିତ୍‌ ଭାଗୀଦାରି ମିଳିପାରିନଥିଲା। ଓ୍ଵାସିଙ୍ଗଟନ୍‌ ସୁନ୍ଦର ମାତ୍ର ୧୪ ରନ୍‌ କରି ଗୋବିନ୍ଦଙ୍କ ଦ୍ୱିତୀୟ ଶିକାର ହୋଇଥିଲାବେଳେ ୟୋ ମହେଶଙ୍କୁ ଖାତା ଖୋଲିବା ପୂର୍ବରୁ ବିପ୍ଳବ ତାଙ୍କୁ ପାଭିଲିଅନ୍‌ ଫେରାଇଥିଲେ। ୧୫୮ ଓଭରରେ ତାମିଲନାଡ଼ୁ ୫୦୦ ଅତିକ୍ରମ କରିଥିଲାବେଳେ ଅପରାଜିତ ମଧ୍ୟ ଶତକ ପୂରଣ କରିଥିଲେ। ପାଳିର ଶେଷ ଓ୍ଵିକେଟ ଭାବେ କେ. ବିଘ୍ନେଶ (୧୦)ଙ୍କୁ ସୂର୍ଯ୍ୟକାନ୍ତ ବୋଲ୍ଡ କରିଥିଲେ। ୧୬୫ ଓଭର ପରେ ଅଧିନାୟକ ଅଭିନବ ମୁକୁନ୍ଦ ପାଳି ଘୋଷଣା କରିଥିଲେ। ସେତେବେଳକୁ ଅପରାଜିତ ୨୩୦ ବଲ୍‌ର ସମ୍ମୁଖୀନ ହୋଇ ୯ ଚୌକା ଓ ୧ ଛକା ସହାୟତାରେ ୧୦୯ ରନ୍‌ରେ ଅପରାଜିତ ଥିଲେ। ନିଜ ପାଳିକୁ ନେଇ ଅପରାଜିତ ମଧ୍ୟ ସନ୍ତୋଷବ୍ୟକ୍ତ କରିଥିଲାବେଳେ ବଲ୍‌ ଖୁବ୍‌ ସହଜରେ ବ୍ୟାଟକୁ ଆସୁଥିବାରୁ ରନ୍‌ କରିବାରେ କୌଣସି ସମସ୍ୟା ହେଉନଥିବା କହିଥିଲେ। ଯୋଜନା ଅନୁସାରେ ସ୍କୋର ହୋଇସାରିଥିବାରୁ ତୃତୀୟ ଦିନରେ ଯେତେଶୀଘ୍ର ଓ୍ଵିକେଟ ବାହାର କରିବା ଆଉ ଏକ ଲକ୍ଷ୍ୟ ବୋଲି ଅପରାଜିତ କହିଛନ୍ତି।

ସମ୍ବନ୍ଧିତ ଖବର