ସିଲି ପଏଣ୍ଟ୍‌ : କପିଳଙ୍କ ‘୮୩’ ପାଇଁ ରଣବୀରଙ୍କ କଡ଼ା ପ୍ରସ୍ତୁତି

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳର ବିଶ୍ବବିଜୟୀ ଅଧିନାୟକ କପିଳ ଦେବଙ୍କ ଆତ୍ମଜୀବନୀକୁ ନେଇ ‘୮୩’ ନାମରେ ଏକ ଚଳଚ୍ଚିତ୍ର ନିର୍ମାଣ ହେଉଛି। ଏଥିରେ କପିଳଙ୍କ ଚରିତ୍ରରେ ବଲିଉଡ୍ ଅଭିନେତା ରଣବୀର ସିଂହଙ୍କୁ ଦେଖିବାକୁ ମିଳିବ। ଏହି ପ୍ରତୀକ୍ଷିତ କ୍ରୀଡ଼ା ଚଳଚ୍ଚିତ୍ରର ସୁଟିଂ ଜୋର୍ ସୋରରେ ଚାଲିଥିଲା ବେଳେ ରଣବୀରଙ୍କ ଲୁକ୍‌କୁ ମଧ୍ୟ ସିନେ ପ୍ରେମୀ ବେଶ୍ ପସନ୍ଦ କରୁଛନ୍ତି। ସେ ଅବିକଳ କପିଳଙ୍କ ଭଳି ‌ଦେଖା ଯାଉଛନ୍ତି।

ତେବେ ନିଜ ପୂର୍ବ ଚଳଚ୍ଚିତ୍ର ‘ସିମ୍ବା’ରେ ଜଣେ ପୁଲିସ ଅଧିକାରୀ ଭୂମିକା ତୁଲାଇଥିବା ରଣବୀରଙ୍କ ପାଇଁ ଏହା ଆଦୌ ସହଜ ନଥିଲା। ଏଥିଲାଗି ତାଙ୍କୁ ସୁଷମ ଖାଦ୍ୟ ଖାଇବା ସହ ନିୟମିତ ବ୍ୟାୟାମ କରିବାକୁ ପଡ଼ିଛି। ଖୋଦ୍ କପିଳ ତାଙ୍କୁ ନିଜ ବୋଲିଂ ଶୈଳୀ ଶିଖାଇଛନ୍ତି। କପିଳଙ୍କ ସହ ଦୀର୍ଘ ସମୟ କଟାଇ ରଣବୀର ତାଙ୍କ କଥାବାର୍ତା ଏବଂ ଚାଲି ଚଳନ ଶୈଳୀକୁ ମଧ୍ୟ ଶିଖିଛନ୍ତି। ‘ ସିମ୍ବା’ ଚଳଚ୍ଚିତ୍ରରେ ଏହି ୩୪ ବର୍ଷୀୟ ଲୋକପ୍ରିୟ ଅଭିନେତାଙ୍କ ଓଜନ ୮୬ କିଲୋଗ୍ରାମ ଥିଲା ବେଳେ ଏବେ ଏହା ପାଖାପାଖି ୬୫ରୁ ୭୦ କିଲୋଗ୍ରାମ ରହିଛି। ଲଣ୍ଡନରେ ରହି ଦୀର୍ଘ ୩ ମାସ ଧରି ସେ କ୍ରିକେଟ୍ ଅଭ୍ୟାସ କରିଛନ୍ତି। ‘୮୩’ରେ ରଣବୀରଙ୍କ ପତ୍ନୀ ଦୀପିକା ପାଦୁକୋନ ମଧ୍ୟ ଅଭିନୟ କରୁଛନ୍ତି। କବିର ଖାନ୍ ଏହାର ନିର୍ଦେଶନା ଦାୟିତ୍ବ ତୁଲାଉଛନ୍ତି।

ସମ୍ବନ୍ଧିତ ଖବର