‘ପଦ୍ମାବତ୍‌’ ପରେ ରଣବୀରଙ୍କ ଦାବି ଆକାଶଛୁଆଁ, ଆଇପିଏଲ୍‌ରେ ୧୫ ସେକେଣ୍ଡ୍‌ର ପର୍‌ଫର୍ମାନ୍ସ ପାଇଁ ୫ କୋଟି

ନୂଆଦିଲ୍ଲୀ: ‘ପଦ୍ମାବତ୍‌’ ଚଳଚ୍ଚିତ୍ର ଦେଶରେ ରେକର୍ଡ ସୃଷ୍ଟି କରିବା ପରେ ଚଳଚ୍ଚିତ୍ରର କଳାକାରମାନଙ୍କର ବି ଦର ଆକାଶ ଛୁଆଁ ପାଲଟିଛି। ଆଲ୍ଲାଉଦ୍ଦିନ ଖିଲିଜୀଙ୍କ ଭୂମିକାରେ ଦର୍ଶକଙ୍କ ମନୋରଞ୍ଜନ କରାଇଥିବା ରଣବୀର ତାଙ୍କର ୧୫ ମିନିଟ୍‌ ପର୍‌ଫର୍ମାନ୍ସ ପାଇଁ ୫ କୋଟି ଦାବି କରି ଚର୍ଚ୍ଚା ପାଲଟିଛନ୍ତି। ଇଣ୍ଡିୟାନ୍‌ ପ୍ରିମିୟର୍‌ ଲିଗ୍‌(ଆଇପିଏଲ୍‌)ର ଏକାଦଶ ସଂସ୍କରଣର ଉଦଘାଟନୀ ଉତ୍ସବରେ ଚଳିତବର୍ଷ ନଜର ଆସିବେ ଅଭିନେତା ରଣବୀର ସିଂହ। ଏହି ଉତ୍ସବରେ ଯୋଗ ଦେଇ ରଣବୀର ୧୫ ମିନିଟ୍‌ର ପ୍ରଦର୍ଶନ କରିବେ। ଏଥିପାଇଁ ତାଙ୍କୁ ମିଳୁଛି ୫ କୋଟି ଟଙ୍କା। ଉଲ୍ଳେଖଯୋଗ୍ୟ, ଗତ ବର୍ଷ ଆଇପିଏଲ୍‌ର ଉଦ୍‌ଘାଟନୀ ଉତ୍ସବରେ ନଜର ଆସିଥିଲେ ଅଭିନେତା ଟାଇଗର୍‌ ଶ୍ରଫ ଏବଂ ଅଭିନେତ୍ରୀ ତଥା ଟାଇଗର୍‌ଙ୍କ ପ୍ରେମିକା ଦୀଶା ପଟାନୀ।

ଜାଣିରଖନ୍ତୁ ଯେ ‘ପଦ୍ମାବତ୍‌’ ସଫଳତା ସାଉଁଟି ସାରିବା ପରେ ରଣବୀର ଏବେ ତାଙ୍କର ଅପ୍‌କମିଂ ଚଳଚ୍ଚିତ୍ର ‘ଗଲି ବୟ’ରେ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ସହ ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହାସହିତ ସେ ରୋହିତ୍‌ ସେଟ୍ଟୀଙ୍କ ‘ସିମ୍ବା’ ଚଳଚ୍ଚିତ୍ର ପାଇଁ ମଧ୍ୟ ପ୍ରସ୍ତୁତ ହେଉଛନ୍ତି। ଚଳଚ୍ଚିତ୍ରଟି ଚଳିତବର୍ଷ ଡିସେମ୍ବର ୨୮ ତାରିଖରେ ପରଦାକୁ ଆସିବ।

ସମ୍ବନ୍ଧିତ ଖବର