ନୂଆଦିଲ୍ଲୀ: କ୍ରିକେଟ୍‌ରେ ନିୟମିତ ‌ନ‌ହେଲେ ବି ଡବଲ୍ ହ୍ୟାଟ୍ରିକ ଖୁବ୍ ବିରଳ। ଆଇସିସିର ପୂର୍ଣ୍ଣ ସଦସ୍ୟ ହୋଇ ନଥିବା ଆର୍ଜେଣ୍ଟିନାର ଜଣେ ବୋଲର ଏବେ ଏହି କ୍ଲବ୍‌ରେ ସାମିଲ‌ ହୋଇଯାଇଛନ୍ତି। ୩୬ ବର୍ଷୀୟ ଦ୍ରୁତ ବୋଲର୍‌ ହର୍ମାନ୍ ଫେନେଲ୍‌ ଆଇସିସି ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ସବ୍ ରିଜିଅନ୍‌ କ୍ବାଲିଫାୟାର୍‌ ପ୍ରତିଯୋଗିତାରେ ଏହି ସଫଳତା ପାଇଛନ୍ତି। କେମ୍ୟାନ୍‌ ଆଇଲାଣ୍ଡ୍‌ସ ବିପକ୍ଷରେ ଲଗାତାର ୪ ବଲ୍‌ରେ ସେ ଟ୍ରୟ ଟେଲର୍‌, ଆଲିଷ୍ଟର୍‌ ଇଫିଲ୍‌, ରୋନାଲ୍ଡ ଇବ୍ୟାଙ୍କ୍‌ସ ଓ ଆଲେକଜାଣ୍ଡ୍ରୋ ମୋରିସ୍‌ଙ୍କୁ ଆଉଟ୍ କରି ୫/୧୪ ବୋଲିଂ ଚିତ୍ର ପାଇଛନ୍ତି। ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ କ୍ରିକେଟ୍‌ରେ ଫେନେଲ୍ ଷଷ୍ଠ ବୋଲର ଭାବେ ଏହି ବିରଳ କ୍ଲବ୍‌ରେ ସାମିଲ ହୋଇଛନ୍ତି। ପୂର୍ବରୁ ଶ୍ରୀଲଙ୍କାର ଲସିଥ୍ ମାଲିଙ୍ଗା, ଆଫଗାନିସ୍ତାନର ରସିଦ୍ ଖାନ୍‌, ଆୟର୍ଲାଣ୍ଡ୍‌ର କର୍ଟିସ କ୍ୟାମ୍ପର୍‌, ୱେଷ୍ଟଇଣ୍ଡିଜ୍‌ର ଜାସନ୍ ହୋଲ୍ଡର୍‌, ଲିସୋଥୋର ୱାସିମ୍‌ ୟାକୁବ୍‌ ଏଭଳି ସଫଳତା ପାଇଥିଲେ। ଏକାଧିକ ଥର ହ୍ୟାଟ୍ରିକ୍ ଅର୍ଜନ କରିବାରେ ଫେନେଲ୍ ମଧ୍ୟ ଷଷ୍ଠ ବୋଲର ହୋଇଛନ୍ତି। ୱାସିମ୍ ଆବାସ (ମାଲଟା), ପ୍ୟାଟ୍ କମିନ୍ସ (ଅଷ୍ଟ୍ରେଲିଆ), ମାର୍କ ପାଭଲୋଭିକ୍ (ସର୍ବିୟା), ଟିମ୍ ସାଉଦି (ନ୍ୟୁଜିଲାଣ୍ଡ୍‌), ଲସିଥ୍‌ ମାଲିଙ୍ଗା (ଶ୍ରୀଲଙ୍କା) ଏହି କ୍ଲବ୍‌ରେ ଥିଲେ। ସୋମବାର କିନ୍ତୁ ଫେନେଲ୍‌ଙ୍କ ଡବଲ୍ ହ୍ୟାଟ୍ରିକ୍ ସତ୍ତ୍ବେ ଆର୍ଜେଣ୍ଟିନା ହାରିଯାଇଛି।