ଦୁବାଇ: ବୁଧବାର ପ୍ରକାଶିତ ଆଇସିସି ଟେଷ୍ଟ୍ ମାନ୍ୟତାରେ ଏକ ବିରଳ ସ୍ଥିତି ଦେଖିବାକୁ ମିଳିଛି। ୩ ଅଷ୍ଟ୍ରେଲୀୟ ବ୍ୟାଟର୍‌ ଶୀର୍ଷ ସ୍ଥାନ ଦଖଲ କରିବା ସହ ୩୯ ବ‌ର୍ଷ ତଳର କୀର୍ତ୍ତିମାନକୁ ମନେ ପକାଇ ଦେଇଛନ୍ତି। ଭାରତ ବିପକ୍ଷ ଡବ୍‌ଲ୍ୟୁଟିସି ଫାଇନାଲ୍‌ରେ ୧୬୩ ରନ୍ ସଂଗ୍ରହ କରି ପ୍ଲେୟାର୍ ଅଫ୍ ଦି ମ୍ୟାଚ୍‌ ବିବେଚିତ ହୋଇଥିବା ଟ୍ରାଭିସ୍ ହେଡ୍‌ ତୃତୀୟ ସ୍ଥାନକୁ ଉଠିଛନ୍ତି। ପୂର୍ବରୁ ମାର୍ନସ ଲବୁସାନ୍ ଏବଂ ଷ୍ଟିଭେନ୍ ସ୍ମିଥ୍ ପ୍ରଥମ ଦୁଇ ସ୍ଥାନରେ ଥିଲେ। ଶେଷ ଥର ପାଇଁ ୧୯୮୪ରେ ୱେଷ୍ଟଇଣ୍ଡିଜ୍‌ର ଗର୍ଡନ ଗ୍ରିନିଜ, କ୍ଲାଇବ ଲୟଡ଼, ଲରି ଗୋମ୍ସ ଶୀର୍ଷ ୩ ସ୍ଥାନରେ ରହିଥିଲେ। ସେହିଭଳି ଉସ୍ମାନ ଖୱାଜା ନବମ ସ୍ଥାନରେ ଥିବାରୁ ଶୀର୍ଷ ୧୦ ଭିତରେ ୪ ଅଷ୍ଟ୍ରେଲୀୟ ରହିଛନ୍ତି। ଫାଇନାଲ୍‌ରେ ୮୯ ଓ ୪୬ ରନ୍‌ ସଂଗ୍ରହ କରିଥିବା ଅଜିଙ୍କ୍ୟ ରାହାଣେ ୩୭ତମ ସ୍ଥାନକୁ ଲମ୍ଫ ମାରିଛନ୍ତି। ଶାର୍ଦୁଳ ଠାକୁର ମଧ୍ୟ ପ୍ରଥମ ପାଳି ଅର୍ଦ୍ଧଶତକ ବଳରେ ୯୪ ସ୍ଥାନରେ ପହଞ୍ଚିଛନ୍ତି।

Advertisment

ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଶୀର୍ଷ ୧୦ ଭିତରେ ଏବେ‌‌‌ କୌଣସି ସକ୍ରିୟ ଭାରତୀୟ ବ୍ୟାଟର୍ ନାହାନ୍ତି। ଆହତ କାରଣରୁ ଦଳଠାରୁ ଦୂରେଇ ରହିଥିବା ଋଷଭ ପନ୍ତ ୧୦ ନମ୍ବର ସ୍ଥାନରେ ଅଛନ୍ତି। କେନ୍ ୱିଲିୟମସନ୍‌, ବାବର ଆଜମ, ‌ଜୋ ରୁଟ୍‌, ଡାରିଲ୍ ମିଚେଲ୍‌, ଦିମୁଥ କରୁଣାରତ୍ନେ, ଉସମାନ ଖୱାଜା ଚତୁର୍ଥରୁ ନବମ ସ୍ଥାନରେ ଅଛନ୍ତି। ବୋଲିଂରେ ଆର୍‌ ଅଶ୍ବିନ୍ ଶୀର୍ଷ ସ୍ଥାନ ବଜାୟ ରଖିଥିବା ବେଳେ ଯଶପ୍ରୀତ ବୁମରା ଓ ରବୀନ୍ଦ୍ର ଜାଦେଜା ଯଥାକ୍ରମେ ଅଷ୍ଟମ ଓ ନବମ ସ୍ଥାନରେ ରହିଛନ୍ତି। ବିଶ୍ବ ଟେଷ୍ଟ୍ ଫାଇନାଲ ହାରିଥିଲେ ମଧ୍ୟ ଭାରତ ଏବେ ବି ଟେଷ୍ଟ୍ ମାନ୍ୟତାରେ ଶୀର୍ଷ ସ୍ଥାନ ବଜାୟ ରଖିଛି। ଅଷ୍ଟ୍ରେଲିଆ, ଇଂଲଣ୍ଡ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି।