ଡବଲ୍‌ ଥ୍ରୋ’ରେ ବିରଳ ‘ଓମ୍‌କାର’: ହାମର୍ ଓ ସଟ୍‌ପୁଟ୍‌ରେ ରାଜ୍ୟ ମିଟ୍‌ ରେକର୍ଡଧାରୀ

ଏସୀୟ ଦୌଡ଼କୁଦ ଦେଖି ଆସିଥିଲେ ‌ଖେଳକୁ

ଭୁବନେଶ୍ବର: କଳିଙ୍ଗ ଷ୍ଟାଡ଼ିୟମ୍‌ରେ ୨୦୧୭ରେ ଆୟୋଜିତ ଏସୀୟ ଦୌଡ଼କୁଦ ପ୍ରତିଯୋଗିତା ରାଜ୍ୟ ଖେଳ ଦୁନିଆରେ ନୂଆ ଧାରା ଆରମ୍ଭ କରିଥିଲା। ଅନେକ ଯୁବ ଖେଳାଳିଙ୍କୁ ପ୍ରେରିତ କରିଥିଲା ଏହି ମହାଦେଶୀୟ ପ୍ରତିଯୋଗିତା। ନୂଆ ପ୍ରତିଭାଙ୍କୁ ବି ଆକର୍ଷିତ କରିଥିଲା ଅନେକମାତ୍ରାରେ। ବଡ଼ ପ୍ରତିଯୋଗିତା ଦେଖି ବଡ଼ ଖେଳାଳି ହେବାର ସ୍ବପ୍ନ କିଭଳି ଜାଗ୍ରତ ହୁଏ ଏହାର ଉଦାହରଣ ଏବେ ନଜରକୁ ଆସିଛି। ଜଣେ ସାଧାରଣ ପ୍ରଶଂସକରୁ ଏବେ ଦୁଇ ଦୁଇଟି ରାଜ୍ୟ ଦୌଡ଼କୁଦ ମିଟ୍‌ ରେକର୍ଡର ଅଧିକାରୀ ହୋଇପାରିଛନ୍ତି ଓମ୍‌କାର ପ୍ରସାଦ ନନ୍ଦ। ବୟସ ମାତ୍ର ୧୭ ବର୍ଷ।

ଭୁବନେଶ୍ବର ୟୁନିଟ୍‌-୯ରେ ରହୁଥିବା ପୁଲିସ ଅଧିକାରୀ ଗୋପୀନାଥ ନନ୍ଦ ଓ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାରାଣୀଙ୍କ ଏକ ମାତ୍ର ପୁଅ ଓମ୍‌କାର ଏସୀୟ ଦୌଡ଼କୁଦ ପ୍ରତିଯୋଗିତା ଦେଖି ଖେଳ ପ୍ରତି ଆକର୍ଷିତ ହୋଇଥିଲେ। ବାପାଙ୍କ ସାଙ୍ଗରେ ଖେଳ ଦେଖିବାକୁ ଆସି ଥ୍ରୋ ଇଭେଣ୍ଟ୍‌ରେ ଖେଳିବାକୁ ଜିଦ୍‌ ଧରିଥିଲେ। ଏହି ଜିଦ୍‌ ଏବେ ଓଡ଼ିଶାକୁ ଜାତୀୟସ୍ତରରେ ପଦକ ଅମଳ ଦେଉଛି। ଖାଲି ‌ଏତିକି ନୁହେଁ ଦୁଇ ଦୁଇଟି ଥ୍ରୋ ଇଭେଣ୍ଟ୍‌ରେ ଖେଳୁଥିବା ହାତଗଣତି ଖେଳାଳି ବିରଳ କ୍ଲବ୍‌ରେ ସାମିଲ ହୋଇଛନ୍ତି। ଟିଭିରେ ପ୍ରସାରିତ ମହାଭାରତରେ ଭୀମ ଭୂମିକାରେ ଅଭିନୟ କରିଥିବା ପ୍ରବୀଣ କୁମାର ସୋବ୍‌ତି ଦୁଇଟି ଇଭେଣ୍ଟ୍‌ ଡିସ୍‌କସ୍‌ ଓ ହାମର୍‌ରେ ନାମ କମାଇଥିଲେ। ତାଙ୍କୁ ଅନୁସରଣ କରି ଓମ୍‌କାର ଦୁଇଟିଯାକ ଇଭେଣ୍ଟ୍‌ରେ ନିଜ କ୍ୟାରିୟର କରିଛନ୍ତି। ଏହା ପଛରେ ବାପାଙ୍କ ଅଧିକ ହାତ ରହିଛି ବୋଲି ଓମ୍‌କାର କହିଛନ୍ତି।

ପୁରୀ ବ୍ରହ୍ମଗିରି କପିଳେଶ୍ବର ଗାଁର ମୂଳ ବାସିନ୍ଦା ଓମ୍‌କାର କହିଛନ୍ତି ‘‘ଏସୀୟ ଦୌଡ଼କୁଦ ଦେଖିବାକୁ ଆସିବା ବେଳେ ‌ସଟ୍‌ପୁଟ୍‌ ଇଭେଣ୍ଟ୍‌ ଚାଲିଥିଲା। ତାହା ମୋତେ ବହୁତ ଭଲ ଲାଗିବାରୁ ଘରକୁ ଫେରି ଜିଦ୍‌ କରିଥିଲି ଏହି ଖେଳ ଖେଳିବାକୁ। ଦୁଇମାସ ପରେ କଳିଙ୍ଗ ଷ୍ଟାଡିୟମ୍‌ରେ ରାଜ୍ୟ ସ୍କୁଲ୍‌ କ୍ରୀଡ଼ାରେ ଭାଗ ନେଲି। ଦୌଡ଼କୁଦ ପ୍ରଶିକ୍ଷକ ଆଲୋକ ପ୍ରଧାନ ମୋତେ ଦେଖି ବାପାଙ୍କୁ କହିଲେ ପୁଅକୁ ଖେଳକୁ ଛାଡ଼ନ୍ତୁ। ଆଲୋକ ସାର୍‌ ଥ୍ରୋ ଇଭେଣ୍ଟ୍‌ର ପ୍ରଶିକ୍ଷକ ମଳୟ ରଞ୍ଜନ ପତିଙ୍କ ପାଖରେ ମୋତେ ପହଞ୍ଚାଇଲେ। ଏହାପରଠୁ ମୁଁ ମଳୟ ସ‌ାର୍‌ଙ୍କଠୁ ପ୍ରଶିକ୍ଷଣ ନେଇ ଆଗକୁ ବଢ଼ିଛି’। ୨୦୧୮ ରାଜ୍ୟ କ୍ରୀଡ଼ାରେ ୧୪ ବର୍ଷରୁ କମ୍‌ ବର୍ଗ ସଟ୍‌ପୁଟ୍‌ରେ କାଂସ୍ୟ ଥିଲା ଓମ୍‌କାରଙ୍କ ଜୀବନର ପ୍ରଥମ ପଦକ। ଏହା ପର ବର୍ଷ ସ୍ବର୍ଣ୍ଣ ଜିତିଥିଲେ। କରୋନା କଟକଣା ଯୋଗୁଁ ପ୍ରାୟ ବ‌ର୍ଷେ ଖେଳରେ ବାଧା ଆସିଥିଲା। ତଥାପି ମଳୟ ସାର୍‌ଙ୍କ ତତ୍ତ୍ବାବଧାନରେ ଲୁଚି ଛପି ଅଭ୍ୟାସ ଚଳାଇଥିଲେ। ୨୦୨୧ ରାଜ୍ୟ ଦୌଡ଼କୁଦରେ ସ୍ବର୍ଣ୍ଣ ଜିତିବା ସହ ପ୍ରଥମ ଥର ଜାତୀୟ ସୁଯୋଗ ପାଇଥିଲେ। ଇଭେଣ୍ଟ୍‌ ପୂର୍ବ ଦିନ ହାଡ଼ଫୁଟି ହେବା ସତ୍ତ୍ବେ ରୌପ୍ୟ ଜିତିଥିଲେ। ୨୦୨୨ରେ ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଦୌଡ଼କୁଦ ଏଚ୍‌ପିସି ତତ୍‌କାଳୀନ ପ୍ରଶିକ୍ଷକ ଜେମ୍ସ ହିଲର ତାଙ୍କୁ ଚିହ୍ନଟ କଲେ। ଏଚ୍‌ପିସିରେ ସାମିଲ ହୋଇ ସଟ୍‌ପୁଟ୍‌ ଓ ହାମର୍‌ ଥ୍ରୋ ଅଭ୍ୟାସ କଲେ। ଏହି ବର୍ଷ ରାଜ୍ୟ ଦୌଡ଼କୁଦ (୧୬ ବର୍ଷରୁ କମ୍‌)ରେ ଉଭୟ ଇଭେଣ୍ଟ୍‌ରେ ମିଟ୍‌ ରେକର୍ଡ ସହ ସ୍ବର୍ଣ୍ଣ କରାୟତ୍ତ କରିଥିଲେ। ଉଭୟ କୀର୍ତ୍ତିମାନ (ସଟ୍‌ପୁଟ୍‌-୧୬.୯୪ ମିଟର ଓ ହାମର-୫୫.୪୫ ମିଟର) ଏବେ ବି ଓମ୍‌କାରଙ୍କ ନାମରେ ରହିଛି। ପୂର୍ବାଞ୍ଚଳ ଦୌଡ଼କୁଦ‌ର ସଟ୍‌ପୁଟ୍‌ରେ ସ୍ବର୍ଣ୍ଣ ଓ ହାମରେ ଭଲ କରି ଜାତୀୟ ପ୍ରତିଯୋଗିତାରେ ସଟ୍‌ପୁଟ୍‌ରେ ସ୍ବର୍ଣ୍ଣ ଓ ହାମରରେ ରୌପ୍ୟ ପାଇବା ସହ ଶ୍ରେଷ୍ଠ ଆଥ୍‌ଲେଟ୍‌ ଭାବେ ପୁରସ୍କୃତ ହୋଇଥିଲେ। ୨୦୨୩ରେ ରାଜ୍ୟ ଦୌଡ଼କୁଦ (୧୮ ବର୍ଷରୁ କମ୍‌)ରେ ଉଭୟ ଇଭେଣ୍ଟ୍‌ ସଟ୍‌ପୁଟ୍‌ (୧୭.୫୨) ଓ ହାମର (୫୬.୭୫)ରେ ମିଟ୍‌ ରେକର୍ଡ ସହ ସ୍ବର୍ଣ୍ଣ ପାଇଥିଲେ। ଏହି ରେକର୍ଡ ଏବେ ମଧ୍ୟ ଅତୁଟ ରହିଛି। ଯୁବ ଜାତୀୟ ଦୌଡ଼କୁଦ ବେଳେ ମାଟ୍ରିକ୍‌ ପରୀକ୍ଷା ଥିବାରୁ ଭାଗ ନେଇ ପାରି ନଥିଲେ। ତେଣୁ ଯୁବ ଏସୀୟ ଓ ରାଜ୍ୟଗୋଷ୍ଠୀ ଲାଗି ଯୋଗ୍ୟତା ଅର୍ଜନ ପାରିପାରି ନଥିଲେ। ଏହି ଦୁଃଖ ଭୁଲି ପୂର୍ବାଞ୍ଚଳରେ ସଟ୍‌ପୁଟ୍‌ ଓ ହାମରରେ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ସହ ସ୍ବର୍ଣ୍ଣ ଜିତିଛନ୍ତି। ଜାତୀୟ ପ୍ରତିଯୋଗିତାରେ ଶୀର୍ଷ ୮ରେ ରହି ‘ଖେଲୋ ଇଣ୍ଡିଆ’ ଯୁବ କ୍ରୀଡ଼ା ଲାଗି ଯୋଗ୍ୟତା ଅର୍ଜନ କରିଥିଲେ। ଆହତ ସମସ୍ୟାରୁ ବାହାରି ‘ଇଣ୍ଡିଆରେ ଉଭୟ ଇଭେଣ୍ଟ୍‌’ରେ ସ୍ବର୍ଣ୍ଣ ଜିତି ପାରିଥିଲେ। ‘‘ଏବେ ମୁଁ ବରିଷ୍ଠ ସ୍ତରରେ ଖେଳିବା ସହ ଅଲିମ୍ପିକ୍ସ ଅଂଶଗ୍ରହଣ ଲକ୍ଷ୍ୟ ରଖିଛି। ମାର୍ଚ୍ଚରେ ହେବାକୁ ଥିବା କନିଷ୍ଠ ଫେଡେରେସନ୍‌ କପ୍‌ ଏବଂ ଅଗଷ୍ଟ ମାସର ଦକ୍ଷିଣ ଏସୀୟ (୨୦ ବର୍ଷରୁ କମ୍‌) ପ୍ରତିଯୋଗିତା ଲାଗି ପ୍ରସ୍ତୁତି ଚଳ‌‌ାଇଛି। ବହୁତ କମ୍‌ ଖେଳାଳି ଦୁଇଟି ଥ୍ରୋ ଇଭେଣ୍ଟ୍‌ରେ ଭାଗ ନିଅନ୍ତି। ସଂପ୍ରତି ଭାରତରେ ମୁଁ ବୋଧେ ଏକା ହାମର ସହ ସଟ୍‌ପୁଟ୍‌ କରୁଛି’ ବୋଲି ଦାବି କରିଛନ୍ତି ଓମ୍‌କାର।

ସମ୍ବନ୍ଧିତ ଖବର