ଭୁବନେଶ୍ବର : ଓଡ଼ିଶା ଚେସ୍ର ସଂଘର୍ଷମୟ ସମୟର ସଫଳ ବ୍ୟକ୍ତିତ୍ବଙ୍କ ମଧ୍ୟରେ ନିଶ୍ଚିତ ଭାବେ ସୌମ୍ୟରଂଜନ ମିଶ୍ରଙ୍କ ନାମ ଆସିବ। ରାଜ୍ୟର ପ୍ରଥମ ଫିଡେ ମାଷ୍ଟର୍, ଲମ୍ବା ସମୟ ପାଇଁ ରାଜ୍ୟର ୨ ନମ୍ବର ମାନ୍ୟତାପ୍ରାପ୍ତ ରହିବା, ଦେଶର ଏକମାତ୍ର ଖେଳାଳିଭାବେ ସର୍ବଭାରତୀୟ ରେଳବାଇ, ଡାକ ଓ ସିଭିଲ୍ ସର୍ଭିସ୍ ମୁକୁଟ ଜିତିବାର ବିରଳ ଗୌରବ ଅର୍ଜନ କରିବାର ସଫଳତା ରହିଛି ସୌମ୍ୟରଂଜନ ମିଶ୍ରଙ୍କ ନାମରେ। ଚେସ୍ ବୋର୍ଡର ଚଉଷଠି ବର୍ଗକ୍ଷେତ୍ରରେ ଜଣେ ଅନନ୍ୟ ପ୍ରତିଭା ଭାବେ ନିରଂତର ପ୍ରୟାସ କରୁଥିବା ସୌମ୍ୟ ଆଇଏମ୍ କି ଜିଏମ୍ ହେବାର ସୌଭାଗ୍ୟ ପାଇନାହାନ୍ତି ସତ କିନ୍ତୁ ରାଜ୍ୟ ଭିତରେ ଜଣେ ଅପ୍ରତିଦ୍ବନ୍ଦ୍ବୀ ବାଦଶାହ ଭାବେ ଶତକୀୟ ମୁକୁଟ ଦିଗରେ ଅଗ୍ରସର ହେଉଛନ୍ତି। ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ନିଜ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ସୌମ୍ୟଙ୍କ ଚେସ୍ ଜୀବନ ଉପରେ ‘ସମ୍ବାଦ’ର ସ୍ବତନ୍ତ୍ର ପ୍ରତିବେଦନ।
ଦେଶର ବିରଳ ଖେଳାଳି
ଦେଶର ଏକମାତ୍ର ଖେଳାଳିଭାବେ ସର୍ବଭାରତୀୟ ରେଳବାଇ ଚେସ୍ ପ୍ରତିଯୋଗିତା (୨୦୦୯, ସିକନ୍ଦରାବାଦ), ସର୍ବଭାରତୀୟ ଡାକ ଚେସ୍ ପ୍ରତିଯୋଗିତା (୨୦୧୫, ଚେନ୍ନାଇ) ଏବଂ ସର୍ବଭାରତୀୟ ସିଭିଲ୍ ସର୍ଭିସ୍ ଚେସ୍ ପ୍ରତିଯୋଗିତା (୨୦୧୪, ଭୋପାଳ)ରେ ବିଜେତା ହେବାର ବିରଳ କୃତିତ୍ବ ରହିଛି ସୌମ୍ୟଙ୍କ ନାମରେ। ୨୦୦୯ରେ ରାଜ୍ୟର ପ୍ରଥମ ଫିଡେ ମାଷ୍ଟର ମୁକୁଟ ବିଜେତା ହୋଇଥିଲେ। ୨୦୦୪ରୁ ୨୦୦୮ ମସିହା ପର୍ଯ୍ୟନ୍ତ ପ୍ରାୟ ୫ ବର୍ଷ ଧରି ଆଇଏମ୍ ଏସ୍ ସତ୍ୟପ୍ରଜ୍ଞଙ୍କ ପରେ ରାଜ୍ୟର ଦୁଇ ନମ୍ବର ମାନ୍ୟତାରେ ରହିଥିଲେ। କେନ୍ଦ୍ରୀୟ ରେଳବାଇରେ ନିଯୁକ୍ତ ଥିବାବେଳେ ନିଜ ସଂସ୍ଥା ପାଇଁ ପ୍ରଥମ ଖେଳାଳି ଭାବେ ମଧ୍ୟ ସର୍ବଭାରତୀୟ ରେଳବାଇ ସ୍ବର୍ଣ୍ଣ ପଦକ ଜିତିବାର ଗୌରବ ଆଣି ଦେଇଥିଲେ। ଅନ୍ତର୍ଜାତୀୟସ୍ତରରେ ମଧ୍ୟ ଦେଶ ପାଇଁ ରାଜ୍ୟଗୋଷ୍ଠୀ ଚେସ୍ ପ୍ରତିଯୋଗିତା (୨୦୦୫-ମୁମ୍ବାଇ, ୨୦୦୯-ସିଙ୍ଗାପୁର), ଏସୀୟ ଜୁନିଅର୍ ଚେସ୍ ପ୍ରତିଯୋଗିତା (୨୦୦୧-ମୁମ୍ବାଇ), ବିଶ୍ବ ଜୁନିଅର୍ ଚେସ୍ ପ୍ରତିଯୋଗିତା (୨୦୦୨, ୨୦୦୪, ଗୋଆ)ରେ ଅଂଶଗ୍ରହଣ କରିଥିଲେ। ଏହା ବ୍ୟତୀତ ଦୁଇ ବର୍ଷ ବାଂଲାଦେଶ ପ୍ରଥମ ଡିଭିଜନ୍ ଚେସ୍ ଲିଗ୍ (୨୦୦୮ ଓ ୨୦୦୯)ରେ ଅଂଶଗ୍ରହଣ କରି ୨୦୦୯ରେ ଦଳଗତ କାଂସ୍ୟ ବିଜୟର ଅଂଶୀଦାର ଥିଲେ। ଶ୍ରୀଲଙ୍କାରେ ୨୦୧୨ରେ ଏଥୁଗଲାପୁରା ଅନ୍ତର୍ଜାତୀୟ ରେଟିଂରେ ମଧ୍ୟ ଅଂଶଗ୍ରହଣ କରିଥିଲେ।
/sambad/media/post_attachments/wp-content/uploads/2021/05/Soumya.jpg)
ପିତାଙ୍କଠୁ ପ୍ରେରଣା
ଚେସ୍ ଦୁନିଆରେ ସୌମ୍ୟ ନିଜ ପାଇଁ ସୃଷ୍ଟି କରିଥିବା ସବୁ ସଫଳତାର ଶ୍ରେୟ ପିତା ସୁକାନ୍ତ ମିଶ୍ରଙ୍କ ପାଖକୁ ଯିବ। ଡାକ ବିଭାଗରେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ କାମ କରିବା ବେଳେ ଅବସର ବିନୋଦନ ପାଇଁ ସେ ଚେସ୍ ଖେଳୁଥିଲେ। ସାନ ପୁଅ ସୌମ୍ୟରଂଜନ ମିଶ୍ର ତାଙ୍କୁ ଯେ ଅନୁସରଣ କରୁଛନ୍ତି ଏହା ଜଣାନଥିଲା। ପିତାଙ୍କ ଖେଳରେ ପ୍ରଭାବିତ ହୋଇ ସୌମ୍ୟ ଚେସ୍ ଦୁନିଆରେ ପାଦ ଥାପିଥିଲେ ଏବଂ ପଛକୁ ଫେରିନଥିଲେ। ଶେଷକୁ ଚେସ୍ ତାଙ୍କୁ ପାଗଳ କରି ଦେଇଥିଲା ଏବଂ ଏହି ପାଗଳାମି କ୍ରମେ ନିଶା ଓ ପେସା ପାଲଟିଯାଇଥିଲା। ଚେସ୍ ପାଇଁ ସୌମ୍ୟ ଏତେ ସମର୍ପିତ ହୋଇଯାଇଥିଲେ ଯେ ଦିନରାତି ଏକାଠି କରି ଦେଇଥିଲେ। ଶେଷରେ ଚେସ୍ ହିଁ ଜୀବନ ଓ ଜୀବିକାର ମାଧ୍ୟମ ହୋଇଯାଇଛି। ବୃତିଗତ ଜୀବନ ଭିନ୍ନ ମୋଡ଼ ନେଇଥିଲେ ବି ଚେସ୍ ଏବେ ତାଙ୍କ ପାଇଁ ପ୍ରଥମ ପ୍ରେମ ଓ ମୁଖ୍ୟ ଆକର୍ଷଣ ହୋଇ ରହିଛି। ‘‘ବଡ଼ ଭାଇ ସୌର୍ଯ୍ୟରଂଜନ ସହ ପ୍ରଗତି ସ୍ପୋର୍ଟିଂରେ କ୍ରିକେଟ୍ ଖେଳିବାକୁ ଯାଉଥିଲି, ଲେଗ୍ ସ୍ପିନ୍ ପକାଉଥିଲି। ଭାଇ କିନ୍ତୁ କ୍ରିକେଟ୍ରେ ଅଟକିଗଲା ମୁଁ ଖସି ଆସି ଚେସ୍ ବୋର୍ଡରେ ନିବଦ୍ଧ ହୋଇଗଲି’’ ବୋଲି ‘ସମ୍ବାଦ’ ସହ କଥା ହେବା ବେଳେ ପ୍ରକାଶ କରିଥିଲେ ସୌମ୍ୟ। ୟୁନିଟ୍-୧ ସ୍କୁଲ୍ରେ ପଞ୍ଚମରେ ପଢ଼ୁଥିବା ବେଳେ ମୁଁ ଚେସ୍ ପ୍ରତି ଆକର୍ଷିତ ହୋଇଥିଲି। ଭୁବନେଶ୍ବର ଚେସ୍ ସଂଘ ପକ୍ଷରୁ ଆୟୋଜିତ ଓପନ୍ ଓ ସ୍କୁଲ୍ ଚେସ୍ରେ ନିୟମିତ ଖେଳି ଆଗକୁ ବଢ଼ିଥିଲି। ପିତାଙ୍କ ପରେ ଅରାତି ବିଜୟ ମହାନ୍ତି ମୋ ପ୍ରଥମ ଗୁରୁ ଥିଲେ ବୋଲି ସୌମ୍ୟ ମନେ ପକାଇଥିଲେ।
ଏତେ ବାଟ ଆସିବି ଭାବିନଥିଲି
ପିଲାଦିନରୁ ଚେସ୍ ପାଗଳାମି ମୋତେ ବାନ୍ଧି ରଖିଥିଲା। କିନ୍ତୁ ଏତେ ବାଟ ଆସିବି ଓ ଏତେ ସଫଳତା ପାଇବି ବୋଲି ଭାବିନଥିଲି। ଜାତୀୟସ୍ତରରେ ବୟସ ବର୍ଗର ପ୍ରତିଯୋଗିତାରେ (ଜାତୀୟ ୧୪ ବର୍ଷରୁ କମ୍ କାଂସ୍ୟ) ପ୍ରଥମ ସଫଳତା ପାଇବା ପରେ ମୁଁ ଗମ୍ଭୀରତାର ସହ ଚେସ୍ ଖେଳିବାକୁ ମନସ୍ଥ କରିଥିଲି। କ୍ରମେ ବୟସ ବଢ଼ିବା ସହ ପରିପକ୍ବ ହେବାରୁ ରାଜ୍ୟର ପ୍ରଥମ ଫିଡେ ମାଷ୍ଟର ମୁକୁଟ ବିଜେତା ହେବାର ଗୌରବ ପାଇଥିଲି। ଆମ ସମୟରେ ରାଜ୍ୟରେ ଏତେ ଜାତୀୟସ୍ତରର ପ୍ରତିଯୋଗିତା ହେଉନଥିଲା। ରାଜ୍ୟ ବାହାରେ ଜାତୀୟସ୍ତରର ପ୍ରତିଯୋଗତା ବି ବହୁ ଲମ୍ବା (ପ୍ରାୟ ୨ ସପ୍ତାହ) ଚାଲୁଥିବାରୁ ସବୁବେଳେ ଯିବା ସମ୍ଭବ ହେଉନଥିଲା। ତଥାପି ଖାସ୍ ଚେସ୍ ଉପରେ ଏକାଗ୍ର ରହିଥିଲେ ମୁଁ ନିଶ୍ଚିତ ଅଧିକ ଆଗକୁ ବଢ଼ିପାରିଥାନ୍ତି ବୋଲି ସମ୍ପ୍ରତି ଓଡ଼ିଶା ଡାକ ସର୍କଲରେ ନିଯୁକ୍ତ ସୌମ୍ୟ ପ୍ରକାଶ କରିଥିଲେ।
/sambad/media/post_attachments/wp-content/uploads/2021/05/Soumya-1.jpg)
ଶତକୀୟ ମୁକୁଟ ପଥରେ
ଜାତୀୟସ୍ତରରେ ୭ଟି ପ୍ରମୁଖ ପ୍ରତିଯୋଗିତା ଜିତିଥିବା ସୌମ୍ୟ ମଧ୍ୟ ୪ ଥର ଉପବିଜେତା ହୋଇଛନ୍ତି। କିନ୍ତୁ ରାଜ୍ୟ ଭିତରେ ଜଣେ ନଛୋଡ଼ବନ୍ଧା ଚେସ୍ ମାଷ୍ଟର ଭାବେ ନିଜକୁ ବାରମ୍ବାର ପ୍ରତିପାଦିତ କରିଛନ୍ତି। ୨୦୦୧ ମସିହାରେ ଅନ୍ତର୍ଜାତୀୟ ପଦାର୍ପଣ ଏବଂ ଜାତୀୟ ସଫଳତାର ଚଳିତ ବର୍ଷ ୨୦ ବର୍ଷ ପୂର୍ତ୍ତି ଥିଲେ ମଧ୍ୟ ଚେସ୍ ବୋର୍ଡଠାରୁ ଦିନଟିଏ ବି ଦୂରେଇ ନାହାନ୍ତି ସୌମ୍ୟ। ୨୦୦୧ ମସିହାରେ ମହାରାଷ୍ଟ୍ରର ସାଙ୍ଗଲୀରେ ୧୯ ବର୍ଷରୁ କମ୍ ବର୍ଗ ସର୍ବଭାରତୀୟ ପ୍ରତିଯୋଗିତାରେ ବିଜେତା ହେବା ସହ ସେହି ବର୍ଷ ମୁମ୍ବାଇରେ ଏସୀୟ ଜୁନିୟର୍ ଚେସ୍ ପ୍ରତିଯୋଗିତାରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ରାଜ୍ୟ ଭିତରେ କିନ୍ତୁ କୌଣସି ଓପନ୍, ରାଜ୍ୟ ଓ ରାଜ୍ୟସ୍ତରୀୟ ପ୍ରତିଯୋଗିତାକୁ ଛାଡ଼ିବାକୁ ଚାହାଁନ୍ତି ନାହିଁ। ଫଳରେ ସୌମ୍ୟଙ୍କ ରାଜ୍ୟ ଭିତର ମୁକୁଟ ସଂଖ୍ୟା ୬୩ରେ ପହଞ୍ଚି ସାରିଛି। ଜାତୀୟସ୍ତରର ୭ ଟ୍ରଫିକୁ ମିଶାଇଲେ ଏହା ୭୦ ଛୁଇଁଛି। ଏହା ମଧ୍ୟରେ ୧୪ ଥର ରାଜ୍ୟ ବିଜେତା, ୩ ଥର ରାଜ୍ୟ ବରିଷ୍ଠ ବର୍ଗ ବିଜେତା (୨୦୦୪, ୨୦୧୦, ୨୦୧୨) ଏବଂ ଲଗାତାର ୪ ଥର ଓଡ଼ିଶା ଡାକ (୨୦୧୫-୨୦୧୮) ହେବାର ସଫଳତା ରହିଛି। ଏଥି ସହିତ ୪୧ ଥର ଉପବିଜେତା (୧୩ ଥର ରାଜ୍ୟ) ଏବଂ ୧୮ ଥର ରାଜ୍ୟ ଓପନ୍ରେ କାଂସ୍ୟ ବିଜେତା ମଧ୍ୟ ହୋଇଛନ୍ତି ସୌମ୍ୟ। ନିଜର ମୋଟ ପ୍ରମୁଖ ଟ୍ରଫି ସଂଖ୍ୟାକୁ ୧୦୦ରେ ପହଞ୍ଚାଇବା ଲକ୍ଷ୍ୟରେ ବଦ୍ଧ ପରିକର ରହିଛନ୍ତି ଏହି ଆଗଧାଡ଼ିର ଚେସ୍ ତାରକା।
ଅବସୋସ ଓ ଅଭିଳାଷ
ଦୁଇ ଦଶନ୍ଧିର ଖେଳ ଜୀବନରେ ସୌମ୍ୟଙ୍କ ପାଇଁ କିଛି ବିଶେଷ ଅବସୋସ ନ ଥିବାର କହିଥିଲେ ମଧ୍ୟ ବଡ଼ ଉପଲବ୍ଧି ତଥା ଅଭିଳାଷକୁ କେବେ ଛାଡ଼ିନାହାନ୍ତି। ଯୁବାବସ୍ଥାରେ ଆର୍ଥିକ ସହାୟତା କିମ୍ବା ପ୍ରାୟୋଜକ ମିଳିଥିଲେ ନିଶ୍ଚିତ ମୁଁ ଅଧିକ ଆଗକୁ ବଢ଼ି ପାରିଥାନ୍ତି। ଏହାର ଅର୍ଥ ନୁହେଁ ମୁଁ ଆଇଏମ୍ କି ଜିଏମ୍ ହୋଇପାରିନାହିଁ ବୋଲି ଅନୁତାପ କରୁଛି। କିନ୍ତୁ ଅନ୍ତତଃ ପକ୍ଷେ ମୁଁ ଆଇଏମ୍ ହୋଇପାରିଥାନ୍ତି। ଚେସ୍ ଏଭଳି ଏକ ଖେଳ ମୁଁ ନିରଂତର ପ୍ରୟାସ କଲେ ଆଇଏମ୍ ବି ହୋଇପାରିବି। ନିଶ୍ଚିତ ଭାବେ ଏଥି ପାଇଁ ମୋ ପ୍ରୟାସ ଜାରି ରହିବ, କାରଣ ଚେସ୍ ଏକ ମନସ୍ତାତ୍ତ୍ବିକ ଓ ବୌଦ୍ଧିକ ଖେଳ। ଯେ କୌଣସି ବୟସରେ ବି ସଫଳତାର ଶିଖର ଛୁଇଁ ପାରିବି ବୋଲି ସମ୍ପ୍ରତି ୨୧୯୭ ରେଟିଂରେ ଥିବା ସୌମ୍ୟ ପ୍ରକାଶ କରିଥିଲେ। ନିଜ ଖେଳ ଜୀବନରେ ସୌମ୍ୟ ନିଜର ଶ୍ରେଷ୍ଠ ମାନ୍ୟତା ଭାବେ ଏକଦା ୨୩୨୩ରେ ପହଞ୍ଚିଥିଲେ। ଆଇଏମ୍ ହେବାର ଇଚ୍ଛାକୁ ପରିହାର କରିନାହିଁ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ ୩୭ ବର୍ଷୀୟ ସୌମ୍ୟ। ଖେଳ ଜାରି ରଖିବା ସହିତ ସୌମ୍ୟ ମଧ୍ୟ ଏବେ ଗ୍ରାଣ୍ଡମାଷ୍ଟର୍ ଅର୍ ବି ରମେଶଙ୍କ ଚେସ୍ ଗୁରୁକୁଳ ଅଧିନରେ ଅନ୍ ଲାଇନ୍ ପ୍ରଶିକ୍ଷଣ ଦେଉଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/soumya-aaa.jpg)