ଧୋନି ଓ ସିଏସ୍‌କେର ବିରଳ କୀର୍ତ୍ତିମାନ, ମୁମ୍ବାଇ ଇଣ୍ଡିଆନ୍ସର ନୂଆ ନିମ୍ନ

ମୁମ୍ବାଇ: ଗୁରୁବାର ରାତିରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଚେନ୍ନାଇ ସୁପର୍‌ କିଙ୍ଗ୍ସର ଶେଷ ବଲ୍‌ ବିଜୟ ଅବସରରେ ଏକାଧିକ କୀର୍ତ୍ତିମାନ ସୃଷ୍ଟି ହୋଇଛି। ଶେଷ ୪ ବଲ୍‌ରୁ ୧୬ ରନ୍‌ ଆବଶ୍ୟକ ପଡ଼ିଥିବା ବେଳେ ଜୟଦେବ ଉନାଦକଟଙ୍କଠାରୁ ମହେନ୍ଦ୍ର ସିଂହ ‌ଧୋନି (୬, ୪, ୨, ୪) ଏହା ଆଦାୟ କରି ନେଇଥିଲେ। ଧୋନି ୧୩ ବଲ୍‌ରୁ ୨୮* ରନ୍‌ କରିବା ଚଳିତ ଋତୁରେ ଦଳର ସବୁଠୁ ଅଧିକ ଷ୍ଟ୍ରାଇକ୍ ରେଟ୍‌ (୨୧୫.୩୮)। ପୂର୍ବରୁ ଆର୍‌ସିବି ବିପକ୍ଷରେ ଶିଭମ ଦୁବେ ଅପରାଜିତ ୯୫ ରନ୍‌ କରିବା ବେଳେ ୨୦୬.୫୨ ଷ୍ଟ୍ରାଇକ୍ ରେଟ୍‌ରେ ବ୍ୟାଟିଂ କରିଥିଲେ। ସେହିଭଳି ଆଇପିଏଲ୍‌ରେ ଶେଷ ଓଭରରେ ୧୫ରୁ ଊର୍ଧ୍ବ ରନ୍‌ ପଶ୍ଚାତଧାବନ କରି ୩ ଥର ଦଳକୁ ଜିତାଇବାରେ ମହେନ୍ଦ୍ର ସିଂହ ଧୋନି ପ୍ରଥମ ଖେଳାଳି ହୋଇଛନ୍ତି। ଶେଷ ୪ ବଲ୍‌ରୁ ୧୬ ରନ୍‌ ଆଦାୟ କରି ଧୋନି ଦ୍ବିତୀୟ ଥର ମ୍ୟାଚ୍‌ ଜିତାଇଲେ। ଶେଷ ବଲକୁ‌ ଚୌକା ମାରି ଜିତିବା ସିଏସ୍‌କେ ପାଇଁ ଏହା ଥିଲା ଅଷ୍ଟମ ଉଦାହରଣ। ଆଇପିଏଲ୍‌ ଇତିହାସରେ ମଧ୍ୟ ଏହା ‌‌ଯେ କୌଣସି ଦଳ ପାଇଁ ସର୍ବାଧିକ। ‘ଏହା ସବୁଠାରୁ ଭଲ କଥା ଯେ ସେ ଏବେ ମଧ୍ୟ ଭୋକିଲା (ରନ୍‌ ଓ ବିଜୟ ପାଇଁ)‌’ ବୋଲି ପ୍ରକାଶ କରିଥିଲେ ସିଏସ୍‌କେର ନୂଆ ଅଧିନାୟକ ରବୀନ୍ଦ୍ର ଜାଦେଜା। ଆମେ ପଡ଼ିଆ ବା‌ହାରେ ବସି ଶାନ୍ତ ଚିତ୍ତରେ ଆଶା ରଖିଥିଲୁ ‘ସେ ଯଦି ଶେଷ ଓଭର ପର୍ଯ୍ୟନ୍ତ ରହିବେ, ନିଶ୍ଚିତ ଜିତାଇଦେବେ’ ବୋଲି ଜା‌ଦେଜା କହିଥିଲେ। ଅତୀତରେ ଭାରତ ପାଇଁ ଏବଂ ଆଇପିଏଲ୍‌ରେ ବି ଏଭଳି ସେ ବାରମ୍ବାର କରିଛନ୍ତି ବୋଲି ଜାଦୁ ପ୍ରକାଶ କରିଥିଲେ।

ମୁମ୍ବାଇ ଇଣ୍ଡିଆନ୍ସର ନୂଆ ନିମ୍ନ
ଗୁରୁବାର ରାତିରେ ଚେନ୍ନାଇ ସୁପର୍ କିଙ୍ଗ୍ସ ନିକଟରୁ ଶେଷ ବଲ୍‌ ଚୌକାରେ ହାରିଥିବା ମୁମ୍ବାଇ ଇଣ୍ଡିଆନ୍ସ ଏକ ଆଲୋଡ଼ା କୀର୍ତ୍ତିମାନ କରିଛି। ଏକ ଆଇପିଏଲ୍‌ ଋତୁର ପ୍ରଥମ ୭ ମ୍ୟାଚ୍‌ ହାରିବାରେ ରୋହିତ ଶର୍ମାଙ୍କ ଦଳ ପ୍ରଥମ ହୋଇଛି। ପୂର୍ବରୁ ଯୁଗ୍ମଭାବେ ଏହି କୀର୍ତ୍ତିମାନ ଦିଲ୍ଲୀ ଡେୟା‌ର୍‌ଡେଭିଲ୍ସ ଓ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ ନାମରେ ଥିଲା। ୨୦୧୩ରେ ଡେୟାର୍‌ ଡେଭିଲ୍ସ ଏବଂ ୨୦୧୯ରେ ଆର୍‌ସିବି ପ୍ରଥମରୁ ସମାନ ୬ ଲେଖାଏଁ ମ୍ୟାଚ୍‌ ହାରିଥିଲେ। ମୋଟ ଉପରେ କିନ୍ତୁ ଲଗାତାର ୭ ପରାଜୟର ଏହା ୧୧ତମ ଉଦାହରଣ। କିନ୍ତୁ ଏକ ପୂର୍ବ ବିଜେତା ଦଳ ଭାବେ ଏହା ପ୍ରଥମ ଥିଲା।

ସମ୍ବନ୍ଧିତ ଖବର