ଦୁବାଇ : ଆଫ୍ଗାନିସ୍ତାନର ତାରକା ସ୍ପିନର ରସିଦ୍ ଖାନ୍ ଏବଂ ଅଲ୍ରାଉଣ୍ଡର ମହମ୍ମଦ ନବୀ ଆସନ୍ତା ୧୯ ତାରିଖରୁ ଆୟୋଜିତ ହେବାକୁ ଯାଉଥିବା ଆଇପିଏଲ୍ର ୟୁଏଇ ଚରଣ ପୂର୍ବରୁ ସନ୍ରାଇଜର୍ସ ହାଇଦ୍ରାବାଦ ଦଳ ସହ ଯୋଗ ଦେଇଛନ୍ତି। ଉଭୟ ଖେଳାଳି ଦଳୀୟ ସାଥୀଙ୍କ ସହ ଅଭ୍ୟାସ କରିବା ପାଇଁ ଅନୁମତି ପାଇବା ପୂର୍ବରୁ ଏବେ କୋଭିଡ୍ ନିୟମ ଅନୁଯାୟୀ ବାଧ୍ୟତାମୁଳକ ୬ ଦିନିଆ ସଗରୋଧରେ ରହିବେ। ସେମାନେ ୟୁଏଇରେ ପହଞ୍ଚିବା ପରେ ଖୁସୀ ଅଛନ୍ତି ଏବଂ ସଂଗରୋଧକୁ ଯାଇଛନ୍ତି। ଆମେ ଏଠାରେ ପେସାଦାର ମନୋଭାବ ନୁହେଁ, ବରଂ ସନ୍ରାଇଜର୍ସ ପରିବାର ସଦସ୍ୟ ପାଲଟିଯାଇଛୁ। ଦୁହେଁ ୟୁଏଇରେ ପହଞ୍ଚିବା ପରେ ସନ୍ରାଇଜର୍ସ ମଧ୍ୟ ଆଶ୍ବସ୍ତ ହୋଇଛି। ଉଭୟ ସତେଜ ମନରେ ଅଛନ୍ତି ଏବଂ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ବ୍ୟାକୁଳ ବୋଲି ଫ୍ରାଞ୍ଜାଇଜ୍ କହିଛି। ଏଠାରେ ସୂଚନାଯୋଗ୍ୟ, ଆଫ୍ଗାନିସ୍ତାନ ନିକଟରେ ତା’ର ଟି-୨୦ ବିଶ୍ବକପ୍ ଦଳ ଘୋଷଣା କରିଥିଲା ବେଳେ ରସିଦ୍ ଅଧିନାୟକ ପଦରୁ ଓହରି ଯାଇଥିଲେ। ଆଉ ତାଙ୍କ ସ୍ଥାନରେ ନବୀଙ୍କୁ ନେତୃତ୍ବ ଭାର ଅର୍ପଣ କରାଯାଇଛି। ଟି-୨୦ ବିଶ୍ବକପ୍ ମଧ୍ୟ ୟୁଏଇ ସହିତ ଓମାନ୍ରେ ମିଳିତ ଭାବେ ଖେଳାଯିବ।
ରସିଦ୍ ଓ ନବୀ ସନ୍ରାଇଜର୍ସ ଦଳରେ ଯୋଗ ଦେଇ ୬ ଦିନିଆ ସଂଗରୋଧକୁ ଯାଇଥିଲା ବେଳେ କାରବୀୟ ପ୍ରିମିୟର ଲିଗ୍ ଏବଂ ଦକ୍ଷିଣ ଆଫ୍ରିକା-ଶ୍ରୀଲଙ୍କା ଶୃଙ୍ଖଳାରୁ ଆସୁଥିବା ଆଇପିଏଲ୍ ଖେଳାଳିମାନେ ୨ ଦିନିଆ ଏକାନ୍ତବାସରେ ରହିବେ। ଏହାପରେ ସେମାନଙ୍କୁ ନିଜ ନିଜର ଦଳୀୟ ଜୈବବଳୟକୁ ପ୍ରବେଶ ଅନୁମତି ମିଳିବ। ଜୈବ ବଳୟରୁ ଜୈବ ବଳୟକୁ ଆସୁଥିବା ଯୋଗୁଁ କାରବୀୟ ପ୍ରିମିୟର ଲିଗ୍ ଏବଂ ଦକ୍ଷିଣ ଆଫ୍ରିକା-ଶ୍ରୀଲଙ୍କା ଶୃଙ୍ଖଳାର ଆଇପିଏଲ୍ ଖେଳାଳିମାନଙ୍କୁ ୬ ଦିନିଆ ସଂଗରୋଧର ଆବଶ୍ୟକତା ପଡ଼ିବନି ବୋଲି ସ୍ପଷ୍ଟ କରାଯାଇଛି। ସେମାନେ ଏକାନ୍ତବାସ ଅବଧି କଟାଇବା ପରେ ଦଳ ସହ ଯୋଗଦେବେ, ହେଲେ କୋଭିଡ୍ ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିଲେ। ଏଠାରେ ପହଞ୍ଚିବାର ପ୍ରଥମ ଦିନ ସେମାନେ ହୋଟେଲ ପ୍ରକୋଷ୍ଠକୁ ଯିବେ। ଦ୍ବିତୀୟ ଦିନ କୋଭିଡ୍ ପରୀକ୍ଷା ହେବ ଏବଂ ରିପୋର୍ଟ ଆସିବା ପରେ ସେମାନଙ୍କୁ ଦଳୀୟ ଜୈବ ବଳୟ ମଧ୍ୟକୁ ପ୍ରବେଶ ଅନୁମତି ମିଳିବ ବୋଲି ଆଇପିଏଲ୍ ସୂତ୍ରରୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/i5.jpg)