ଆଡିଲେଡ୍ : ଆଫ୍ଗାନିସ୍ତାନ ସ୍ପିନର ରସିଦ୍ ଖାନ୍ ଟ୍ବେଣ୍ଟି-୨୦ ଫର୍ମାଟ୍ରେ ତୃତୀୟ ଥର ପାଇଁ ହ୍ୟାଟ୍ରିକ୍ ଅର୍ଜନ କରିବାର ମାଇଲଖୁଣ୍ଟ ପ୍ରତିଷ୍ଠା କରିଛନ୍ତି। ଏକ୍ଷେତ୍ରରେ ସେ ଅମିତ୍ ମିଶ୍ରା, ଆଣ୍ଡରୁ ଟାଇ, ଆନ୍ଦ୍ରେ ରସେଲ ଓ ମହମ୍ମଦ ସାମିଙ୍କ ପରେ ବିଶ୍ବର ପଞ୍ଚମ ବୋଲର ହୋଇଛନ୍ତି। ପୂର୍ବରୁ ୨୦୧୭ କାରିବିଆନ୍ ପ୍ରମିୟର ଲିଗ୍ (ସିପିଏଲ୍)ରେ ଗୁଏନା ଆମାଜନ୍ ୱାରିୟର୍ସ ପକ୍ଷରୁ ଜାମାଇକା ତଲୱା ବିପକ୍ଷ ମ୍ୟାଚ୍ରେ ଏବଂ ୨୦୧୮/୧୯ରେ ଆଫ୍ଗାନିସ୍ତାନ ପକ୍ଷରୁ ଆୟର୍ଲାଣ୍ଡ୍ ବିପକ୍ଷ ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ମ୍ୟାଚ୍ରେ ହ୍ୟାଟ୍ରିକ୍ ନେଇଥିବା ରସିଦ୍ ଚଳିତ ବିଗ୍ବାସ୍ ଲିଗ୍ (ବିବିଏଲ୍)ରେ ବୁଧବାର ତୃତୀୟ ହ୍ୟା୍ଟ୍ରିକ୍ ଅର୍ଜନ କରିଥିଲେ।
ବିବିଏଲ୍ରେ ବୁଧବାର ସିଡ୍ନି ସିକ୍ସର୍ସ ବିପକ୍ଷ ମ୍ୟାଚ୍ରେ ଏହି ଆଡିଲେଡ୍ ଷ୍ଟ୍ରାଇକର୍ସ ଅଲ୍ରାଉଣ୍ଡର କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ଏହି ମ୍ୟାଚ୍ରେ ରସିଦ୍ ଲଗାତାର ୩ ବଲ୍ଲେ ଜେମ୍ସ ଭିନ୍ସେ, ଜାକ୍ ଏଡ୍ୱାର୍ଡସ ଓ ଜୋର୍ଡାନ୍ ସିଲକ୍ଙ୍କୁ ଆଉଟ୍ କରି ତୃତୀୟ ହ୍ୟାଟ୍ରିକ୍ ସଫଳତା ହାତେଇଥିଲେ। ପ୍ରଥମେ ସେ ଭିନ୍ସେ ଓ ଏଡ୍ୱାର୍ଡସଙ୍କୁ ଏକାଦଶ ଓଭରର ଶେଷ ଦୁଇ ବଲ୍ରେ ଆଉଟ୍ କରି ହ୍ୟାଟ୍ରିକ୍ ସୁଯୋଗ ରଖିଥିଲେ। ଏହାର ପରବର୍ତୀ ଓଭରର ପ୍ରଥମ ବଲ୍ରେ ସିଲ୍କଙ୍କୁ ଆଉଟ୍ କରି ହ୍ୟାଟ୍ରିକ୍ ପୂରଣ କରିଥିଲେ। ଅବଶ୍ୟ ରସିଦ୍ଙ୍କ ହ୍ୟାଟ୍ରିକ୍ ସତ୍ତ୍ବେ ତାଙ୍କ ଦଳ ମ୍ୟାଚ୍ ହାରିଯାଇଥିଲା। ତେବେ ବିବିଏଲ୍ରେ ହ୍ୟାଟ୍ରିକ୍ ଅର୍ଜନ କରିଥିବା ବୋଲରଙ୍କ ମଧ୍ୟରେ ରସିଦ୍ ଚତୁର୍ଥ ହୋଇଛନ୍ତି। ତାଙ୍କ ପୂର୍ବରୁ ବିବିଏଲ୍ ହ୍ୟାଟ୍ରିକ୍ ଅର୍ଜନକାରୀ ବୋଲରଙ୍କ ତାଲିକାରେ ଜାଭିଅର୍ ଡୋହେର୍ଟି (ହରିକେନ୍ସ), ଆଣ୍ଡରୁ ଟାଇ (ସ୍କୋର୍ଚର୍ସ, ଦୁଇ ଥର) ଓ ଜୋସ୍ ଲାଲୋର (ହିଟ୍)ଙ୍କ ନାମ ଲିପିବଦ୍ଧ ରହିଛି।