କାବୁଲ: ପଶ୍ଚିମ ଆଫଗାନିସ୍ତାନର ହେରତ ପ୍ରଦେଶରେ ୬.୩ ତୀବ୍ରତାର ଭୂମିକମ୍ପରେ ୨୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ଶହଶହ ଆହତ ହୋଇଛନ୍ତି। ଏମଧ୍ୟରେ ଆଫଗାନିସ୍ତାନ କ୍ରିକେଟ୍ ଦଳର ଷ୍ଟାର ସ୍ପିନର ରସିଦ ଖାନ୍ ଏକ ବଡ଼ ଘୋଷଣା କରିଛନ୍ତି। ଆଇସିସି ଓଡିଆଇ ବିଶ୍ୱକପ ୨୦୨୩ର ସମ୍ପୂର୍ଣ୍ଣ ମ୍ୟାଚ୍ ଫି’ ଆଫଗାନିସ୍ତାନରେ ହୋଇଥିବା ଭୂକମ୍ପ ପୀଡିତମାନଙ୍କୁ ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରସିଦ। ଏହି ନିଷ୍ପତ୍ତି ସହିତ ରସିଦ ପ୍ରମାଣ କରିଛନ୍ତି ଯେ ସେ କେବଳ ଦୁନିଆର ଜଣେ ଭଲ ବୋଲର ନୁହଁନ୍ତି ବରଂ ଜଣେ ଭଲ ମଣିଷ ମଧ୍ୟ। ରସିଦ ନିଜେ ଏହି ସୂଚନା ସୋସିଆଲ ମିଡିଆରେ ସେୟାର କରିଛନ୍ତି।

Advertisment

ଦିଲ୍ଲୀରେ ଆଫଗାନିସ୍ତାନକୁ ଭାରତ ବିପକ୍ଷରେ ଓଡିଆଇ ବିଶ୍ୱକପ ୨୦୨୩ର ଦ୍ୱିତୀୟ ମ୍ୟାଚ୍ ଖେଳିବାକୁ ହେବ। ଆଫଗାନିସ୍ତାନର ଷ୍ଟାର ସ୍ପିନର ରସିଦ ଖାନ ନିଜର ବ୍ୟକ୍ତିଗତ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରି ଆଫଗାନିସ୍ତାନର ଭୂକମ୍ପ ପୀଡିତମାନଙ୍କୁ ନିଜ ପାରିଶ୍ରମିକ ଦାନ କରିବେ ବୋଲି ସୂଚନା ଦେଇଛନ୍ତି। ସେ ତାଙ୍କ ଇନଷ୍ଟା ପୋଷ୍ଟରେ ଲେଖିଛନ୍ତି ଯେ ଆଫଗାନିସ୍ତାନର ପଶ୍ଚିମ ପ୍ରଦେଶ (ହେରତ, ଫରାହ ଏବଂ ବଦଗିସ୍)ରେ ହୋଇଥିବା ଭୂକମ୍ପର ପୀଡ଼ିତମ‌ାନଙ୍କ ଅବସ୍ଥା ବିଷୟରେ ଜାଣି ମୁଁ ଦୁଃଖିତ। ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ମୁଁ ମୋ ବିଶ୍ୱକପ ୨୦୨୩ ମ୍ୟାଚର ସମସ୍ତ ଫି’ ଦାନ କରୁଛି। ଖୁବ୍ ଶୀଘ୍ର ଆମେ ଏକ ପାଣ୍ଠି ସଂଗ୍ରହ ଅଭିଯାନ ଆରମ୍ଭ କରିବୁ, ଯାହାଦ୍ବ‌ାରା ଲୋକେ ଅସହାୟ ଭୂକମ୍ପ ପୀଡ଼ିତଙ୍କୁ ସାହାଯ୍ୟ କରିପାରିବେ। "

ୟୁଏସ୍ ଜିଓଲୋଜିକାଲ ସର୍ଭେ (ୟୁଏସ୍‌ଜିଏସ୍) ଅନୁଯାୟୀ ପଶ୍ଚିମ ଆଫଗାନିସ୍ତାନରେ ୬ଟି ଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ ସବୁଠାରୁ ବଡ଼ ଭୂକମ୍ପର ତୀବ୍ରତା ୬.୩ ରହିଛି। ହେରତର ଜିନ୍ଦା ଜାନ୍ ଜିଲ୍ଲାରେ ୭.୭ କିଲୋମିଟର ଗଭୀରତାରେ ୫.୯ ତୀବ୍ରତାର ସଦ୍ୟତମ ଭୂମିକମ୍ପ ଅନୁଭୂତ ହୋଇଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନିକଟବର୍ତ୍ତୀ ପ୍ରଦେଶ ଫରାହ ଏବଂ ବଦଗିସରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା। ବିଶେଷକରି ଆଫଗାନିସ୍ତାନର ହିନ୍ଦୁକୁଶ ପର୍ବତମାଳା ଅଞ୍ଚଳ ଭୂକମ୍ପପ୍ରବଣ, ଯାହା ୟୁରେସିଆନ ଏବଂ ଭାରତୀୟ ଟେକ୍ଟୋନିକ୍ ପ୍ଲେଟ୍‌ର ମିଶ୍ରଣ ନିକଟରେ ଅବସ୍ଥିତ।