କାବୁଲ: ଆଫଗାନିସ୍ତାନର ତାରକା ସ୍ପିନର୍‌ ରସିଦ୍‌ ଖାନ୍‌ଙ୍କ ବିବାହ ସମ୍ପର୍କ‌କୁ ନେଇ ଚାଲିଥିବା ଚର୍ଚ୍ଚାର ଅନ୍ତ ଘଟିଛି। ନିଜେ ରସିଦ୍‌ ବୁଧବାର ଇନ୍‌ଷ୍ଟାଗ୍ରାମ୍‌ରେ ନିଜର ଦ୍ବିତୀୟ ବିବାହକୁ ସ୍ପଷ୍ଟ କରିଛନ୍ତି। କିଛି ଦିନ ତଳେ ପାରମ୍ପରିକ ଆଫଗାନ୍‌ ପୋଷାକ ପିନ୍ଧିଥିବା ଜଣେ ମହିଳାଙ୍କ ପାଖରେ ରସିଦ୍‌ ବସିଥିବାର ଫଟୋ ଓ ଭିଡିଓ ଭାଇରାଲ ହୋଇଥିଲା। ଏହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିବାରୁ ରସିଦ୍‌ ଇନ୍‌ଷ୍ଟାଗ୍ରାମରେ ସେହି ମହିଳା ଜଣକ ତାଙ୍କ ସ୍ତ୍ରୀ ଏବଂ ସେମାନଙ୍କର ନିକାହ ଏହି ବର୍ଷ ଆରମ୍ଭ (୨ ଅଗଷ୍ଟ ୨୦୨୫)ରେ ହୋଇଛି ବୋଲି କହିଛନ୍ତି। ରସିଦ୍‌ ଗତବର୍ଷ ଅକ୍ଟୋବରରେ ପ୍ରଥମ ଥର ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। 

Advertisment

ଅକ୍ଟୋବରରେ ସେ ତାଙ୍କ ଭାଇ ଅମିର୍‌ ଖଲିଲ୍‌, ଜାକିଉଲ୍ଲା ଓ ରାଜା ଖାନ୍‌ଙ୍କ ସହ ‌‌‌ଏକାଠି କାବୁଲଠାରେ ପ୍ରଥମେ ବାହା ହୋଇଥିଲେ। ଇନ୍‌ଷ୍ଟାଗ୍ରାମ୍‌ରେ ରସିଦ୍‌ ଲେଖିଛନ୍ତି, ‘‘୨୦୨୫ ଅଗ‌ଷ୍ଟ ୨ରେ ମୁଁ ମୋ ଜୀବନର ଏକ ନୂଆ ଏବଂ ଅର୍ଥପୂର୍ଣ୍ଣ ଅଧ୍ୟାୟ ଆରମ୍ଭ କରିଛି। ମୁଁ ନିକାହ କରିଛି। ପ୍ରେମ, ଶାନ୍ତି ଓ ମୋ ସହ ସହଯୋଗ କରିବା ଲାଗି ଇଚ୍ଛା ପ୍ରକାଶ କରିଥିବା ଜଣେ ମହିଳାଙ୍କୁ ବିବାହ କରିଛି। ମୁଁ ମୋ ସ୍ତ୍ରୀକୁ ଏକ ଦାନ କାର୍ଯ୍ୟକ୍ରମକୁ ନେଇଥିଲି। ଏହି ଭିଡିଓ ଓ ‌‌ଫଟୋ ସେଠାକାର। ଏହା ସତ୍ୟ ସେ  ମୋ ସ୍ତ୍ରୀ, ଆଉ ଲୁଚାଇବାର କିଛି ନାହିଁ। ସମର୍ଥନ ଓ ସହଯୋଗ କରିଥିବାରୁ ଧନ୍ୟବାଦ’’।