କାବୁଲ : ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଆୟୋଜିତ ହେବାକୁ ଯାଉଥିବା ଟି-୨୦ ବିଶ୍ବକପ୍ ପାଇଁ ଗୁରୁବାର ଆଫ୍ଗାନିସ୍ତାନ ଦଳ ଘୋଷଣା ହେବା ପରେ ପରେ ଅଲ୍ରାଉଣ୍ଡର ରସିଦ୍ ଖାନ୍ ଅଧିନାୟକ ପଦରୁ ଓହରିଯାଇଛନ୍ତି। ଆଫ୍ଗାନିସ୍ତାନ କ୍ରିକେଟ୍ ବୋର୍ଡ (ଏସିବି) ତାଙ୍କ ସହ କୌଣସି ପରାମର୍ଶ ନକରି ଦଳ ଘୋଷଣା କରିଥିବାରୁ ରସିଦ୍ ଅସନ୍ତୁଷ୍ଟ ହୋଇଥିଲେ। ଜଣେ ଅଧିନାୟକ ଏବଂ ଦେଶର ଦାୟିତ୍ବସଂପନ୍ନ ବ୍ୟକ୍ତି ଭାବେ ଦଳ ମନୋନୟନ ପ୍ରକ୍ରିୟାର ଅଂଶବିଶେଷ ହେବାର ହକ୍ ମୋର ରହିଛି। ହେଲେ ମୋ ସହ କୌଣସି ପରାମର୍ଶ ନକରି ଦଳ ଘୋଷଣା କରିଥିବାରୁ ଅଧିନାୟକ ପଦରୁ ଓହରିଯିବାକୁ ସ୍ଥିର କଲି ବୋଲି ରସିଦ୍ କହିଛନ୍ତି। ତାଙ୍କର ଏହି ନିଷ୍ପତ୍ତିକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ମଧ୍ୟ ରସିଦ୍ ବୋର୍ଡକୁ ଅବଗତ କରାଇଥିଲେ। ବୋର୍ଡ ମଧ୍ୟ ତାଙ୍କ ପଦତ୍ୟାଗକୁ ଗ୍ରହଣ କରିନେଇଛି ଏବଂ ପୁରୁଖା ଅଲ୍ରାଉଣ୍ଡର ମହମ୍ମଦ ନବୀଙ୍କୁ ନେତୃତ୍ବ ଦାୟିତ୍ବ ସମର୍ପଣ କରିଛି। ଯଦିଓ ଏସିବି ଆନୁଷ୍ଠାନିକ ଭାବେ ନବୀଙ୍କ ନିଯୁକ୍ତିକୁ ଘୋଷଣା କରିନି, ହେଲେ ନବୀ ନିଜଆଡୁ ଦଳର ନେତୃତ୍ବ ଭାର ପାଇଥିବା ଟ୍ବିଟ୍ କରିଛନ୍ତି। ଏଭଳି ସଂକଟଜନକ ସ୍ଥିତିରେ ଜାତୀୟ ଦଳର ନେତୃତ୍ବ ଭାର ଅର୍ପଣ କରିବାର ଏସିବି ନିଷ୍ପତ୍ତିକୁ ମୁଁ ଗ୍ରହଣ କରୁଛି ବୋଲି କହିଛନ୍ତି ନବୀ। ଗୁରୁବାର ଆଫ୍ଗାନିସ୍ତାନ ବୋର୍ଡ ତା’ର ୧୫ ଜଣିଆ ଟି-୨୦ ବିଶ୍ବକପ୍ ଦଳ ଘୋଷଣା କରିଛି। ଏହା ବାଦ୍ ୨ ଜଣଙ୍କୁ ସଂରକ୍ଷିତ ଭାବେ ସ୍ଥାନ ଦେଇଛି।
ଆଫ୍ଗାନିସ୍ତାନ ଦଳ: ମହମ୍ମଦ ନବୀ (ଅଧିନାୟକ), ରସିଦ୍ ଖାନ୍, ରହମୁତୁଲ୍ଲା ଗୁର୍ବାଜ, ହଜରତ୍ଉଲ୍ଲା ଜଜାଇ, ଉସ୍ମାନ ଘନି, ଅସ୍ଗର ଆଫ୍ଗାନ, ନାଜିବୁଲ୍ଲା ଜଦ୍ରାନ, ହସ୍ମତଉଲ୍ଲା ସାହିଦ, ମହମ୍ମଦ ସାହଜାଦ୍, ମୁଜୀବୁର ରହମନ, କରିମ ଜନତ, ଗୁଲ୍ବଦିନ ନାଏବ, ନବୀନ ଉଲ୍ ହକ୍, ହମିଦ ହାସନ, ସରଫୁଦିନ୍ ଅସ୍ରଫ, ଦୌଲତ ଜଦ୍ରାନ, ସାପୁର ଜଦ୍ରାନ, କ୍ବାଇସ୍ ଅହମ୍ମଦ। ସଂରକ୍ଷିତ ଖେଳାଳି: ଅସ୍ଫର ଜଜାଇ, ଫରିଦ ଅହମ୍ମଦ ମାଲିକ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/Rashid-Khan.jpg)