ଭୁବନେଶ୍ବର: ଭାରତୀୟ ଘରୋଇ କ୍ରିକେଟ୍‌ର ଅନ୍ୟତମ ପ୍ରମୁଖ ଜୋନାଲ୍ ପ୍ରଥମ ଶ୍ରେଣୀ ପ୍ରତିଯୋଗିତା ଦଲୀପ ଟ୍ରଫି ପୁଣି ଥରେ ତା’ର ପାରମ୍ପରିକ ଫର୍ମାଟକୁ ଫେରୁଛି। ଅଗଷ୍ଟ ୨୮ ତାରିଖରୁ ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତା ପୁଣି ଥରେ ଜୋନ୍‌ଭିତ୍ତିକ ଖେଳାଯିବ। ଗତ ମାସରେ ବିସିସିଆଇର ଆପେକ୍ସ କାଉନସିଲ୍ ବୈଠକରେ ଏହି ପରିବର୍ତନ ପାଇଁ ଆସିଥିବା ସୁପାରିସ୍‌କୁ ମଞ୍ଜୁରି ମିଳିଛି। ଗତ ଋତୁରେ ଦେଶର ପ୍ରମୁଖ ପ୍ରଥମ ଶ୍ରେଣୀ ଖେଳାଳିଙ୍କୁ ୪ଟି ଦଳରେ (ଏ,ବି,ସି,ଡି) ବିଭକ୍ତ କରାଯାଇ ଦଲୀପ ଟ୍ରଫି ଖେଳାଯାଉଥିଲା। ଏବେ ପୂର୍ବଭଳି ୬ଟି ‌ଜୋନ୍‌-ଉତ୍ତର, ଦକ୍ଷିଣ, ପୂର୍ବ, ପଶ୍ଚିମ, କେନ୍ଦ୍ର ଓ ଉତ୍ତର-ପୂର୍ବ ଦଳ ଭାବେ ଖେଳିବେ। ଏହା କ୍ରିକେଟ୍‌ ସ୍ତରକୁ ଅଧିକ ଉନ୍ନତ କରିବ ବୋଲି ବିସିସିଆଇ ଆଶା କରିଛି। 

Advertisment

ପ୍ରଥମ ଶ୍ରେଣୀ କ୍ରିକେଟ୍‌ର ଅନ୍ୟତମ ମହାନ ଖେଳାଳି ତଥା ଓଡ଼ିଶା ରଣଜୀ ଦଳର ପୂର୍ବତନ ଅଧିନାୟକ ରଶ୍ମିରଂଜନ ପରିଡ଼ା ବି ଦଲିପ ଟ୍ରଫି ଫର୍ମାଟ୍‌ର ପ୍ରତ୍ୟାବର୍ତ୍ତନକୁ ସ୍ବାଗତ କରିଛନ୍ତି। ବିଶେଷ କରି ଏହା ଓଡ଼ିଶା ଖେଳାଳିଙ୍କୁ ଫାଇଦା ଦେବ ବୋଲି ସେ ଆଶା ପ୍ରକଟ କରିଛନ୍ତି। ଗତ ଋତୁରେ ସର୍ବଭାରତୀୟ ସ୍ତରରୁ ୪ଟି ଦଳ ମନୋନୀତ ହେବା ଫଳରେ ଆମ ଖେଳାଳିମାନେ ବହୁ ତଳେ ରହିଯାଉଥିଲେ। ଦଳୀୟ ଭାବନାରେ ଖେଳିବା ବି ବଢ଼ିପାରିବ। ଜୋନାଲ ଭିତ୍ତିରେ ଦଳ ଚୟନ ବେଳେ ଓଡ଼ିଶା ଖେଳାଳିଙ୍କୁ ପୂର୍ବାଞ୍ଚଳ କୋଟା ହେଉ ଅବା‌ ଜୋନ୍‌ ଖେଳାଳିଙ୍କ ଭିତରେ ପ୍ରଭାବୀ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ଅନାୟାସରେ ଜାତୀୟ ଚୟନକର୍ତ୍ତାଙ୍କୁ ଆକୃଷ୍ଟ କରିବାକୁ ସୁଯୋଗ ମିଳିବ ବୋଲି ପ୍ରକାଶ କରିଛନ୍ତି। 

ଏକମାତ୍ର ଓଡ଼ିଆ ଖେଳାଳି ଭାବେ ଦୁଇ ଥର (୨୦୧୦-୧୧, ୧୦୧୧-୧୨) ରଣଜୀ ଟ୍ରଫି ଜିତିଥିବା ମହାନ ବ୍ୟାଟର୍ ରଶ୍ମି ରଂଜନ ପରିଡ଼ା। ଓଡ଼ିଶା କେବେ ରଣଜୀ ଟ୍ରଫି ଜିତି ନଥିବା ବେଳେ ରଶ୍ମି ଏହି ସଫଳତା ରାଜସ୍ଥାନ ପାଇଁ ଖେଳି ହାସଲ କରିଥିଲେ। ରଣଜୀ ଟ୍ରଫି ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ହେବାର ସମ୍ମାନ ବି ରହିଛି ରଶ୍ମିଙ୍କ ଝୁଲାରେ। ଦଲୀପ ଟ୍ରଫିରେ ପ୍ରାୟ ୭/୮ ମ୍ୟାଚ୍‌ ଖେଳିଥିବା ରଶ୍ମି ବି ଏକାଧିକ (୫) ଘରୋଇ ଦଳରୁ ଖେଳିବାର ବିରଳ କୃତିତ୍ବ ବହନ କରନ୍ତି। ଓଡ଼ିଶା ସହିତ ସେ ଆସାମ, ରାଜସ୍ଥାନ, ବିଦର୍ଭ, ହିମାଚଳ ପ୍ରଦେଶ ପାଇଁ ବି ରଣଜୀ ଖେଳିଛନ୍ତି ଓଡ଼ିଶା କ୍ରିକେଟ୍‌ର ଏହି ‘ଦ ୱାଲ୍‌’। ଓଡ଼ିଶା ସହିତ ଆସାମର ବି ଅଧିନାୟକତ୍ବ କରିଥିଲେ। ଦୁଇ ଦଶନ୍ଧିର (୧୯୯୪-୨୦୧୪) ଘରୋଇ କ୍ରିକେଟ୍‌ ଜୀବନରେ ରଶ୍ମି ୧୩୯ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରୁ ୧୬ ଶତକ ଓ ୫୧ ଅର୍ଦ୍ଧଶତକ ସହ ୮,୩୧୭ ରନ୍ ଏବଂ ୬୬ ଲିଷ୍ଟ୍‌ ‘ଏ’ ମ୍ୟାଚ୍‌ରୁ ୨ ଶତକ ଓ ୧୫ ଅର୍ଦ୍ଧଶତକ ସହ ୨୦୬୩ ରନ୍ ସଂଗ୍ରହ କରିଥିଲେ। ଓଡ଼ିଶାକୁ ପ୍ରଥମ ଥର ରଣଜୀ ଟ୍ରଫି ସେମିଫାଇନାଲ୍‌ ନେବାରେ ବି ରଶ୍ମିଙ୍କ ଅବଦାନ ଅତୁଳନୀୟ ଥିଲା।