ରାଷ୍ଟ୍ରପତିଙ୍କ ପରେ ମୁଁ ଲୋକପ୍ରିୟ: ରସିଦ୍‌

ମୁମ୍ବାଇ,: ସଦ୍ୟ ସମାପ୍ତ ଆଇପିଏଲ୍‌ରେ ହାଇଦ୍ରାବାଦର ସନ୍‌ରାଇଜର୍ସର ଆଫ୍‌ଗାନୀ ସ୍ପିନର ରସିଦ୍‌ ଖାନ୍‌ ଚମତ୍କାର ପ୍ରଦର୍ଶନ କରିଥିଲେ। ତାଙ୍କ ଅଲ୍‌ରାଉଣ୍ଡ୍‌ ପ୍ରଦର୍ଶନରେ ହାଇଦ୍ରାବାଦ ଦ୍ୱିତୀୟ କ୍ୱାଲିଫାୟରରେ କୋଲ୍‌କାତା ନାଇଟ୍‌ ରାଇଡର୍ସକୁ ହରାଇ ଫାଇନାଲ୍‌ରେ ପହଞ୍ଚିଥିଲା। ତାଙ୍କ ପ୍ରଦର୍ଶନକୁ ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର ବି ପ୍ରଶଂସା କରିଥିଲେ। ଏପରିକି ଟ୍ଵିଟରରେ ତାଙ୍କୁ ବିଶ୍ୱର ଶ୍ରେଷ୍ଠ ସ୍ପିନର ଉପାଧି ମଧ୍ୟ ଦେଇଥିଲେ। ସଚିନଙ୍କ ଏହି ମତ ରସିଦଙ୍କୁ ବେଶ୍‌ ଆନନ୍ଦିତ କରିଥିଲା। ଏହି ବିଷୟରେ ନିଜ ଭାବନା ପ୍ରକାଶ କରିବାକୁ ଯାଇ ସେ କହିଛନ୍ତି ଯେ ମୁଁ ବସ୍‌ରେ ଯାଉଥିବା ବେଳେ ମୋର ଜଣେ ସାଙ୍ଗ ସଚିନଙ୍କ ଟ୍ଵିଟ୍‌ର ସ୍କ୍ରିନ୍‌ ସଟ୍‌ ମୋ ପାଖକୁ ପଠାଇଥିଲା। ଏହା ଦେଖି ମୁଁ ବିସ୍ମିତ ହୋଇ ଯାଇଥିଲି। କ’ଣ ଜବାବ ଦେବି ଭାବି ପାରି ନଥିଲି। ୧-୨ଘଣ୍ଟା ପରେ ପ୍ରତିଜବାବ ରଖିଥିଲି।
ସାରା ଆଫ୍‌ଗାନିସ୍ତାନ ଏହି ଟ୍ଵିଟ୍‌କୁ ଦେଖିଥିଲେ। ତେନ୍ଦୁଲକର ସେଠାରେ ଅଧିକ ଲୋକପ୍ରିୟ ଥିବାରୁ ତାଙ୍କର ଏଭଳି ଟ୍ଵିଟ୍‌ ମୋର ଲୋକପ୍ରିୟତାକୁ ଆହୁରି ବଢ଼ାଇ ଦେଇଥିଲା ବୋଲି ସେ କହିଥିଲେ। ରସିଦ୍‌ଙ୍କ ସମସ୍ତ ଗତିବିଧିକୁ ତାଙ୍କ ଦେଶବାସୀ ନଜର ରଖୁଛନ୍ତି। ତାଙ୍କର ଏଭଳି ପ୍ରଦର୍ଶନ ଆଫ୍‌ଗାନିସ୍ତାନ ଯୁବପିଢ଼ୀଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟି ଯାଇଛି। ରସିଦ୍‌ଙ୍କ ପାଇଁ ଆଫ୍‌ଗାନ୍‌ସ୍ତାନରେ କ୍ରିକେଟ୍‌ ପ୍ରତି ଆଗ୍ରହ ଦିନକୁ ଦିନ ବଢ଼ିବାକୁ ଲାଗିଛି। ରସିଦ୍‌ଙ୍କୁ ଯେତେବେଳେ ପ୍ରଶ୍ନ କରାଗଲା ଭାରତରେ ଶ୍ରେଷ୍ଠ କ୍ରିକେଟର୍‌ଙ୍କୁ ଯେଭଳି ସମ୍ମାନିତ କରାଯାଏ। ଆଫଗାନିସ୍ତାନରେ ତାଙ୍କୁ କ’ଣ ସେମିତି ସମ୍ମାନ ମିଳେ? ଏହାର ଉତ୍ତର ରଖି ସେ କହିଥିଲେ, ‘ମୋତେ ଯେତିକି ଜଣା ଆମ ଦେଶରେ ରାଷ୍ଟ୍ରପତିଙ୍କ ପରେ ବୋଧହୁଏ ମୁଁ ସର୍ବାଧିକ ଲୋକପ୍ରିୟ ବ୍ୟକ୍ତି ’। ଏକାଦଶତମ ଆଇପିଏଲ୍‌ରେ ବାଇଗଣୀ ଟୋପି ବିଜେତା କିଙ୍ଗ୍ସ ଏକାଦଶ ପଞ୍ଜାବର ଆଣ୍ଡ୍ରିଉ ଟାଏ (୨୪ ଓ୍ଵିକେଟ)ଙ୍କ ପରେ ୧୯ ବର୍ଷୀୟ ରସିଦ୍‌ (୨୧ ଓ୍ଵିକେଟ୍‌) ଦ୍ୱିତୀୟ ଶ୍ରେଷ୍ଠ ବୋଲର ହୋଇଥିଲେ। ଆଇପିଏଲ-୧୧ରେ ତାଙ୍କ ବଲ୍‌ ଖେଳିବାକୁ ଦୁନିଆର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ମାନେ ବି ଅସୁବିଧାରେ ପଡ଼ି ଯାଇଥିଲେ।

ସମ୍ବନ୍ଧିତ ଖବର