ଲାହୋର: ଭାରତୀୟ କ୍ରିକେଟ୍ ଦଳର ଚର୍ଚ୍ଚିତ ଅଧିନାୟକ ବିରାଟ କୋହଲିଙ୍କ ବିଦେଶୀ ପ୍ରଶଂସକଙ୍କ ଧାରା କ୍ରମଶଃ ଲମ୍ବା ହେବାରେ ଲାଗିଛି। କେବଳ ସାଧାରଣ ବିଦେଶୀ କ୍ରିକେଟ୍ପ୍ରେମୀ ନୁହଁନ୍ତି, କେତେକ ପ୍ରତିପକ୍ଷ ଦଳର ଖେଳାଳି ମଧ୍ୟ୍ୟ ତାଙ୍କ ବଳିଷ୍ଠ ଏକାଗ୍ରତା ଓ ନିରନ୍ତର ଅଧ୍ୟବସାୟକୁ ପ୍ରଶଂସା ନକରି ରହି ପାରୁ ନାହାନ୍ତି। ଏହିକ୍ରମରେ ଆଫଗାନିସ୍ତାନର ତାରକା ସ୍ପିନର ରସିଦ ଖାନ୍ ସାମିଲ ହୋଇଛନ୍ତି। କୋହଲିଙ୍କ ସଫଳତାର ରହସ୍ୟ ଉନ୍ମୋଚନ କରିବାକୁ ଯାଇ ସେ କହିଛନ୍ତି ଯେ କୋହଲି କେବେବି ତାଙ୍କ ଲକ୍ଷ୍ୟପଥରୁ ବିଚ୍ୟୁତ ହୁଅନ୍ତି ନାହିଁ। ସଚ୍ଚୋଟତାର ସହ ନିଜ ପ୍ରକ୍ରିୟାକୁ ଅନୁସରଣ କରିବା ସହ ନିଜ ଦକ୍ଷତା ଅନୁସାରେ ଖେଳ ଖେଳିବାକୁ ଚେଷ୍ଟା କରନ୍ତି। ଯେତେ କଷ୍ଟକର ବଲ୍ ପଡ଼ିଲେ ମଧ୍ୟ ନିଜ ସ୍ବାଭାବିକ ଖେଳ ଖେଳିବା ଜାରି ରଖନ୍ତି। ନିଜ ଉପରେ ତାଙ୍କର ଥିବା ଭରସା ଅତୁଳନୀୟ। ଯଦି କୌଣସି ସଟ୍ ଖେଳିବାର ଆତ୍ମବିଶ୍ବାସ ନଥାଏ, ତାହେଲେ ସେହି ସଟ୍ ଖେଳିବାରୁ ଦୂରେଇ ରହନ୍ତି କୋହଲି।
ଅନ୍ୟ କୌଣସି ବ୍ୟାଟ୍ସମ୍ୟାନଙ୍କୁ ଆପଣ ଏକ ଭଲ ବଲ୍ ପକାନ୍ତି, ତେବେ ସେ ସୁଇପ୍, ସ୍ଲଗ୍ ସୁଇପ୍ କିମ୍ବା ଅନ୍ୟ କୌଣସି କାଳ୍ପନିକ ସଟ୍ ଖେଳିବାକୁ ଚେଷ୍ଟା କରନ୍ତି। କୋହଲି କିନ୍ତୁ ଏଭଳି କରନ୍ତି ନାହିଁ। ଅନ୍ୟପକ୍ଷରେ କହିଲେ କୋହଲି ନିଜ ଅନୁସାରେ ହିଁ ଖେଳନ୍ତି। ପରୀକ୍ଷାନିରୀକ୍ଷା କମ୍ କରନ୍ତି। ସେ କେବଳ ତାଙ୍କ ମନର କଥା ଶୁଣନ୍ତି। ସେଥିପାଇଁ ସେ ଏତେ ସଫଳ ହୋଇପାରିଛନ୍ତି। ତାଙ୍କ ପାଖରେ ଏକ କୌଶଳ ଓ ଏହାକୁ କାମରେ ଲଗାଇବାର ପ୍ରକ୍ରିୟା ସବୁବେଳେ ରହିଥାଏ। ସବୁଠାରୁ ବଡ଼ କଥା ହେଲା ଭଲ ବଲ୍କୁ ସେ ସବୁବେଳେ ସମ୍ମାନ ଦିଅନ୍ତି। କିଛି ବ୍ୟାଟ୍ସମ୍ୟାନ୍ ମନଇଚ୍ଛା ସଟ୍ ଖେଳନ୍ତି, ଆଉ ସେଥିପାଇଁ ସଂଘର୍ଷ କରନ୍ତି। କୋହଲିଙ୍କ ପ୍ରଶଂସକ ରସିଦ ଦିନେ ନା ଦିନେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ ଆଇପିଏଲ୍ ଖେଳିବାକୁ ବହୁତ ପସନ୍ଦ କରିବେ ବୋଲି କହିଛନ୍ତି। ଭାରତୀୟ ଦିନିକିଆ ଦଳର ଉପ ଅଧିନାୟକ ରୋହିତ ଶର୍ମାଙ୍କ ବ୍ୟାଟିଂକୁ ବି ସେ ବହୁତ ପ୍ରଶଂସା କରଥିଲେ।