ସାଉଥାମ୍ପଟନ୍: ମୁଁ ଗୁଲବଦିନ ନୈବ କି ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ (ଏସିବି) ବୋର୍ଡ ପାଇଁ ଖେଳୁନାହିଁ, ‌ନିଜ‌ ଦେଶ ଆଫଗାନିସ୍ତାନ ପାଇଁ ଖେଳୁଛି‌ ବୋଲି କହିଛନ୍ତି ତାରକା ସ୍ପିନର ରସିଦ୍ ଖାନ୍‌। ବିଶ୍ବକପ୍‌ ପାଇଁ ଅଧିନାୟକ ପରିବର୍ତନ କରାଯିବାବେଳେ ରସିଦ ଅସନ୍ତୋଷ ପ୍ରକାଶ କରିଥିବାରୁ ଗୁଲବଦିନଙ୍କ ସହିତ ଭଲ ସମ୍ପର୍କ ନ ଥିବା କୁହାଯାଉଛି। ଅସଗର ଆଫଗାନଙ୍କ ବଦଳରେ ଗୁଲବଦିନଙ୍କୁ ଅଧିନାୟକ ନିଯୁକ୍ତ କରାଯିବାବେଳେ ରସିଦ୍ ଏବଂ ଅନ୍ୟତମ ସ୍ପିନର୍ ମହମ୍ମଦ ନବି ବିରୋଧ କରିଥିଲେ। ଏସିବି ସହିତ ଭଲ ସମ୍ପର୍କ ନ ଥିବାରୁ ଅସଗରଙ୍କୁ ନେତୃତ୍ବ ଦିଆଯାଇନଥିଲା। ଚଳିତ ବିଶ୍ବକପ୍‌ରେ ଆଫଗାନିସ୍ତାନ ଲଗାତାର ୫ ପରାଜୟ ବରଣ କରିଛିଏବଂ ରସିଦ୍ ଇଂଲଣ୍ଡ ବିପକ୍ଷରେ ବିଶ୍ବକପ୍‌ର ସବୁଠୁ ନିକୃଷ୍ଟ ବୋଲିଂ ଚିତ୍ର (୯-୦-୧୧୦-୦) ପାଇଥିଲେ। ବୋର୍ଡ ସହିତ ଭଲ ସମ୍ପର୍କ ନଥିବାରୁ ଏହା ମଧ୍ୟ ରସିଦଙ୍କ ପ୍ରଦର୍ଶନକୁ ପ୍ରଭାବିତ କରିଛି ବୋଲି ଅନୁମାନ କରାଯାଉଛି। ଗୁଲବଦିନଙ୍କ ସହିତ ସମ୍ପର୍କରେ ମୋର କିଛି ସମସ୍ୟା ନାହିଁ, ଅସଗରଙ୍କ ନେତୃତ୍ବ ଭଳି ମୁଁ ବି ତାଙ୍କୁ ସମର୍ଥନ କରୁଛି। ପଡ଼ିଆରେ ମୁଁ ଅସଗରଙ୍କୁ ୫୦ ପ୍ରତିଶତ ସମର୍ଥନ କରୁଥିଲେ, ଗୁଲବଦିନଙ୍କୁ ୧୦୦ ପ୍ରତିଶତ ଦେଉଛି ବୋଲି ରସିଦ୍ ଏକ ସାକ୍ଷାତକାର ବେଳେ ପ୍ରକାଶ କରିଛନ୍ତି।

Advertisment

ଇଂଲଣ୍ଡରେ ପାଦ ଥାପିବା ବେଳଠୁ ମୋତେ ଏ ପ୍ରସଙ୍ଗରେ କେହି ପ୍ରଶ୍ନ କରିନାହାନ୍ତି। ଆମେ ମିଳିତଭାବେ ୧୫-୧୬ ବର୍ଷ ହେବ ଖେଳି ଆସୁଛୁ। ଦଶନ୍ଧି ଦଶନ୍ଧି ଧରି କିଛି ଘଟିନାହିଁ, ଦିନେ ଦୁଇ ଦିନ ଭିତରେ କିଭଳି ବଦଳିଯିବ ବୋଲି ରସିଦ୍ କହିଥିଲେ। କିନ୍ତୁ ଅଧିନାୟକ ପ୍ରସଙ୍ଗ ଆସିବା ବେଳେ ରସିଦ୍‌ ନିଜ ଜିଦ୍‌ରେ ଅଟଳ ଥିଲେ। କହିଥିଲେ ‘ମୁଁ ଗୁଲବଦିନ୍ କି କ୍ରିକେଟ୍‌ ବୋର୍ଡ ପାଇଁ ଖେଳୁନାହିଁ, ପତାକା ପାଇଁ‌‌‌ ଖେଳୁଛି, ଆଫାଗାନିସ୍ତାନ ପାଇଁ ଖେଳୁଛି’। ମୁଁ ଜାଣିଛି ମୋ କାମ କ’ଣ, ଏହା ମୁଁ କରିଚାଲିଥିବି। କିନ୍ତୁ ଅଧିନାୟକ ପରିବର୍ତନ ପାଇଁ ଏହା ଠିକଣା ସମୟ ନ ଥିଲା। ବିଶ୍ବକପ୍‌ ଭଳି ବଡ଼ ପ୍ରତିଯୋଗିତା ପୂର୍ବରୁ ଏଭଳି କରିବାର କିଛି ମାନେ ନାହିଁ ବୋଲି ରସିଦ୍ କହିଥିଲେ।